ଅପର ପକ୍ଷ ଆରମ୍ଭ, ପିତୃ ପୁରୁଷ ଙ୍କ ତୃପ୍ତି ପାଇଁ ଶ୍ରଦ୍ଧାଳୁ ଙ୍କ ପିଣ୍ଡ ଦାନ
ଚାରିଛକ,(ସନ୍ତୋଷ ଦାଶ) ଆଜି ହେଉଛି ଆଶ୍ୱିନ ମାସ ପ୍ରତିପଦ ତିଥି। ଓଡ଼ିଆ ସଂସ୍କୃତି ଓ ପରମ୍ପରା ଅନୁସାରେ ଆଜି ଠାରୁ ଆରମ୍ଭ ହୋଇଛି ପିତୃ ପକ୍ଷ ବା ଅପର ପକ୍ଷ। ଆଜି ଠାରୁ ମହାଳୟା ଅମାବାସ୍ୟା ତିଥି ପର୍ଯ୍ୟନ୍ତ ସମୟ କୁ ପିତୃ ପକ୍ଷ ବା ଅପର ପକ୍ଷ କୁହାଯାଇଥାଏ ଏହି ସମୟ ରେ ପିତୃ ପୁରୁଷ ମାନେ ନିଜ ନିଜ ଘରକୁ ପରିଭ୍ରମଣ କରିବାକୁ ପ୍ରେତ ଲୋକ ରୁ ପୃଥିବୀ ଲୋକ କୁ ଆସୁଥିବା ବିଶ୍ଵାସ ରହିଛି। ଏହି ସମୟ ରେ ପିତୃ ପୁରୁଷ ମାନଙ୍କୁ ଶ୍ରାଦ୍ଧ (ପିଣ୍ଡ ଓ ତିଳ ତର୍ପଣ) ପ୍ରଦାନ କଲେ ସେମାନେ ତୃପ୍ତ ହୋଇ ନିଜ ପରିବାର କୁ ଆଶ୍ରିବାଦ ପ୍ରଦାନ କରିଥାନ୍ତି। ଏହି ବିଶ୍ଵାସ ର ବଶବର୍ତ୍ତୀ ହୋଇ ଚାରିଛକ,ନୟାହାଟ, ନିମାପଡ଼ା, ନିଆଳୀ, କାକଟପୁର ଅଞ୍ଚଳ ର ଶ୍ରଦ୍ଧାଳୁ ମାନେ ବିଭିନ୍ନ ତୀର୍ଥ ସ୍ଥଳୀ ଠାରେ ନିଜ ପିତୃ ପୁରୁଷ ମାନଙ୍କୁ ଶ୍ରାଦ୍ଧ ପ୍ରଦାନ କରିଥାନ୍ତି। ଥିଲାବାଲା ଓ ଆର୍ଥିକ ସ୍ୱଚ୍ଛଳ ପରିବାର ପକ୍ଷରୁ ଶ୍ରୀ କ୍ଷେତ୍ର ପୁରୀ ର ପଞ୍ଚ ତୀର୍ଥ ଓ ଭୁବନେଶ୍ବର ର ବିନ୍ଦୁ ସାଗର ଠାରେ ପିତୃ ପୁରୁଷ ମାନଙ୍କୁ ଶ୍ରାଦ୍ଧ ପ୍ରଦାନ କରା ଯାଉଥିବା ବେଳେ ଅନ୍ୟ ଶ୍ରଦ୍ଧାଳୁ ମାନେ ପୂଣ୍ୟତୋୟା ପ୍ରାଚୀ ନଦୀ ର ବିଭିନ୍ନ ତୀର୍ଥ ସ୍ଥଳୀ ଠାରେ ପିତୃ ପୁରୁଷ ମାନଙ୍କୁ ଶ୍ରାଦ୍ଧ ପ୍ରଦାନ କରୁଛନ୍ତି। ଏଥିପାଇଁ ପ୍ରାଚୀ ନଦୀ କୂଳରେ ଥିବା ବିଶ୍ଵାମିତ୍ର ଆଶ୍ରମ ସ୍ଥିତ ଋଷି ତୀର୍ଥ,ସମେଶ୍ୱର ର ଅର୍କତୀର୍ଥ, ନାଶିକେଶ୍ୱର ର ନୃତ୍ୟ ତୀର୍ଥ, ମୁକ୍ତି ତୀର୍ଥ, ବେଲେଶ୍ୱର ର ମଣିକର୍ଣିକା ତୀର୍ଥ,ମୁଦୁଗଲ ର ଅପସରା ତୀର୍ଥ, ଅମରେଶ୍ୱର ର ଗୋ ତୀର୍ଥ, ମାଧବ ର ସୁଦର୍ଶନ ତୀର୍ଥ ଓ ପାଣ୍ତବ ତୀର୍ଥ, ପିତାପଡା ର ଅଙ୍ଗ ତୀର୍ଥ, ନିଭରଣ ର ପୁରରବା ତୀର୍ଥ, ଟୋଲା ର ଅଗ୍ନୀ ତୀର୍ଥ ଠାରେ ପିତୃ ପୁରୁଷ ମାନଙ୍କୁ ଶ୍ରାଦ୍ଧ ଦେବା ପାଇଁ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମୁଛି।
