ବିଶ୍ୱ ପରିବେଶ ଦିବସ ପ୍ଲାଷ୍ଟିକ୍ ମୁକ୍ତ କ୍ୟାମ୍ପସ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଶ୍ରୁତିବଦ୍ଧ
ବିଶ୍ୱ ପରିବେଶ ଦିବସ
ପ୍ଲାଷ୍ଟିକ୍ ମୁକ୍ତ କ୍ୟାମ୍ପସ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଶ୍ରୁତିବଦ୍ଧ
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକତ୍ତୋର ପରିଷଦ ଏବଂ ଗବେଷଣା ଓ ବିକାଶ ସେଲ୍ ଦ୍ୱାରା ମିଳିତ ଭାବରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ “ପ୍ଲାଷ୍ଟିକ୍ ପ୍ରଦୂଷଣର ଅନ୍ତ ଘଟାଇବା’ ଶୀର୍ଷକରେ ସ୍ନାତକତ୍ତୋର ପରିଷଦର ସଭାଗୃହରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କୁଳପତି ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟ ପ୍ଲାଷ୍ଟିକ୍ ମୁକ୍ତ କ୍ୟାମ୍ପସ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଶ୍ରୁତିବଦ୍ଧ ବୋଲି କହିବା ସହିତ ବାଣୀବିହାରକୁ ଏକ ପ୍ଲାଷ୍ଟିକ୍ ମୁକ୍ତ କ୍ୟାମ୍ପସ ଭାବେ ଗଠନ କରିବାକୁ ଆହ୍ୱାନ ଦେଇଥିଲେ। ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ଦ୍ୱାରା ହେଉଥିବା ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଭାରତ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ଲାଷ୍ଟିକର କ୍ଷତିକାରକ ପ୍ରଭାବ ବିଷୟରେ ଅଧିକାଂଶ ଲୋକ ଅବଗତ ଥିଲେ ମଧ୍ୟ ଏହାକୁ ରୋକିବା ପାଇଁ ପ୍ରୟାସ ବଦଳରେ ଏହାର ବ୍ୟବହାର ଜାରି ରହିଛି। ଆମ ପରିବେଶ ଉପରେ ଏହାର ଖରାପ ପ୍ରଭାବ ପଡୁଛି। ତେଣୁ ପ୍ଲାଷ୍ଟିକ୍ ବ୍ୟବହାର ହ୍ରାସ କରିବା ସହ ଏ ଦିଗରେ ସମସ୍ତେ ପଦକ୍ଷେପ ନେବା ଉଚିତ ବୋଲି ସେ କହିଥିଲେ।
ଏହି ବିପଦକୁ ରୋକିବା ପାଇଁ, ଆମକୁ ପରିସଂସ୍ଥାକୁ ରକ୍ଷା କରିବା ପାଇଁ କଠିନ ପ୍ରୟାସ କରିବାକୁ ପଡିବ, ଗ୍ରହର ଜୈବ ବିବିଧତାକୁ ନଷ୍ଟ କରୁଥିବା ବିପଦଗୁଡ଼ିକୁ ଚିହ୍ନଟ କରିବାକୁ ପଡିବ ଏବଂ ଆମ ଖାଦ୍ୟ ଶୃଙ୍ଖଳରେ ପ୍ରବେଶ କରୁଥିବା ସୂକ୍ଷ୍ମ-ପ୍ଲାଷ୍ଟିକ୍ ଉତ୍ସଗୁଡ଼ିକୁ ହ୍ରାସ କରିବାକୁ ପଡିବ ବୋଲି ସେ ପରାମର୍ଶ ଦେଇଥିଲେ।
ଏଥିରେ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍ ତଥା ଓୟୁଏଟିର ପୂର୍ବତନ ଅଧ୍ୟାପକ ଏବଂ ଓପିଏସସିର ସଦସ୍ୟ ପ୍ରଫେସର ଚୌଧୁରୀ ସୂର୍ଯ୍ୟକାନ୍ତ ମିଶ୍ର ମାଇକ୍ରୋପ୍ଲାଷ୍ଟିକର ବୃଦ୍ଧି ପାଉଥିବା ଉତ୍ପାଦନ ଏବଂ ପ୍ରସାର ଉପରେ ଚିନ୍ତା ପ୍ରକାଶ କରିଥିଲେ। ସେ ଏକ ବର୍ଷରେ ବିଶ୍ୱବ୍ୟାପୀ ଉତ୍ପାଦିତ ୪୦୦ ନିୟୁତ ଟନ୍ ପ୍ଲାଷ୍ଟିକର ସ୍ଥାୟୀ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ। ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ ବଦଳରେ ବିକଳ୍ପ ବାଛିବା ସହ ପରିବେଶ ଅନୁକୂଳ ଉପକରଣ ଗ୍ରହଣ କରିବା ପାଇଁ ସେ ମତ ରଖିଥିଲେ।
ଏହି ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରି, ପିଜି କାଉନସିଲର ଅଧ୍ୟକ୍ଷା ପ୍ରଫେସର ମିତାଲି ଚିନାରା ତାଙ୍କ ସ୍ୱାଗତ ଭାଷଣରେ ୧୯୭୩ ମସିହାରେ ୟୁଏନଇପି ଦ୍ୱାରା ବିଶ୍ୱ ପରିବେଶ ଦିବସର ଆରମ୍ଭ ଏବଂ ଏହାପରେ ସାମ୍ପ୍ରତିକ ସମୟ ପର୍ଯ୍ୟନ୍ତ ହୋଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।
ଗବେଷଣା ଓ ବିକାଶ ସେଲର ନିର୍ଦ୍ଦେଶକ ପ୍ରଫେସର ଜୟଦେବ ଡିଣ୍ଡା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିବା ସହ ଆମ ଜୀବନରୁ ପ୍ଲାଷ୍ଟିକ୍ ଦୂର କରିବା ଉପରେ ମତ ରଖିଥିଲେ। ଦାୟିତ୍ୱପୂର୍ଣ୍ଣ ଆଚରଣ ମାଧ୍ୟମରେ ପ୍ଲାଷ୍ଟିକ୍ ପ୍ରଦୂଷଣକୁ ମୁକାବିଲା କରିବାର ଜରୁରୀ ଆବଶ୍ୟକତାକୁ ଗୁରୁତ୍ୱ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ, ବିଶ୍ୱବିଦ୍ୟାଳୟର ଅନେକ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହ ବହୁସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।