ଶିକ୍ଷା

ପିପିଲି ଏନଏସି ଘେରିଲା ବିଜେପି, ୭୨ ଘଂଟା ମଧ୍ୟରେ ଅଭିଯୁକ୍ତ ଗିରଫ ନହେଲେ ପୁଣି ଆନ୍ଦୋଳନ

Spread It

 

ପିପିଲି,୨୩/୫(ଏପିନ୍ୟୁଜ) ସହରାଂଚଳ ବିକାଶ ଯୋଜନାରେ ପିପିଲି ପୌରାଂଚଳରେ ‘୫ଶହ କ୍ଷମତା ବିଶିଷ୍ଠ ବହୁମୁଖି ପ୍ରସସ୍ଥ ଗୃହ’(କଲ୍ୟାଣ ମଣ୍ଡପ) ନିର୍ମାଣ ନିମନ୍ତେ ସ୍ଥାପିତ ହୋଇଥିବା ଶିଳାନ୍ୟାସ ଫଳକ ଭାଙ୍ଗିବା ଘଟଣାକୁ ସ୍ଥାନୀୟ ପିପିଲି ଏନଏସି ନଗର ବିଜେପି ତୀବ୍ର ବିରୋଧ କରିଛି । ଫଳକ ଭଙ୍ଗା ଘଟଣା ପ୍ରତିବାଦରେ ଅଭିଯୁକ୍ତଙ୍କୁ ଗିରଫ ଦାବୀରେ ଆଜି ବିଜେପି ନେତା ତଥା ପୂର୍ବତନ ଉପ ନଗରପାଳ ସୁକାନ୍ତ ଭଟ୍ଟଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ପିପିଲି ଏନଏସି କାର୍ଯ୍ୟାଳୟ ଦୀର୍ଘ ୩ଘଂଟା ଧରି ଘେରାଉ କରିଥିଲେ । ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ପ୍ରତି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଘଟଣା ସ୍ଥଳରେ ଉପସ୍ଥିତ ଥିବା ତହସିଲଦାର ହୃଷିକେଶ ତ୍ରୀପାଠୀ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନା ଓ ପିପିଲି ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରୀପାଠୀ ପ୍ରତିଶୃତି ଦେବାରୁ ଆନ୍ଦୋଳନ ହଟିଥିଲା । ତେବେ ୭୨ଘଂଟା ମଧ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ, ଫଳକ ପୁନଃନିର୍ମାଣ କରାନଗଲେ ପୁଣି ବିଜେପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ବିଜେପି ନେତା ଶ୍ରୀ ଭଟ୍ଟ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ସୂଚନା ଅନୁସାରେ ପିପିଲି ପଂଚାୟତ ଶିଳ୍ପ ପରିସରରେ ବୁଧବାର ଦିନ ପୁରୀ ସାଂସଦ ଡା଼.ସମ୍ବିତ ପାତ୍ର ଓ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ତେବେ ଶିଳାନ୍ୟାସର ଦିନକ ପରେ ଅର୍ଥାତ ଗୁରୁବାର ଦିନ ଦୁବୁର୍ତମାନେ ଫଳକଟିକୁ ଭାଙ୍ଗି ଦେଇଥିଲେ । ଏହି ଫଳକକୁ ପିପିଲି ଏନଏସି ନଗରପାଳ ସେକ ବାବୁ ଓ ତାଙ୍କର କେଇଜଣ କାଉନସିଲର ଓ ମହିଳା କାଉନସିଲରଙ୍କ ସ୍ୱାମୀମାନେ ଭାଙ୍ଗିଛନ୍ତି ବୋଲି ପିପିଲି ଏନଏସି ସାଂସଦ ପ୍ରତିନିଧି ସୁକାନ୍ତ ଭଟ୍ଟ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ପିପିଲି ଥାନା କେସ ନଂ.୩୧୫/୨୫ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଶ୍ରୀ ତ୍ରୀପାଠୀ ସୂଚନା ଦେଇଛନ୍ତି । ଏହି ଅଭାବନୀୟ ଘଟଣାକୁ ନେଇ ପିପିଲିରେ ରାଜନୈତିକ ବିବାଦ ଆରମ୍ଭ ହୋଇଛି । ବିଜେପି ବିଜେଡ଼ି ମଧ୍ୟରେ ମୁଁହାମୁଁହି ପରିସ୍ଥିତି ସୃଷ୍ଟି ହୋଇଛି । ପିପିଲିରେ ଆଶ୍ରିତ ପଟ୍ଟନାୟକ ବିଜେପି ବିଧାୟକ ହୋଇଥିବାବେଳେ ପିପିଲି ଏନଏସିରେ ବିଜେଡ଼ି କ୍ଷମତାରେ ଅଛି ଓ ବିଜେଡ଼ିର ସେକ ବାବୁ ନଗରପାଳ ଅଛନ୍ତି । ପ୍ରାୟ ୨କୋଟି ୭୪କ୍ଷ ଟଙ୍କା ବ୍ୟୟରେ ପିପିଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ପ୍ରକଳ୍ପ ନିର୍ମାଣ କରୁଛି । ଏଥିନିମନ୍ତେ ଟେଣ୍ଡର ମଧ୍ୟ ସରିଛି । ଏହି ଘଟଣାକୁ ବିଧାୟକ ଆଶ୍ରିତ ପଟ୍ଟନାୟକ ତୀବ୍ର ନିନ୍ଦା କରିଛନ୍ତି । ବିକାଶରେ ବାଧା ସୃଷ୍ଟି କରୁଥିବା ଯେକୌଣସି ଶକ୍ତିକୁ ବରଦାସ୍ତ କରାଯିବନି ବୋଲି ସେ ଆଜି ଗଣମାଧ୍ୟମକୁ କହିଛନ୍ତି । ଏହି ଆନ୍ଦୋଳନରେ ପୁରୀ ଜିଲ୍ଲା ବିଜେପି ସଭାପତି ଦେବେନ୍ଦନାଥ ତରାଇ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଜୟନ୍ତ କୁମାର ଦାସ, ପିପିଲି ନଗର ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଗାୟତ୍ରୀ ଦୀକ୍ଷିତ, ବିଜେପି ନେତା ଉମାକାନ୍ତ ନାୟକ, ଅଭୟ ନାଥ, ଗଙ୍ଗାଧର ବରାଳ, ରାମଚନ୍ଦ୍ର ମହାପାତ୍ର, ସୁକାନ୍ତ ଦାଶ, ସତ୍ୟବାଦୀ ମିଶ୍ର, ପ୍ରଦୀପ ସାହୁ, ଆଲେଜହୁର ଖାନ, ଅଲ୍ଲି ବାବୁଲା ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *