ରାଜ୍ୟ

ନିଖୋଜ ୭ମ ଶ୍ରେଣୀ ଛାତ୍ର ଉଦ୍ଧାର

Spread It

ପିପିଲି,୫/୫(ଏପିନ୍ୟୁଜ)ପିପିଲି ଖେଲାର ଅଂଚଳରୁ ନିଖୋଜ ଥିବା ୭ମ ଶ୍ରେଣୀର ଛାତ୍ରଙ୍କୁ ପିପିଲି ପୁଲିସ ଆଜି ମଙ୍ଗଳପୁର ବଜାରରୁ ଉଦ୍ଧାର କରିଛି । ସୂଚନା ଅନୁସାରେ ଛାତ୍ରଜଣକ ଡେଲାଙ୍ଗର ଏକ ସ୍କୁଲରେ ପଢୁଥିଲେ ଏବଂ ହଷ୍ଟେଲରେ ରହୁଥିଲେ । ଖରା ଛୁଟିରେ ଘରକୁ ଆସିଥିଲେ । ପରିବାର ଲୋକେ ପିଲାଟି ପାଇଁ ଏକ ଟ୍ୟୁସନ ଠିକ କରିଥିଲେ । ଛାତ୍ରଜଣକ ଏଥିରେ ନାରାଜ ଥିଲେ । ଏନେଇ ମାଙ୍କ ସହ ତାଙ୍କର ଯୁକ୍ତି ତର୍କ ହୋଇଥିଲା । ଛାତ୍ରଜଣକ ରାଗିକରି ଆଜି ସକାଳ ପ୍ରାୟ ୧୦ଟାବେଳେ ଘରୁ କେଉଁ ଆଡ଼େ ଚାଲିଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ନପାଇବାରୁ ପୁଲିସର ସହାୟତା ଲୋଡ଼ିଥିଲେ । ତୁରନ୍ତ ପିପିଲି ପୁଲିସର ଏକ ଟିମ ଛାନଭିନ କରିଥିଲା । ଛାତ୍ରଜଣଙ୍କ ଦାଣ୍ଡମୁକୁନ୍ଦପୁର ନିକଟ ଏକ ହୋଟେଲରୁ ଖାଇ ଚାଲିଚାଲି ମଙ୍ଗଳପୁର ଯାଇ ସେଠାରେ ବୁଲୁଥିବାର ଖବର ପାଇ ପିପିଲି ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରୀପାଠୀ, ଏସଆଇ ସନ୍ଦୀପ ଦାସ ଓ ସୁରମା ସ୍ୱାଇଁ ପ୍ରମୁଖ ଅପରାହ୍ନ ପ୍ରାୟ ସାଢେ ୨ଟାରେ ସେଠାରେ ପହଁଚି ଛାତ୍ରଜଣଙ୍କୁ ଉଦ୍ଧାର କରିଥିଲେ । ଅଭିଯୋଗର ୫ଘଂଟା ମଧ୍ୟରେ ନିଖୋଜ ଛାତ୍ରଙ୍କୁ ଉଦ୍ଧାର କରିବାରେ ପିପିଲି ପୁଲିସର ସଫଳତାକୁ ସାଧାରଣରେ ପ୍ରସଂଶା କରାଯାଇଛି । ମଙ୍ଗଳପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଉକ୍ତ ଛାତ୍ରଙ୍କୁ ପରିବାର ଲୋକଙ୍କୁ ପିପିଲି ପୁଲିସ ହସ୍ତାନ୍ତର କରିଛି ।

Leave a Reply

Your email address will not be published. Required fields are marked *