ରାଜ୍ୟ

ନିମାପଡ଼ା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

Spread It

 ନିମାପଡ଼ା(ଏପି ନ୍ୟୁଜ)ଆସନ୍ତା ୨୫ରୁ ୨୭ ତାରିଖ ଦୀର୍ଘ ୩ଦିନ ଧରି ପାଳନ ହେବାକୁ ଥିବା ନିମାପଡ଼ାର ଗଣପର୍ବ ନିମାପଡ଼ା ମହୋତ୍ସବକୁ ଅଧିକ ସରସ ସୁନ୍ଦର ତଥା ଆକର୍ଷଣୀୟ କରିବା ନିମନ୍ତେ ଆଜି ଅପରାହ୍ନରେ ବ୍ଲକ ଅଭ୍ୟର୍ଥନା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ମହୋତ୍ସବ କମିଟିର ଆବାହକ ତଥା ବିଡ଼ିଓ ଡ଼ଃ ଅଭିଜିତ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏନଏସି ନିର୍ବାହୀ ଅଧିକାରୀ ଚିନ୍ମୟ ଦାସ, ଅତିରିକ୍ତ ତହସିଲଦାର କେ.ଭେଙ୍କଟେଶ୍ୱର ରାଓ, ଥାନା ଆଇଆଇସି ସମରେନ୍ଦ୍ର ପାଇକରାୟ, ଉପମୁଖ୍ୟମନ୍ତ୍ରୀ ପ୍ରତିନିଧି ଯଚିନ୍ଦ୍ର ସ୍ୱାଇଁ, ଏମପି ପ୍ରତିନିଧି ମିନଲତା ମହାନ୍ତି, ହେଲ୍ପଲାଇନର ସଭାପତି ଅକ୍ଷୟ ସାହୁ, ସମ୍ପାଦକ ନିଗମାନନ୍ଦ ସାହୁ, ଏନଏମଆଇଟି ପରିଚାଳନା ନିର୍ଦ୍ଦେଶକ ଶୀଳ୍ପା ପରିଡ଼ା ପ୍ରମୁଖ ସାମିଲ ଥିଲେ। ଚଳିତବର୍ଷ ମହୋତ୍ସବର ରୌପ୍ୟ ଜୟନ୍ତୀ ପୂର୍ତ୍ତୀ ପାଳନ କରାଯାଉଥିବାରୁ ଏହାକୁ ଅଧିକ ଆକର୍ଷଣୀୟ ଏବଂ ସ୍ୱତନ୍ତ୍ର କରିବା ନିମନ୍ତେ ଦୋଳବେଦୀ ଛକଠାରୁ ମହୋତ୍ସବ ପଡ଼ିଆ ପର୍ଯ୍ୟନ୍ତ ଆଲୋକୀକରଣ କରାଯିବା ସହିତ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ବ୍ୟବସାୟ ପ୍ରତିଷ୍ଠାନରେ ଆଲୋକ ସାଜସଜ୍ଜା କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ହେଲ୍ପଲାଇନ ସଭାପତି ଅକ୍ଷୟ ସାହୁ ଜଣାଇଛନ୍ତି। ସେହିଭଳି ନୂଆ ବସଷ୍ଟାଣ୍ଡ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ମୁଖ୍ୟ ବଜାର ଅତିକ୍ରମ କରି ମହୋତ୍ସବ ପଡ଼ିଆରେ ଶେଷ ହେବ। ଏହି ଶୋଭାଯାତ୍ରାରେ ଅଞ୍ଚଳରୁ ଲୋପ ପାଇଯାଉଥିବା ଲୋକ ସଂସ୍କୃତି ଧୁଡୁକି, ଦାସକାଠିଆ, କୀର୍ତ୍ତନ, ପାଇକ ଆଖଡ଼ା ଆଦି ଲୋକନୃତ୍ୟର କଳାକାରମାନେ ସେମାନଙ୍କର କଳା ନୈପୁଣ୍ୟ ପ୍ରଦର୍ଶନ କରିବେ ବୋଲି ସମ୍ପାଦକ ନିଗମାନନ୍ଦ ସାହୁ କହିଛନ୍ତି।

Leave a Reply

Your email address will not be published. Required fields are marked *