ପ୍ରାଚୀ ପରିକ୍ରମା ଆଜି ଠାରୁ, ୧୩ ରେ ପୂର୍ଣ୍ଣାହୂତି
ପୁରୀ ୭/୨ (ଏ.ପି ନ୍ୟିୁଜ) ନଦୀର ସ୍ବଛତା, ପବିତ୍ରତା ଓ ସୁରକ୍ଷା ପାଇଁ ପ୍ରାଚୀ ପରିକ୍ରମା ଚାରିଟେବୁଲ ଟ୍ରଷ୍ଟ ଗଠିତ ହୋଇ କାର୍ଯ୍ୟ କରୁଛି।ଶ୍ରୀ ଗୁରୁଜୀ ପରମହଂସ ପ୍ରଜ୍ଞାନନ୍ଦ ଜୀ ମହାରାଜ ଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନ ରେ ଏହା ପ୍ରତି ବର୍ଷ ଆୟୋଜିତ ହୋଇଆସୁଛି। ଚଳିତ ମାସ ୭ ତାରିଖ ଅର୍ଥାତ ଆଜି ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଏକାଧିକ ଜିଲ୍ଲାର ବିଭିନ୍ନ ସ୍ଥାନ ପରିକ୍ରମା ଓ ସଚେତନତା ସୃଷ୍ଟି କରି ୧୩ ତାରିଖରେ ପୂର୍ଣ୍ଣାହୂତି ହେବ ବୋଲି ସ୍ଥିର ହୋଇଛି। ଏହାର ସଫଳ ଓ ଶୃଙ୍ଖଳିତ ଆୟୋଜନ ପାଇଁ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ କାର୍ଯ୍ୟ ସମ୍ପାଦନ ପାଇଁ ବିଭିନ୍ନ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା।ପ୍ରାଚୀ ପରିକ୍ରମା ପଦଯାତ୍ରା ଆଜି କଟକ ଜିଲ୍ଲାର ନିଆଳି ତହସିଲ ଅଧିନ ଶ୍ରୀଅନ୍ଧ କପିଳେଶ୍ୱର ମନ୍ଦିର ଠାରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ବାହାରି ଥିଲା।ସଂକୀର୍ତ୍ତନ, ଯୋଡି ଶଙ୍ଖ,ଘୋଡ଼ା ନାଚ,ଘଣ୍ଟ ପାଟୁଆ ଏହି ଶୋଭାଯାତ୍ରାରେ ସାମିଲ ହୋଇ ନୂଆଗାଁ ର ରାଧାକାନ୍ତ ମଠ ପର୍ଯ୍ୟନ୍ତ ଆସି ସେଠାରେ ରାତ୍ରି ଯାପନ କରିଥିଲେ।ରାତ୍ରି ଯାପନ ସ୍ଥଳରେ ପାଲା ପରିବେଷଣ କରାଯାଇଥିଲା।୮ ତାରିଖ ପୂର୍ବାହ୍ନରେ ପଦଯାତ୍ରା ବାହାରି ଆର୍ତ୍ତତ୍ରାଣ ଗାଦି ମୁଷି ବାବା ମଠ ଜଲ୍ଲାରପୁର ହୋଇ ମାଧବାନନ୍ଦ ମନ୍ଦିର ରେ ରାତ୍ରି ଯାପନ କରିବେ।୯ ତାରିଖରେ ସେଠାରୁ ବେତଣ୍ଡା ନିଆଳି ହୋଇ କାକଟପୁର ତହସିଲର ଦେଉଳି ମଠରେ ରାତ୍ରି ଯାପନ କରିବେ।୧୦ ତାରିଖରେ ସେଠାରୁ ବାହାରି ଅସ୍ତରଙ୍ଗ ତହସିଲ ର କେଲୁଣୀ ମୁହାଣ କେଉଟଜଙ୍ଗା ଠାରେ ରାତ୍ରି ଯାପନ କରିବେ।୧୧ ତାରିଖରେ ସେଠାରୁ ବାହାରି କାକଟପୁର ର ଜଗନ୍ନାଥ ମନ୍ଦିର ଦେଇ ଗୋପ ତହସିଲର ପ୍ରାଚୀ ଗୁରୁ ଧର୍ମକ୍ଷେତ୍ର ନୂଆମଠ ନୂଆହାଟ ଠାରେ ପହଞ୍ଚି ରାତ୍ରି ଯାପନ କରିବେ।୧୨ ତାରିଖରେ ନିମାପଡ଼ା ତହସିଲର ଶଙ୍ଖ ପଡା ଦଶହରା ପଡିଆ ହୋଇ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ତହସିଲର ଦେଉଳିଧରପୁର ବୁଦ୍ଧିକେଶ୍ବର ମନ୍ଦିର ରେ ରାତ୍ରି ଯାପନ କରିବେ।ପଦଯାତ୍ରା ରାତ୍ରି ଯାପନ କରୁଥିବା ସ୍ଥାନ ମାନଙ୍କରେ ପ୍ରତି ସଂଧ୍ୟାରେ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ର ବ୍ୟବସ୍ଥା କରାଯାଇଛି। ୧୩ ତାରିଖରେ ପଦଯାତ୍ରା ଶ୍ରୀଅନ୍ଧ କପିଳେଶ୍ୱର ମନ୍ଦିର ରେ ପହଞ୍ଚିବେ।ସେଠାରେ ପୂର୍ଣ୍ଣାହୂତି ସମ୍ପର୍ଣ୍ଣର କାର୍ଯ୍ୟ ସୂଚୀ ଧାର୍ଯ୍ୟ ହୋଇଛି।ପୁରୀ ଜିଲ୍ଲା ପରିକ୍ରମା ସମୟରେ ରହଣି ବ୍ୟବସ୍ଥା, ପାନୀୟ ଜଳ,ଶୌଚାଳୟ, ଆଲୋକ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ ସମ୍ପୃକ୍ତ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ କାକଟପୁର, ଅସ୍ତରଙ୍ଗ, ଗୋପ ବ୍ଲକ ର ବିଡ଼ିଓ, ଆଇଆଇସି,ଅନ୍ୟାନ୍ୟ ଅଧିକାରୀ,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ,ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।ପ୍ରାଚୀ ପରିକ୍ରମା ଚାରିଟେବୁଲ ଟ୍ରଷ୍ଟର ସଂଯୋଜକ ପ୍ରିୟବ୍ରତ କର,ରାଜ କିଶୋର ନନ୍ଦ ସମସ୍ତଙ୍କୁ ସ୍ବାଗତ ସହ କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦେଇ କାର୍ଯ୍ୟ ର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
