ମା ’ ମଙ୍ଗଳାଙ୍କ ଝାମୁଯାତ୍ରା ଶେଷ। ରାଜ ରାଜେଶ୍ୱରୀ ବେଶରେ ଦର୍ଶନ ଦେଲେ ମା।
ମା ’ ମଙ୍ଗଳାଙ୍କ ଝାମୁଯାତ୍ରା ଶେଷ। ରାଜ ରାଜେଶ୍ୱରୀ ବେଶରେ ଦର୍ଶନ ଦେଲେ ମା।
କାକଟପୁର : (ଏ.ପି. ନ୍ୟୁଜ ସନ୍ତୋଷ ଦାଶଙ୍କ ଠାରୁ) ଆଜି ଥିଲା ବୈଶାଖ ମାସ ପ୍ରଥମ ମଙ୍ଗଳବାର। ପାରମ୍ପରିକ ପ୍ରଥାନୁସାରେ ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ମନ୍ଦିର ରେ ଅନୁଷ୍ଠିତ ହୋଇଥିଲା ପ୍ରସିଦ୍ଧ ଝାମୁଯାତ୍ରା । ଏଥିପାଇଁ ମା’ମଙ୍ଗଳାଙ୍କ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଆଜି ପ୍ରାତଃ ରୁ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁ କାକଟପୁର ରେ ପହଞ୍ଚିଥିଲେ। ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ପୋଲିସ ପ୍ରଶାସନ ପକ୍ଷରୁ ଧାଡ଼ିରେ ମନ୍ଦିର କୁ ପ୍ରବେଶ କରା ଯାଇଥିଲା। ଭକ୍ତ ମାନେ ଧାଡ଼ି ରେ ମନ୍ଦିର ଭିତରକୁ ପ୍ରବେଶ କରି ମାଙ୍କୁ ଦର୍ଶନ କରିଥିଲେ । ଚୈତ୍ର ମାସ ପ୍ରଥମ ମଙ୍ଗଳବାର ଦିନ ମା ମଙ୍ଗଳା ଙ୍କ ମନ୍ଦିର ରେ ନେତୋତ୍ସବ ଠାରୁ ଆରମ୍ଭ ହୋଇଥିବା ମା’ଙ୍କ ଏକ ମାସ ବ୍ୟାପି ଝାମୁ ଯାତ୍ରା ଆଜି ଶେଷ ହୋଇଛି। ଆଜି ଭୋର ୩ ଟା ରୁ ମନ୍ଦିର ଫିଟାଯାଇ ମା’ ଙ୍କ ସ୍ନାନ ମାର୍ଜଣା, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା ପରେ ମାଙ୍କୁ ରାଜରାଜେଶ୍ଵରୀ ବେଶରେ ସଜ୍ଜିତ କରାଯାଇଥିଲା। ଅପରାହ୍ନ ୩ ଟା ରେ ଘଣ୍ଟ ପାଟୁଆ ମାନେ ଏକ ବିରାଟ ଶୋଭାଯାତ୍ରାରେ ପ୍ରାଚୀ ନଦୀ ର ଘଣ୍ଟ ତୋଳା ତୁଠ କୁ ଯାଇ ପାଣି ତୋଳି ଆସିବା ପରେ ଜଗତସିଂହପୁର ଅଞ୍ଚଳ ର ପାଟୁଆ ମାନେ ମନ୍ଦିର କୁ ଯାଇ ମା ‘ ସ୍ତୁତି କରିଥିଲେ। ପୂଜାପଣ୍ଡା ସେମାନଙ୍କୁ ଆଜ୍ଞାମାଳ ପ୍ରଦାନ କରିବା ପରେ ସେମାନେ ମନ୍ଦିର ସମ୍ମୁଖରେ ଝାମୁ ଚାଲିଥିଲେ। ପୁର୍ବରୁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରାୟ ୩ ଫୁଟ ଓସାର ୨ ପୁଟ ଗଭୀର ଓ ୧୦ଫୁଟ ଲମ୍ବର ଏକ ଗର୍ତ୍ତ ଖୋଳାଯାଇ ଗର୍ତ୍ତ କୁ ରଡ଼ ନିଆଁରେ ପୂର୍ଣ୍ଣ କରାଯାଇଥିଲା ।ଝାମୁ ଚାଲିବା ପରେ ପଟୁଆମାନେ ମନ୍ଦିର ସମ୍ମୁଖରେ ଏବଂ ବେଢା ମଧ୍ୟରେ ପଟୁଆ ନୃତ୍ୟ ପରିବେଷଣ କରିଥିଲେ। ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତଥା ସ୍ଥାନୀୟ ତହସିଲଦାର ଅଙ୍କିତା ଅନିନ୍ଦିତା, କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ, ନିମାପଡା ଏସ ଡି ପି ଓ ଜନାର୍ଦ୍ଦନ ପାଢ଼ୀ, କାକଟପୁର ଥାନା ଆଇଆଇସି ଉମେଶ ଚନ୍ଦ୍ର ସାହୁ, ଏ ଏସ ଆଇ ପ୍ରମୋଦ କୁମାର ସେଠୀ ପ୍ରମୁଖ ମନ୍ଦିର ରେ ଉପସ୍ଥିତ ରହି ଝାମୁଯାତ୍ରା ର ତଦାରଖ କରିଥିଲେ। ବ୍ଲକଛକ ଠାରୁ ମନ୍ଦିର ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବିଳମ୍ବିତ ରାତିରେ କାଳୀକା ନୃତ୍ୟ ପରିବେଷଣ ହୋଇଥିଲା।ଝାମୁ ଯାତ୍ରା ପାଇଁ ସମଗ୍ର କାକଟପୁର ଅଞ୍ଚଳ ଲୋକାରଣ୍ୟ ହୋଇ ପଡ଼ିଥିଲା।
ରିପୋର୍ଟ ଓ ଫଟୋ – ସନ୍ତୋଷ ଦାଶ।