ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ।
ଚାରିଛକ , (ସନ୍ତୋଷ ଦାଶ) ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଚାରିଛକ ସ୍ଥିତ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ର ଯୁବ ରେଡକ୍ରସ ଆନୁକୂଲ୍ୟରେ ଚାରିଛକ ନିକଟସ୍ଥ ଗଡ଼ଇଟାପୋଖରୀ ସ୍ଥିତ ଆଶ୍ରମ ବାଳିକା ବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ମିଶ୍ରଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ଼ଃ. ଅଶୋକ କୁମାର ବିଶ୍ୱାଳ ଯୋଗଦେଇ ବିକଶିତ ଭାରତ ଏବଂ ସମୃଦ୍ଧ ଓଡିଶା ସଂକଳ୍ପର ମୂଳ ଆଧାର ହେଉଛି ନାରୀ ଶକ୍ତି ।ନାରୀ ସଶକ୍ତିକରଣ ଦ୍ୱାରା ସମାଜ ଆଗକୁ ବଢିବ ବୋଲି ପ୍ରକାଶ କରିଥିଲେ। ଆନ୍ତର୍ଜାତୀୟ ମହିଳା ଦିବସ ଏକ ସଚେତନତାର ଦୀପଶିଖା, ଏକ ସଂକଳ୍ପ ଏବଂ ଏକ ଆନ୍ଦୋଳନର ପ୍ରତୀକ ଅଟେ ବୋଲି ସେ କହିଥିଲେ ।ମହାବିଦ୍ୟାଳୟର ଯୁବ ରେଡ଼କ୍ରସ କାଉନସେଲର ତଥା ଶିକ୍ଷା ବିଭାଗ ମୁଖ୍ୟ ଡ଼ଃ. ଶ୍ରୀଲେଖା ନାୟକ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କ ରେ ଅବଗତ କରିଥିଲେ। ସମ୍ମାନୀତ ଅତିଥି ଭାବେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରିଣୀ ଶ୍ରୀମତୀ କାନନବାଳା ନନ୍ଦ ଏବଂ ଗୋପବନ୍ଧୁ ମେମୋରିଆଲ ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଅର୍ଜୁନ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ସଂସ୍କୃତ ବିଭାଗ ଅଧ୍ୟାପକ ଶ୍ରୀମାନ ଜୀବନ ଦାଶ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । କୋମଳମତୀ ବାଳିକା ମାନଙ୍କର ସାମାଜିକ ଜ୍ଞାନର ବିକାଶ ପାଇଁ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ସ୍ବେଛାସେବୀମାନଙ୍କ ଦ୍ୱାରା ସଂଗୀତ ଭିର୍ତ୍ତିକ ନୃତ୍ୟ ନାଟିକା ପରିବେଷଣ କରା ଯାଇଥିଲା ।ମହିଳାମାନଙ୍କର ସମାଜରେ ଭୂମିକା ଉପରେ ଏକ ଚିତ୍ରାଙ୍କନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଜଗନ୍ନାଥ ପଣ୍ଡା, ଡେମୋନଷ୍ଟ୍ରେଟର ରୂପଶ୍ରୀ ବରାଳ, ଦିବାକର ବେହେରା, ଚିନ୍ମୟ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ଗ୍ରାମ୍ୟ କମିଟିର ସମ୍ପାଦକ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ବିଦ୍ୟାଳୟର ଛାତ୍ରୀମାନେ ପାରମ୍ପରିକ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ ।
