ମିଲର ଦୁଆରକୁ ଧାନ ବିକ୍ରି କରିବାକୁ ଆସି ଚାଷୀ ଶୋଷଣର ଶିକାର
ନିମାପଡ଼ା, ୨୨/୬(ଏପିନ୍ୟୁଜ) ମଣ୍ଡି ନାମକୁ ମାତ୍ର ସରକାରୀ କାଗଜପତ୍ରରେ ଖୋଲାଯାଇଛି। ମଣ୍ଡିରୁ ଧାନ କିଣିବାପାଇଁ ତାଲିକା ହୋଇଥିବା ମିଲରମାନେ ମଣ୍ଡିକୁ ନଯାଇ ଚାଷୀମାନଙ୍କୁ ମିଲକୁ ଆସି ଧାନ ବିକ୍ରି କରିବାକୁ ବାଧ୍ୟ କରୁଛନ୍ତି। ଏହି ଘଟଣାରେ ଯୋଗାଣ ବିଭାଗ ସରକାରୀ ଦଳ ଏବଂ ମିଲର ମାନେ ଏକାଠି ହୋଇ ଏକ ଗୋଷ୍ଠୀ ଗଠନ କରି ଚାଷୀମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି। ଚଳିତ ରବିଋତୁରେ ଚାଷୀମାନଙ୍କ ଠାରୁ ଧାନ କ୍ରୟ ସମବାୟ ସମିତି ମାଧ୍ୟମରେ ୩୧ଶହ ଟଙ୍କା କ୍ୱିଟାଂଲ ପ୍ରତି କିଣିବାକୁ ନିର୍ଦ୍ଦେଶ ଆସିଥିଲା। ରାଜ୍ୟ ସରକାର ଚାଷୀମାନଙ୍କ ଠାରୁ ଧାନ କିଣୁଥିବା ପ୍ରଚାର ଚଳାଇଲେ। ପ୍ରକୃତ କଥା ନିମାପଡ଼ା ଅଚଂଳରେ ସମବାୟ ସମିତି ମାନେ ଖୋଲିଥିବା ମଣ୍ଡିରୁ ମିଲର ଦୁଇଥର ଧାନ କ୍ରୟ କରି ମଣ୍ଡିକୁ ଆଉ ଗଲେ ନାହିଁ। ଉତ୍ପାଦିତ ହୋଇଥିବା ହଜାର ହଜାର କ୍ୱିଣ୍ଟାଲ ରବିଧାନକୁ ମିଲରମାନଙ୍କ ଦୁଆରକୁ ଯିବାକୁ ଏକ ପ୍ରକାର ବାଧ୍ୟ ହେଲେ ଚାଷୀ । ଚାଷୀମାନେ ମିଲର ଦୁଆରକୁ ଧାନ ପରିବହନ କର ଆଣିବା ପରେ ମିଲରମାନେ ଚାଷୀଙ୍କୁ ନିର୍ଯ୍ୟାତନା ଦେବାସହ ଶୋଷଣ କରିବା ଆରମ୍ଭ କଲେ। ଚାଷୀମାନେ ମିଲର ଦୁଆରେ ପଡ଼ିରହି ଧାନ କ୍ୱିଟାଂଲ ପ୍ରତ ୧୮ଶହ ଟଙ୍କାରେ ବିକ୍ରି କରବାକୁ ବାଧ୍ୟ ହେଉଛନ୍ତି । ଚାଷୀମାନଙ୍କ ଠାରୁ ଏକ କ୍ୱିଂଟାଲ ଧାନରେ ମିଲର ୨୧ରୁ ୨୫ କେଜି କଟନି ଛଟନି ବାବଦରେ କାଟି ରଖୁଛନ୍ତି। ଚାଷୀମାନେ ଧାନବସ୍ତା ଗୋଟାପ୍ରତି ୫୦ ଟଙ୍କା ଦେଇ କିଣିଛନ୍ତି ଅଥଚ ବସ୍ତାଗୁଡ଼ିକ ମିଲର ଫେରାଉନଥିବା ଓ ବସ୍ତା ମୂଲ୍ୟ ମିଲରମାନେ ଯୋଗାଣ ବିଭାଗ ଠାରୁ ନେଉଛନ୍ତି ଚାଷୀମାନେ ମତ ଦେଇଛନ୍ତି। ଚାଷୀ ମିଲରଦୁଆରେ ଧାନ ବିକ୍ରି କରୁଥିବା ବେଳେ ମିଲରମାନେ ମଣ୍ଡିରୁ ଧାନ କିଣୁଛନ୍ତି ମିଥ୍ୟା କାଗଜପତ୍ର ପ୍ରସ୍ତୁତ କରି ପରିବହନ ବାବଦ ମଣ୍ଡିରୁ ମିଲ ପର୍ଯ୍ୟନ୍ତ ହଜାର ହଜାର ଟଙ୍କା ଖର୍ଚ୍ଚକୁ ଯୋଗାଣ ବିଭାଗ ଠାରୁ ହାତେଇ ନେଉଛନ୍ତି।। ଚଳିତ ବର୍ଷ ରବିଋତୁରେ ନିମାପଡ଼ା ଅଚଂଳର ଚାଷୀମାନେ ଧାନ ବିକ୍ରିରେ ଶୋଷଣର ଶିକାର ହେଉଛନ୍ତି। ମାନନୀୟା ଉପ ମୁଖ୍ୟମନ୍ତ୍ରୀ ଶୋଷିତା ଚାଷୀଙ୍କ ପ୍ରତି ଦୃଷ୍ଟି ଦେବାକୁ ଚାଷୀମାନେ ଦାବୀ କରିଛନ୍ତି।
