ରାଜ୍ୟ

ଶିବ ଶଙ୍କର ଙ୍କୁ ପ୍ରଶନ୍ନ କରିବାକୁ ବାଲି ତୃତୀୟା ଓଷା

Spread It
ସନ୍ତୋଷ କୁମାର ଦାଶ
 
ଭାଦ୍ରବ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ରେ ସଧବା ନାରୀ ଓ ବିବାହ ଯୋଗ୍ୟା ଯୁବତୀ ମାନେ ଗାଁ ମୁଣ୍ଡ ପୋଖରୀ ଅଥବା ଗାଁ ନିକଟସ୍ଥ ନଦୀ କୂଳରେ କରିଥାନ୍ତି ବାଲି ତୃତୀୟା ଓଷା। ପ୍ରଭୁ ଶିବ ଶଙ୍କର ଙ୍କୁ ପ୍ରଶନ୍ନ କରି ସଧବା ନାରୀ ମାନେ ନିଜ ନିଜ ସ୍ୱାମୀ ଙ୍କ ମଙ୍ଗଳ କାମନା କରି ଏହି ଓଷା ପାଳନ କରୁଥିବା ବେଳେ ଶିବ ଶଙ୍କର ଙ୍କ ପରି ସ୍ୱାମୀ ପାଇବାକୁ ଯୁବତୀ ମାନେ ଏହି ଓଷା ପାଳନ କରିଥାନ୍ତି। ଏହି ଓଷା କୁ ପ୍ରଥମେ ମାତା ପାର୍ବତୀ କରିଥିବାରୁ ଏହାକୁ ଗୌରୀ ବ୍ରତ ମଧ୍ୟ କୁହାଯାଇଥାଏ। ତୃତୀୟା ତିଥି ରେ ମହିଳା ଓ ଯୁବତୀ ମାନେ ଉପବାସ କରି ଏକତ୍ର ହୋଇ ଯାଇ ପହଞ୍ଚନ୍ତି ଗାଁ ମୁଣ୍ଡ ପୋଖରୀ ଅଥବା ନଦୀ କୂଳରେ। ଗାଧୁଆ ତୁଠ ପାଖରେ ଏକ ସ୍ଥାନ କୁ ପରିଷ୍କାର କରି ଏକ ମଣ୍ଡପ ନିର୍ମାଣ କରିଥାନ୍ତି।ମଣ୍ଡପ ର ଚତୁଃପାଶ୍ୱ ରେ କଦଳୀ ଗଛ ପୋତିବା ସହିତ ମଣ୍ଡପ ଉପରେ ନୂଆ ପାଟବସ୍ତ୍ର ଆଛାଦିତ କରି ଥାନ୍ତି। ମଣ୍ଡପ ନିର୍ମାଣ ସାରି ସମସ୍ତେ ଏକତ୍ର ସ୍ନାନ କରି ହାତରେ ଜଳ ଭିତରୁ ବାଲି ଆଣି ସେହି ମଣ୍ଡପ ଉପରେ ଶିବଲିଙ୍ଗ ସ୍ଥାପନ କରି ଥାନ୍ତି। ସେହି ଶିବ ଲିଙ୍ଗ କୁ ପୁଷ୍ପ,ଧୂପ, ଦୀପ, ଗନ୍ଧ, ଫଳ ମୂଳ ଭୋଗ ଲାଗି କରି ବାଲି ତୃତୀୟା ଓଷା ପୁସ୍ତକ ପାଠ କରିଥାନ୍ତି। ପୂଜା ପରେ ମହିଳା ଓ ଯୁବତୀ ମାନେ ସ୍ୱ ସ୍ୱ ଘରକୁ ଫେରିଥାନ୍ତି। ଦିନ ସାରା ଉପବାସ କରି ସଂଧ୍ୟା ବେଳକୁ ସମସ୍ତେ ପୁଣି ଏକଜୁଟ ହୋଇ ଯାଇ ପହଞ୍ଚନ୍ତି ପୂଜାସ୍ଥଳୀ ଠାରେ।ଦୀପ ଜାଳି ବାଲୁକା ରେ ସ୍ଥାପିତ ଶିବ ଲିଙ୍ଗ କୁ ଏକତ୍ର ବନ୍ଦାପନା କରିଥାନ୍ତି। ଶେଷରେ ସେହି ବାଲୁକା ରେ ସ୍ଥାପିତ ଶିବ ଲିଙ୍ଗ ଓ ତାଙ୍କୁ ଲାଗି ହୋଇଥିବା ପୂଜା ସାମଗ୍ରୀ କୁ ପୋଖରୀ ଅଥବା ନଦୀ ଜଳ ରେ ବିସର୍ଜନ କରି ସେଠାରେ ଶିବ ଶଙ୍କର ଓ ମା ମଙ୍ଗଳା ଙ୍କ ଉଦ୍ଦେଶ୍ୟ ରେ ପ୍ରଣାମ କରି ଓଷା କୁ ଉଦ ଯାପନ କରିଥାନ୍ତି। ଶେଷ ହୋଇଥାଏ ବାଲି ତୃତୀୟା ଓଷା। ଏହି ଓଷା ପାଳନ କଲେ ପ୍ରଭୁ ଶିବ ଶଙ୍କର ଓ ମା ମଙ୍ଗଳା ପ୍ରଶନ୍ନ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ଏହି ଓଷା ପାଳନ ସମ୍ପର୍କ ରେ ଏକ ସୁନ୍ଦର କିମ୍ବଦନ୍ତୀ ରହିଛି। ପର୍ବତରାଜ ହିମାଳୟ ଙ୍କ କନ୍ୟା ପାର୍ବତୀ ବିବାହ ଯୋଗ୍ୟା ହେବା ପରେ ନିଜେ ପ୍ରଭୁ ଶିବ ଶଙ୍କର ଙ୍କୁ ବିବାହ କରିବାକୁ ମନେ ମନେ ସିଦ୍ଧାନ୍ତ ନେଇ ସାରି ଥିଲେ। ଦିନେ ଦେବର୍ଷି ନାରଦ ହିମାଳୟ ବୁଲି ଯାଇଥିବା ବେଳେ ପାର୍ବତୀ ଙ୍କୁ ଦେଖି ତାଙ୍କ କନ୍ୟା ଅତ୍ୟନ୍ତ ସୁନ୍ଦରୀ ଓ ସୁଶୀଳା ହୋଇ ଥିବାରୁ ପ୍ରଭୁ ନାରାୟଣ ହିଁ ତାଙ୍କ ସ୍ୱାମୀ ପାଇଁ ଯୋଗ୍ୟ ବୋଲି ପର୍ବତ ରାଜ ହିମାଳୟ ଙ୍କୁ କହିଥିଲେ। ରାଜା ହିମାଳୟ ଦେବର୍ଷି ନାରଦ ଙ୍କ କଥା କୁ ସ୍ବୀକାର କରି ତାଙ୍କୁ ମଧ୍ୟସ୍ଥି ସାଜି ନାରାୟଣ ଓ ପାର୍ବତୀ ଙ୍କ ମଧ୍ୟରେ ବିବାହ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ। ପ୍ରଭୁ ନାରାୟଣ ଙ୍କୁ ଏ କଥା ଜଣାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ବୋଲି ଦେବର୍ଷି ନାରଦ ହିମାଳୟ ରାଜା ଙ୍କୁ କହି ସ୍ୱର୍ଗପୁର ଫେରି ଥିଲେ। ଏକଥା ଶୁଣି ପାର୍ବତୀ ଅତ୍ୟନ୍ତ ଦୁଃଖିତଃ ହୋଇ ବନ କୁ ଗମନ କରିଥିଲେ। ବନ ଭିତରେ ଥିବା ପୋଖରୀ ରେ ସ୍ନାନ କରି ପୋଖରୀ ଜଳ ଭିତରୁ ବାଲି ଆଣି ପୋଖରୀ କୂଳରେ ଏକ ଶିବ ଲିଙ୍ଗ ସ୍ଥାପନା କରି ଥିଲେ। ଉପବାସ ରହି ବଣ ଜଙ୍ଗଲ ରୁ ଫଳ ମୂଳ ସଂଗ୍ରହ କରି ସେହିଠାରେ ସ୍ଥାପିତ ଶିବ ଲିଙ୍ଗ କୁ ପୂଜା କରିବା ସହିତ ଓଁ ନମଃ ଶିବାୟଃ ପଞ୍ଚାକ୍ଷର ଜପ କରିଥିଲେ।ଦିନ ଯାଇ ସଂଧ୍ୟା ହେଲେ ବି ପାର୍ବତୀ ନିଜ ଜପ ଛାଡ଼ି ନ ଥିଲେ। ତାଙ୍କ ଏକାଗ୍ରତା, ପୂଜା ଓ ସାଧନା ରେ କୈଳାସପୁର ଥରହର ହୋଇ ଉଠିଥିଲା। ବାଧ୍ୟ ହୋଇ ପ୍ରଭୁ ଶିବ ଶଙ୍କର ଯାଇ ପହଞ୍ଚି ଯାଇଥିଲେ ପାର୍ବତୀ ଙ୍କ ପୂଜା ପାଖରେ। ଶିବ ଶଙ୍କର ଙ୍କୁ ପ୍ରଣାମ କରି ନିଜ ଇଚ୍ଛା ପ୍ରକାଶ କରିଥିଲେ ତାଙ୍କ ନିକଟରେ।ପାର୍ବତୀ ଙ୍କୁ ବିବାହ କରିବାକୁ ରାଜି ହୋଇ ଶିବ ଶଙ୍କର ପାର୍ବତୀ ଙ୍କ ଓଷା ଉଦଯାପନ କରିବାକୁ କହିଥିଲେ। ଏପଟେ ଦିନ ସାରା ନ ଖାଇ ନ ପିଇ ରାଜଜେମା କୁଆଡେ଼ ଯାଇଛନ୍ତି ଜାଣି ପର୍ବତ ରାଜ ହିମାଳୟ ତାଙ୍କୁ ଖୋଜି ଖୋଜି ଆସି ସେଠାରେ ପୋଖରୀ କୂଳରେ ତାଙ୍କୁ ପାଇଥିଲେ। ସେ ପ୍ରଭୁ ଶିବ ଶଙ୍କର ଙ୍କୁ ନିଜ ସ୍ୱାମୀ ଭାବେ ବରଣ କରିଥିବା ଜାଣି ଓ ପ୍ରଭୁ ଶିବ ଶଙ୍କର ପାର୍ବତୀ ଙ୍କୁ ବିବାହ କରିବାକୁ ରାଜି ହୋଇ ଥିବା ଜାଣି ଅତ୍ୟନ୍ତ ପ୍ରୀତ ହୋଇ ପାର୍ବତୀ ଙ୍କୁ ସାଙ୍ଗରେ ଧରି ଉଆସ କୁ ଫେରିଥିଲେ। ନାରଦ ମୁନି ଙ୍କୁ ଏ ବିଷୟରେ ଜଣାଇ ପର୍ବତ ରାଜ ହିମାଳୟ ପ୍ରଭୁ ଶିବ ଶଙ୍କର ଙ୍କ ସହିତ ପାର୍ବତୀ ଙ୍କ ର ବିବାହ କରାଇ ଥିଲେ। ସେହି ଅନୁସାରେ ଶିବ ଶଙ୍କର ଙ୍କୁ ପ୍ରଶନ୍ନ କରିବାକୁ ସଧବା ନାରୀ ଓ ଯୁବତୀ ମାନେ ଭକ୍ତି ଓ ନିଷ୍ଠା ର ସହିତ ବାଲି ତୃତୀୟା ଓଷା ପାଳନ କରିଆସୁଛନ୍ତି କାହିଁ କେତେ କାଳରୁ।
ଓଁ ନମଃ ଶିବାୟଃ।।
 

Leave a Reply

Your email address will not be published. Required fields are marked *