ଭାରତ ପାଇଁ ଆମେରିକାର କଠୋର ଯାତ୍ରା ନିର୍ଦ୍ଦେଶାବଳୀ
ଏପିନ୍ୟୁଜ, ୨୧/୬: ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ହଠାତ୍ ଭାରତ ପାଇଁ କଠୋର ଭ୍ରମଣ ଚେତାବନୀ ଜାରି କରିଛି। ଆମେରିକୀୟମାନଙ୍କୁ ଯାତ୍ରା ସମୟରେ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଅପରାଧ, ଦୁଷ୍କର୍ମ ଓ ଆତଙ୍କବାଦ କାରଣରୁ ଜୁନ୍ ୧୬ତାରିଖରେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା । ଭାରତରେ ଦୁଷ୍କର୍ମ ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅପରାଧ ମଧ୍ୟରୁ ଅନ୍ୟତମ ବୋଲି ଆମେରିକା ଉଲ୍ଲେଖ କରିବା ସହ ପର୍ଯ୍ୟଟନସ୍ଥଳୀ ଓ ଅନ୍ୟାନ୍ୟ ସ୍ଥାନରେ ଯୌନ ନିର୍ଯାତନା ସମେତ ହିଂସାତ୍ମକ ଅପରାଧ ଘଟୁଥିବା କହିଛି। ଆତଙ୍କବାଦୀମାନେ ବିନା ଚେତାବନୀରେ ଆକ୍ରମଣ କରିପାରନ୍ତି। ସେମାନେ ବିଭିନ୍ନ ପର୍ଯ୍ୟଟନସ୍ଥଳ, ପରିବହନ କେନ୍ଦ୍ର, ବଜାର/ସପିଂ ମଲ୍ ଏବଂ ସରକାରୀ ପ୍ରତିଷ୍ଠାନକୁ ଟାର୍ଗେଟ କରୁଥିବାରୁ ଆମେରିକୀୟମାନେ ଏ ଦିଗରେ ସର୍ବାଧିକ ସତର୍କ ରହିବାକୁ କୁହାଯାଇଛି| ଆମେରିକୀୟ ମହିଳାମାନଙ୍କୁ ଏକୁଟିଆ ଯାତ୍ରା ନକରିବା ପାଇଁ ସତର୍କ କରାଇ ଦିଆଯାଇଛି। ଗ୍ରାମାଞ୍ଚଳରେ ଆମେରିକୀୟ ନାଗରିକମାନଙ୍କୁ ଜରୁରିକାଳୀନ ସେବା ଯୋଗାଇବା ପାଇଁ ଆମେରିକା ସରକାରଙ୍କର ସୀମିତ କ୍ଷମତା ରହିଛି। ଏହି ଅଞ୍ଚଳଗୁଡ଼ିକ ପୂର୍ବ ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ବ୍ୟାପିଛି। ବିପଦ କାରଣରୁ ଭାରତରେ କାର୍ଯ୍ୟରତ ଆମେରିକୀୟ ସରକାରୀ କର୍ମଚାରୀମାନେ ଏହି ରାଜ୍ୟକୁ ଯିବା ପାଇଁ ସ୍ବତନ୍ତ୍ର ଅନୁମତି ନେବା ଜରୁରି ଭାରତରେ ସାଟେଲାଇଟ୍ ଫୋନ୍ କିମ୍ବା ଜିପିଏସ୍ ଡିଭାଇସ୍ ରଖିବା ବେଆଇନ ଏବଂ ଏଥିପାଇଁ ଜରିମାନା କିମ୍ବା ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିପାରେ ବୋଲି ମଧ୍ୟ ଯାତ୍ରା ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି। ଜମ୍ମୁ-କଶ୍ମୀର, ଭାରତ-ପାକିସ୍ତାନ ସୀମା, କେନ୍ଦ୍ରୀୟ ଏବଂ ପୂର୍ବ ଭାରତର କିଛି ଅଂଶକୁ ଭ୍ରମଣ ବେଳେ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ଏବଂ ବିନା ଅନୁମତିରେ ଯାତ୍ରା ନକରିବାକୁ କୁହାଯାଇଛି। ଆମେରିକୀୟ କର୍ମଚାରୀମାନେ ଓଡ଼ିଶା, ବିହାର,ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ଓ ମେଘାଳୟର ଅଧିକାଂଶ ଅଂଚଳକୁ ଗସ୍ତ ପୂର୍ବରୁ ଆବଶ୍ୟକ ଅନୁମତି ନେବା ଆବଶ୍ୟକ। ଯଦି ଆମେରିକୀୟ କର୍ମଚାରୀ କେବଳ ଏହି ସବୁ ରାଜ୍ୟର ରାଜଧାନୀକୁ ଯାତ୍ରା କରୁଛନ୍ତି ତେବେ ଅନୁମତି ଆବଶ୍ୟକ ନାହିଁ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି ।
