ରାଜ୍ୟ

ଚତୁର୍ଦ୍ଧା ବିଗ୍ରହ ଙ୍କ ପାଇଁ ମାଧବ ରୁ ଶ୍ରୀ କ୍ଷେତ୍ର ଗଲା ପୋଢୁଁଆ ଭାର।

Spread It

ଚାରିଛକ,(ସନ୍ତୋଷ ଦାଶଏ.ପିନ୍ୟିୁଜ) ରାତି ପାହିଲେ ମାର୍ଗଶିର ମାସ ଅଷ୍ଟମୀ ତିଥି । ଯାହା ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ରେ ପୋଢୁଁଆ ଅଷ୍ଟମୀ ପର୍ବ ଭାବେ ପାଳିତ ହୋଇଥାଏ। ପରିବାର ର ଜ୍ୟେଷ୍ଠ ସନ୍ତାନ ମାନଙ୍କ ପାଇଁ ମାମୁଁ ଘରୁ ଆସିଥାଏ ପୋଢୁଁଆ ଭାର। ନବ ବସ୍ତ୍ର ସହିତ ଫଳ ମୂଳ, ପିଠା ପଣା ଆସିଥାଏ ମାମୁଁ ଘରୁ। ସେହି ପରମ୍ପରା ପ୍ରାଚୀ ଉପତ୍ୟକା ର ଦୂର୍ଗାମାଧବ ମନ୍ଦିର ରେ ପ୍ରଚଳିତ ରହି ଆସିଛି। ପ୍ରାଚୀ ଉପତ୍ୟକା ର ଦୂର୍ଗାମାଧବ ମନ୍ଦିର ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ମାମୁଁ ଘର ବୋଲି ଲୋକକଥା ଓ କିମ୍ୱଦନ୍ତୀ ରହିଛି।ଏଥିପାଇଁ ଆଜି ମାଧବ ମନ୍ଦିର ରୁ ଛତିଶା ନିଯୋଗ ର ସେବକ ମାନେ ଏକ ବିରାଟ ଶୋଭାଯାତ୍ରା ରେ ତୁଳସୀ,ଫଳ ମୂଳ, ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ଼, ପାଚିଲା କଦଳୀ, ଗୁଆ ଘିଅ, ଚନ୍ଦନ କାଠ, କର୍ପୁର, ଅଗୁରୁ, ଲବଙ୍ଗ, ଅଳେଇଚ , ପାଟବସ୍ତ୍ର,ଗୀତ ଗୋବିନ୍ଦ ଖଣ୍ଡୁଆ, ପଦ୍ମ ଫୁଲ ପ୍ରଭୃତି ର ଭାର ନେଇ ପୁରୀ ଶ୍ରୀ କ୍ଷେତ୍ର ଯାତ୍ରା କରିଛନ୍ତି। ଏହି ଶୋଭାଯାତ୍ରା ରେ ମାଧବ ମନ୍ଦିର ର ସେବକ, ମାଧବ ବିକାଶ ପରିଷଦ,ଜଗନ୍ନାଥ ପ୍ରେମୀ, ମାଧବ ପ୍ରେମୀ , ସ୍ଥାନୀୟ ଲୋକ ପ୍ରତିନିଧି ମାନେ ସାମିଲ ହୋଇଥିଲେ। ବେହେରା ସେବକ ମାନେ ଭାର ସବୁ କାନ୍ଧେଇ ଥିବା ବେଳେ ଗଡୁଆ ସେବକମାନେ ନିଜ ନିଜ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ସବୁ ହାତରେ ଧରି ଏହି ଶୋଭାଯାତ୍ରା ରେ ସାମିଲ ହୋଇ ଥିଲେ। ପୁରୀ ଶ୍ରୀ କ୍ଷେତ୍ର ରେ ପହଞ୍ଚିବା ପରେ ଏହି ଭାର ସବୁ ଶ୍ରୀ ମନ୍ଦିର ପ୍ରଶାସନ ନିକଟରେ ଦାଖଲ କରାଯିବ।ବେହେରା ସେବକ ମାନେ ଶୋଭାଯାତ୍ରା ରେ ବାଡ଼ି ଖେଳ ପ୍ରଦର୍ଶନ କରିଥିବା ବେଳେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଜୟ ଜଗନ୍ନାଥ ଓ ଜୟ ମାଧବାନନ୍ଦ ଧ୍ଵନୀ ରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇ ପଡ଼ିଥିଲା। ବିଭିନ୍ନ ସ୍ଥାନରେ ପୋଢୁଁଆ ଭାର ଯାତ୍ରା ରେ ସାମିଲ ହୋଇଥିବା ଶ୍ରଦ୍ଧାଳୁ ମାନଙ୍କୁ ପଣା, ଜଳଖିଆ, ହବିଷ ଭୋଜନ ପ୍ରଦାନ କରା ଯାଇଥିଲା। ଗତ ୨୦୧୯ ମସିହା ରୁ ପ୍ରତିବର୍ଷ ଅନୁଷ୍ଠିତ ହୋଇ ଆସୁଥିବା ଏହି ପୋଢୁଁଆ ଭାର ଯାତ୍ରା କୁ ସରକାର ହାତ କୁ ନେଇ ଆୟୋଜନ କଲେ ଏହି ଆଧ୍ୟାତ୍ମିକ ଯାତ୍ରା ସାରା ରାଜ୍ୟରେ ପ୍ରସିଦ୍ଧି ଲାଭ କରିବା ସହିତ ପ୍ରାଚୀ ଉପତ୍ୟକା ଏବଂ ପୁରୀ ଶ୍ରୀ କ୍ଷେତ୍ର ମଧ୍ୟରେ ଏକ ଆଧ୍ୟାତ୍ମିକ ଭାବ ସମ୍ପର୍କ ଯୋଡ଼ି ହୋଇ ପାରନ୍ତା ବୋଲି କହିଛନ୍ତି ପୁରୀ କୋଠ ଭୋଗ ମଠ ର ମାର୍ଫତଦାର ତଥା ମାଧବ ମନ୍ଦିର ର ହେରିଟାରି ଟ୍ରଷ୍ଟି।

Leave a Reply

Your email address will not be published. Required fields are marked *