ରାଜ୍ୟ

:ପୁରୀ ଠାରେ ସେବା ଶିବିର ଉଦଘାଟନ କରିଲେ ରାଜ୍ୟପାଳ:

Spread It

:ପୁରୀ ଠାରେ ସେବା ଶିବିର ଉଦଘାଟନ କରିଲେ ରାଜ୍ୟପାଳ:

:ରଥଯାତ୍ରାରେ ସେବା କରିବା ଏକ ଦିବ୍ୟ ସୁଯୋଗ – ରାଜ୍ୟପାଳ:

ଭୁବନେଶ୍ବର, ତା ୨୬.୦୬.୨୦୨୫, ରଥଯାତ୍ରା ଅବସରରେ ସେବା କରିବା ଏକ ଦିବ୍ୟ ସୁଯୋଗ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି । ଶ୍ରୀକ୍ଷେତ୍ର ପୁରୀ ଠାରେ ପୃଥିବୀ ପ୍ରସିଦ୍ଧ ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ଚଳିତ ଜୁନ ୨୬ ତାରିଖ ଦିନ ପୁରୀ ଟାଉନ୍ ହଲ୍ ଠାରେ ସେଣ୍ଟ୍ ଜନ୍ ଆମ୍ବୁଲାନ୍ସ୍, ଭାରତ ସ୍କାଉଟ୍ ଆଣ୍ଡ୍ ଗାଇଡ୍ ଏବଂ ଭାରତୀୟ ରେଡ଼କ୍ରସ ସୋସାଇଟିର ସେବା ଶିବିରକୁ ଉଦଘାଟନ କରି ରାଜ୍ୟପାଳ ଏହା କହିଛନ୍ତି । ଏହି ଶିବିରରେ ଉଦ‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ପବିତ୍ର ରଥଯାତ୍ରା ସମୟରେ ସ୍ୱେଚ୍ଛାସେବୀ ସେବା ଶିବିରଗୁଡିକ ନିଃସ୍ବାର୍ଥପର ସେବାର ଗର୍ବିତ ପରମ୍ପରାକୁ ପ୍ରତିଫଳିତ କରେ ଏବଂ ଜାତୀୟ ସଂହତି, ବିବିଧତାରେ ଏକତା ଏବଂ ମାନବୀୟ କରୁଣାର ମୂଲ୍ୟବୋଧକୁ ପ୍ରକାଶ କରିଥାଏ । ସେବା ଶିବିରଗୁଡିକ ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତମାନଙ୍କୁ ସେବା କରିବା ପାଇଁ ଓଡିଶା ଏବଂ ଅନ୍ୟାନ୍ୟ ରାଜ୍ୟରୁ ଅନେକ ସଂଖ୍ୟାରେ ପ୍ରଶିକ୍ଷିତ ସ୍ୱେଚ୍ଛାସେବକ, କାଉନସେଲର ଏବଂ ଅଫିସିଆଲମାନଙ୍କୁ ଏକତ୍ରିତ କରିଥାଏ । ରଥଯାତ୍ରା ସମୟରେ ଏହି ସେବା ଶିବିର ଦ୍ବାରା ସେବାର ସୁଦୀର୍ଘ ପରମ୍ପରା ରହିଛି । ବାସ୍ତବରେ ମାନବ ସେବା ହିଁ ଈଶ୍ବରଙ୍କ ସେବା ବୋଲି ରାଜ୍ୟପାଳ କହିଥିଲେ । ପୁଣି ରାଜ୍ୟପାଳ କହିଥିଲେ ଯେ ସେଣ୍ଟ୍ ଜନ୍ ଆମ୍ବୁଲାନ୍ସ ଚଳିତ ବର୍ଷ ୩୫ତମ ଜାତୀୟ ସେବା ଶିବିର ପରିଚାଳନା କରୁଛି । ସେହିପରି ଭାରତ ସ୍କାଉଟ୍ ଆଣ୍ଡ୍ ଗାଇଡ୍ ଗତ ୩୦ ବର୍ଷ ଧରି ଏବଂ ଭାରତୀୟ ରେଡ଼କ୍ରସ ସୋସାଇଟି ତିନି ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ପୁରୀଠାରେ ରଥଯାତ୍ରା ସମୟରେ ଉତ୍ସର୍ଗୀକୃତ ସେବା ପ୍ରଦାନ କରି ଆସୁଛନ୍ତି । ଏ ଦିଗରେ ସ୍ଵେଚ୍ଛାସେବୀମାନଙ୍କର ପ୍ରତିବଦ୍ଧତାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ । ସେଣ୍ଟ୍ ଜନ୍ ଆମ୍ବୁଲାନ୍ସ୍ ବ୍ରିଗେଡ଼ ଦ୍ବାରା ପ୍ରଦାନ କରାଯାଇଥିବା ସମୟୋଚିତ ଏବଂ ବୃଦ୍ଧିଗତ ପ୍ରାଥମିକ ଚିକିତ୍ସା, ଭାରତ ସ୍କାଉଟ୍ ଆଣ୍ଡ୍ ଗାଇଡ୍ ଦ୍ବାରା ପ୍ରଦର୍ଶିତ ଶୃଙ୍ଖଳା, ଟିମୱାର୍କ ମୂଲ୍ୟବୋଧ ଏବଂ ଜୁନିୟର ଏବଂ ଯୁବରେଡ଼କ୍ରସ ସ୍ୱେଚ୍ଛାସେବୀମାନଙ୍କ ଦ୍ବାରା ପ୍ରାଥମିକ ଚିକିତ୍ସା ପ୍ରଦାନ, ଅସୁସ୍ଥ ଏବଂ ବୃଦ୍ଧମାନଙ୍କର ସେବା ତଥା ତୀର୍ଥଯାତ୍ରୀଙ୍କର ଭିଡ଼ ପରିଚାଳନା ବାସ୍ତବିକ ପ୍ରଶଂସନୀୟ ବୋଲି ରାଜ୍ୟପାଳ କହିଥିଲେ। ରଥଯାତ୍ରାରେ ସମସ୍ତ ସ୍ୱେଛାସେବୀ ଆନନ୍ଦ ମନରେ ନମ୍ରତା ଓ କରୁଣାର ସହିତ ସେବା କରିବାକୁ ରାଜ୍ୟପାଳ କହିଥିଲେ । ସହାୟତାର ଅଭାବରେ କୌଣସି ତୀର୍ଥଯାତ୍ରୀ ଯେପରି ଦୁଃଖ ଭୋଗିବେ ନାହିଁ ସେଥ୍ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ସ୍ୱେଚ୍ଛାସେବୀଙ୍କ ସେବାରେ ଯେପରି ପ୍ରତ୍ୟେକ ଭକ୍ତ ସୁଖଦ ସ୍ମୃତି ନେଇ କୃତଜ୍ଞତା ଜ୍ଞାପନ ପୂର୍ବକ ଫେରିବେ ସେଥିପାଇଁ ସ୍ୱେଚ୍ଛା ସେବୀମାନେ ଉତ୍ସର୍ଗୀକୃତ ସେବା କରିବାକୁ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *