ଅଁଳା ବୃକ୍ଷ ମୂଳରେ ଶ୍ରଦ୍ଧାଳୁ ଙ୍କ ପୂଜାର୍ଚ୍ଚନା।
ଚାରିଛକ ଏ.ପି ନ୍ୟିୁଜ),(ସନ୍ତୋଷ ଦାଶ) ଆଜି ଥିଲା ପବିତ୍ର କାର୍ତ୍ତିକ ମାସ ର ଶୁକ୍ଳ ନବମୀ ତିଥି। ଅଁଳା ନବମୀ ତିଥିରେ ଅଁଳା ବୃକ୍ଷକୁ ପୂଜା ଓ ପରିକ୍ରମା ପୂର୍ବକ ତା’ରି ମୂଳରେ ଭୋଜନ ପ୍ରସ୍ତୁତ କରି ବିଷ୍ଣୁ ଓ ଶିବଙ୍କୁ ଭୋଗ ଲଗେଇଲେ ସମଗ୍ର କାର୍ତ୍ତିକ ମାସର ପୁଣ୍ୟ ଗୋଟିଏ ଦିନରେ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଚାରିଛକ, ନିମାପଡ଼ା, କାକଟପୁର,ନୟାହାଟ ଅଞ୍ଚଳ ର ବିଭିନ୍ନ ଗ୍ରାମରେ କାର୍ତ୍ତିକ ବ୍ରତଧାରୀ ଶ୍ରଦ୍ଧାଳୁ ଓ ରାଇ ଦାମୋଦର ପୂଜା କରୁଥିବା ବିଧବା ମହିଳା ମାନେ ନିଜ ପରିବାର ଓ ସନ୍ତାନ ଙ୍କର ମଙ୍ଗଳ କାମନା କରି ଅଁଳାଗଛକୁ ପୂଜା କରିଥିଲେ । ଅଁଳା ବୃକ୍ଷ କୁ ହଳଦୀ, ସିନ୍ଦୂର ଆଦି ଲଗାଇବା ପରେ ଗଛମୂଳ ରେ କ୍ଷୀର ଅର୍ପଣ କରାଯାଇଥିଲା। ଶ୍ରଦ୍ଧାଳୁ ଓ ବ୍ରତ ଧାରୀ ମାନେ ଗଛକୁ ପରିକ୍ରମା କରି ଗଛରେ ନାଲି ସୂତା ବାନ୍ଧି ଥିଲେ। ପୂଜା ପରେ ବୃକ୍ଷ ମୂଳରେ କାର୍ତ୍ତିକ ପୁରାଣ ପାଠ କରାଯାଇ ଥିଲା ।ହବିଷ୍ୟାଳି ଓ ଶ୍ରଦ୍ଧାଳୁ ମାନେ ଅଁଳା ଗଛ ମୂଳରେ ହବିଷାନ୍ନ ରାନ୍ଧି ବୃକ୍ଷ କୁ ପୂଜା ଲଗାଇବା ପରେ ସମସ୍ତେ ବୃକ୍ଷ ମୂଳରେ ପ୍ରସାଦ ସେବନ କରିଥିଲେ। ପଦ୍ମପୁରାଣ ଅନୁଯାୟୀ, ଏହି ଦିନ ଅଁଳା ବୃକ୍ଷକୁ ପୂଜା କରି ହବିଷାନ୍ନ ଭୋଗ ଲାଗି କଲେ ଉଭୟ ବିଷ୍ଣୁ ଓ ମହେଶ୍ୱର ଙ୍କ ଆଶୀବାଦ ପ୍ରାପ୍ତ ହୋଇଥାଏ। ଅଁଳା ନବମୀ ତିଥି ପାଇଁ ଗାଁ ଗୁଡ଼ିକରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ଥିଲା।
