ଆଧୁନିକ ଡ଼ିଜିଟାଲ ସ୍ବାସ୍ଥ୍ୟ କିଓସ୍କି ଉଦଘାଟନକଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ନିମାପଡ଼ା,୨୧/୧୦(ଏପିନ୍ୟୁଜ) ନିମାପଡ଼ା ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ ଆଧୁନିକ ଡ଼ିଜିଟାଲ କିଓସ୍କି ଉଦଘାଟନ ହୋଇଛି। ଏହା କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ପ୍ରାଥମିକ ସ୍ବାସ୍ଥ୍ୟ ସେବା ପ୍ରଣାଳୀକୁ ରୂପାନ୍ତର କରିବା ପଥରେ ଗୋଟିଏ ଗୁରୁତ୍ବ ପୂର୍ଣ୍ଣ ପଦକ୍ଷେପ ରାଜ୍ୟସରକାର ଆରମ୍ଭ କରିଛନ୍ତି। ସ୍ବୟଂ ହେଲଥ –ଏଟିଏମ ନାମରେ ଆଜିଠାରୁ ଆଧୁନିକ ଡ଼ିଜିଟାଲ ହେଲଥ କିଓସ୍କି ନିମାପଡ଼ାରେ ଆରମ୍ଭ ହୋଇଛି। ସୁସ୍ଥ ଓଡ଼ିଶା ଦୃଷ୍ଟି ସୁଖୀ ନାମରେ ସମଗ୍ର ଓଡ଼ିଶାର ଦୂରଦୂରନ୍ତ ଅଞ୍ଚଳରେ ରହୁଥିବା ଲୋକମାନେ ଏହି କିଓସ୍କି ଦ୍ବାରା ଶିଘ୍ର ଶସ୍ତା ଓ ଠିକ ଡ଼ାୟଗ୍ନୋଷ୍ଟିକ ସେବା ପାଇପାରିବେ । ରୋଗୀମାନେ ଏହି ସ୍ବାସ୍ଥ୍ୟ ଏଟିଏମ ମାଧ୍ୟମରେ ୧୦୦ରୁ ଅଧିକ ଆବଶ୍ୟକ ପରୀକ୍ଷା କରାଯାଇ ତୁରନ୍ତ ରିପୋର୍ଟ ପାଇପାରିବେ ଓ ଚିକିତ୍ସା କରୁଥିବା ଡ଼ାକ୍ତର ସହ ଭିଡ଼ିଓ ମାଧ୍ୟମରେ କଥାବାର୍ତ୍ତା ହୋଇପାରିବେ। ଏହି ନୂଆ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ କରିବା ଦ୍ବାରା ଡ଼ାକ୍ତରଖାନାରେ କାର୍ଯ୍ୟରତ ଡ଼ାକ୍ତରମାନଙ୍କ କାର୍ଯ୍ୟଭାରକୁ କମାଇବାସହ ଗ୍ରାମାଞ୍ଚଳରେ ପ୍ରତିରୋଧମୂଳକ ସ୍ବାସ୍ଥ୍ୟଚେତନାକୁ ବଢାଇବ। ଏହି କିଓସ୍କି ସ୍ଥାପନ କରିଥିବା ଟେକ୍ନୋଲୋଜି ପାର୍ଟନର ବେଦମାତାକୁ ଅଭିନନ୍ଦନ ଜଣାଇଥିଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା। ଉଦଘାଟନ ଉତ୍ସବରେ ପୁରୀଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ାକ୍ତର ଚନ୍ଦ୍ରଭାନୁ ମିଶ୍ର, ନିମାପଡ଼ା ସ୍ବାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସୁବ୍ରତ ମହାପାତ୍ର, ଫାର୍ମାମାସିଷ୍ଟ ଆଇ ତ୍ରିନାଥ ପାତ୍ର ଏବଂ ନିମାପଡ଼ା ସ୍ବାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ସେବିକାମାନେ ଉପସ୍ଥିତ ଥିଲେ।