ରାଜ୍ୟ

ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ଉପଖଣ୍ଡ ଡାକ୍ତରଖାନା ର ମାନ୍ୟତା ଦାବି।

Spread It
 
ଚାରିଛକ  (ଏ.ପି ନ୍ୟିୁଜ)(ସନ୍ତୋଷ ଦାଶ)ପୁରୀ ଜିଲ୍ଲାର ସର୍ବପୁରାତନ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ଉପଖଣ୍ଡ ଡାକ୍ତରଖାନା ର ମାନ୍ୟତା ଦେବାକୁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିବା ସତ୍ତ୍ବେ ସରକାର ଏଥିପ୍ରତି ଦୃଷ୍ଟି ଦେଉ ନଥିବାରୁ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।ଏହି ତ୍ରିଂଶଶଯ୍ୟା ବିଶିଷ୍ଟ ସ୍ବାସ୍ଥ୍ୟକେନ୍ଦ୍ରଟି ୧୯୮୧ରେ ପ୍ରତିଷ୍ଠା ହୋଇଥିଲା। ଡାକ୍ତରଖାନାଟି ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ମାନ୍ୟତା ପାଇଲେ ଚାରିଛକ, ଗୋପ, ନିମାପଡ଼ା, ନିଆଳି, ଜଗତସିଂହପୁର, କାକଟପୁର, ନୟାହାଟ ଆଦି ଅଞ୍ଚଳର ହଜାର ହଜାର ସଂଖ୍ୟାର ରୋଗୀ ସୁବିଧାରେ ଅତ୍ୟାଧୁନିକ ଓ ତ୍ବରିତ ଚିକିତ୍ସା ପାଇପାରନ୍ତେ। ଏଠାରେ ଶବ ବ୍ୟବଚ୍ଛେଦ କେନ୍ଦ୍ର, ଅଲଟ୍ରା ସାଉଣ୍ଡ, ଡିଜିଟାଲ୍ ଏକ୍ସରେ, ଫିଜିଓଥେରାପି କେନ୍ଦ୍ର, ରକ୍ତ, ମଳ, ମୂତ୍ର ଓ କଫ ଆଦି ପରୀକ୍ଷା ନିମନ୍ତେ ଉନ୍ନତମାନର ଲାବ୍ରୋଟାରି ରହିଥିଲେ ମଧ୍ୟ କର୍ମଚାରୀ ଅଭାବ ଓ ବିଭାଗୀୟ ଅଧିକାରୀଙ୍କ ଅଣଦେଖା କାରଣରୁ ଜନସାଧାରଣ ଉପକୃତ ହୋଇପାରୁ ନାହାନ୍ତି। ବିଶେଷ କରି ଡାକ୍ତରମାନଙ୍କ ପାଇଁ କ୍ବାଟର୍ସ ସୁବିଧା ନଥିବାରୁ ଡାକ୍ତରମାନେ ପୁରୀ ଏବଂ ଭୁବନେଶ୍ଵରରୁ ଦୈନନ୍ଦିନ ଯିବା ଆସିବା କରୁଥିବାରୁ ରୋଗୀ ସେବାରେ ସମସ୍ୟା ଦେଖାଦେଉଛି ` .ଏହି ସ୍ବାସ୍ଥକେନ୍ଦ୍ରରେ ଆବଶ୍ୟକ ଡାକ୍ତର, ଫାର୍ମାସିଷ୍ଟ ଓ ନର୍ସମାନଙ୍କ ଅଭାବ ଯୋଗୁ ଜନସାଧାରଣ ଘରୋଇ ଡାକ୍ତରଖାନା ଯିବାକୁ ବାଧ୍ୟ ହେଉଛନ୍ତି। ଏଠାରେ ଥିବା ନିରାମୟ ଯୋଜନାରେ ରୋଗୀମାନଙ୍କୁ ମାଗଣାରେ ଔଷଧ ପ୍ରଦାନ କରାଯିବାର ବ୍ୟବସ୍ଥା ଥିଲେ ମଧ୍ୟ ଏହା ୨୪ ଘଣ୍ଟା ଖୋଲାଯାଉ ନଥିବାରୁ ରୋଗୀମାନେ ବାହାରୁ ଔଷଧ ନେଇ ଖର୍ଚ୍ଚାନ୍ତ ହେଉଛନ୍ତି। ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ସୁନ୍ଦର ଔଷଧୀୟ ବଗିଚା ସହିତ ପରିସର ସଫା ସୁତୁରା ରହିଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଏକ ସୁନ୍ଦର ଫାଟକ ନିର୍ମାଣ ସହିତ ଯାନ ବାହାନ ଆଦି ରହିବା ପାଇଁ ଷ୍ଟାଣ୍ଡ, ରୋଗୀ ମାନଙ୍କ ପାଇଁ ସୁଲଭ ଶୌଚାଳୟର ବ୍ୟବସ୍ଥା ଥିଲେ ମଧ୍ୟ ଏହାର ରକ୍ଷଣାବେକ୍ଷଣ ପାଇଁ କର୍ମଚାରୀ ଅଭାବ ଯୋଗୁ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏଠାରେ ସୂଚନାଯୋଗ୍ୟ, ଉକ୍ତ ଡାକ୍ତରଖାନାଟି ପୁରୀ ଜିଲ୍ଲାର ଅନ୍ୟତମ ସର୍ବ ପୁରାତନ ସ୍ବାସ୍ଥ୍ୟକେନ୍ଦ୍ର ହୋଇଥିଲେ ସୁଦ୍ଧା ସରକାର ଯେଉଁ ଭଳି ଗୁରୁତ୍ବ ଦେବାକଥା ତାହା ଦେଉ ନାହାନ୍ତି। ଏଠାରେ ୪ଟି ବିଶେଷଜ୍ଞ ସମେତ ୨୧ଟି ଡାକ୍ତର ପଦ ରହିଛି। କିନ୍ତୁ କୌଣସି ଗୋଟିଏ ବିଶେଷଜ୍ଞ ପଦରେ ସ୍ଥାୟୀ ଡାକ୍ତର ନଥିବା ବେଳେ ଫାର୍ମାସିଷ୍ଟ ୩ରୁ ଜଣେ ଓ ନସିଂ ଅଫିସର ୧୭ଜଣରୁ ୧୦ଜଣ ଥିବା ଜଣାପଡିଛି । କେବଳ ଜଣେ ପ୍ରସୂତି ଓ ସ୍ତ୍ରୀରୋଗ ଡାକ୍ତର ଙ୍କ ସମେତ ଚାରିଜଣ ଏମ୍‌ବିବିଏସ୍ ଓ ଆୟୁଷ ଡାକ୍ତରଙ୍କ ଦ୍ଵାରା ପାଳିରେ ରୋଗୀସେବା ଚାଲିଛି ।
 
 
 

Leave a Reply

Your email address will not be published. Required fields are marked *