ରାଜନୀତିରାଜ୍ୟ

ନିମାପଡ଼ାରେ ବିଜେଡ଼ି ନେତୃତ୍ୱ ଶୂନ୍ୟ

Spread It

ନିମାପଡ଼ା, (ଏପିନ୍ୟୁଜ) ଗତ ୨୦୦୯ ମସିହାରୁ ନିମାପଡ଼ାର କ୍ଷମତା ବିଜେଡ଼ି ଉପଭୋଗ କରି ବଳିୟାନ ହୋଇଥିଲା। ଏହି ଦଳ ହାତରୁ କ୍ଷମତା ଯିବା ଏବଂ ସମୀର ଦାସ ଦଳଛାଡ଼ି ଚାଲିଯିବାପରେ ବିଜେଡ଼ି ନେତୃତ୍ୱ ହୀନ ହୋଇ ପଡ଼ିଛି। ନବୀନ ପଟ୍ଟନାୟକ ପ୍ରତି ତୃଣମୂଳସ୍ତରରେ ଏବେବି ଦୃଢ ସମର୍ଥନ ରହିଛି। କିନ୍ତୁ ଦଳର ଲୋକବଳ ରହିଥିଲେ ମଧ୍ୟ ଦଳର ସେନାପତି କେହି ନାଁହାନ୍ତି। ଦଳୀୟ କର୍ମୀମାନେ କଣ କରିବେ ସେମାନଙ୍କୁ ଦିଗଦର୍ଶନ ଦେବାକୁ ଦଳର ନେତା ବା ସେନାପତିର ଅଭାବ ଦେଖାଦେଇଛି। ଦଳର ପକ୍ଷରୁ ସରକାରଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟକ୍ରମ ହେଉନଥିବାରୁ ସ୍ଥାନୀୟ ଅଞ୍ଚଳର ଦଳୀୟ କର୍ମୀମାନେ ଏକ ପ୍ରକାର ସଙ୍ଗଠନ ଠାରୁ ଦୂରେଇ ଯାଇ ଚୁପ ହୋଇ ଶୋଇପଡ଼ିଛନ୍ତି। ବିଜେଡ଼ିର ବହୁ ଆଗଧାଡ଼ିର କର୍ମୀ ବିଜେଡ଼ିର ହାତ ଛାଡ଼ି ନିଜର ସ୍ୱାର୍ଥ ସାଧନ ପାଇଁ ବିଜେପିର ସମର୍ଥକ ସାଜିଛନ୍ତି। ଗତ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିରୁ ଆସି ଦିଲିପ ନାୟକ ବିଜେଡ଼ିରେ ଯୋଗଦେଇ ନିର୍ବାଚନ ପ୍ରାର୍ଥୀ ହୋଇଥିଲେ। ୯୧ ହଜାର ଭୋଟ ପାଇଥିଲେ ମଧ୍ୟ ନିର୍ବାଚନ ହାରିଥିଲେ। ନିର୍ବାଚନ ପରବର୍ତ୍ତୀରେ ସେ ବିଜେଡ଼ି କର୍ମୀମାନଙ୍କୁ ଏକାଠିକରି ରଖି ପାରୁନାହାଁନ୍ତି। ଶ୍ରୀ ନାୟକ ବିଜେପି ଛାଡ଼ି ଆସିଲା ସମୟରେ ତାଙ୍କ ସହିତ କର୍ମୀ ମାନଙ୍କୁ ତାଙ୍କ ଆଖପାଖରେ ଦେଖିବାକୁ ମିଳୁଛି। ସେ ନିମାପଡ଼ାରେ ନରହି କଟକରେ ରହୁଥିବାରୁ କର୍ମୀମାନଙ୍କ ନିକଟର ହୋଇପାରୁ ନାହାଁନ୍ତି କିମ୍ବା ସୁଖ ଦୁଃଖରେ ସାମିଲ ନହୋଇ ଦୂରେଇ ରହୁଛନ୍ତି। ସେହିଭଳି ସୁବ୍ରତ ଛାଟୋଇ ନାମକ ଜଣେ ଶିକ୍ଷା ବ୍ୟବସାୟୀ ନିମାପଡ଼ା ବିଜେଡ଼ିର ମଙ୍ଗ ଧରିବାକୁ ଉଦ୍ୟମ ଚଳାଇଥିଲେ। ତାଙ୍କ ଘର ଅସ୍ତରଙ୍ଗ ଅଞ୍ଚଳରେ ହୋଇଥିବାରୁ ଲୋକମାନଙ୍କ ଆଦୃତ ହୋଇପାରୁ ନାହିଁନ୍ତି। ବିଜେଡ଼ିର ନିମାପଡ଼ା ସଂଗଠନ ଦିଲିପ ନାୟକ ଏବଂ ସୁବ୍ରତ ଛାଟୋଇ ଦ୍ୱାରା ପରିଚାଳିତ ହେଉଥିବାରୁ ବସ୍ତୁତ ଦୁଇ ଭାଗରେ ବିଭକ୍ତ ହୋଇଛି। କିଛିମାସ ତଳେ ବିଜେଡ଼ି ରାଜ୍ୟ ନେତା ସଞ୍ଜୟ ଦାସ ବର୍ମା ଉଭୟ ନେତା ଓ ତାଙ୍କ କିଛି ସମର୍ଥକ ମାନଙ୍କୁ ପୁରୀ ଲୋକନାଥ ପିଠକୁ ଡ଼କାଇ ତାଗିଦ କରିବାପରେ ଦୁଇ ନେତାଙ୍କୁ କେତେବେଳେ କେମିତି ହେଉଥିବା ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି। ବ୍ଲକ ସଭାପତି ଏବଂ ନଗର ସଭାପତି ନିଯୁକ୍ତ ହୋଇପାରୁ ନଥିବାରୁ ଦଳର ସଂଗଠନ ଆଗକୁ ଯାଇପାରୁ ନାହିଁ। ମହିଳା, ଛାତ୍ର ଯୁବକ, ଶ୍ରମିକ ସଂଗଠନ ନେତୃତ୍ୱହୀନ ହେବାସହ ଦିଗହରା ହୋଇଛି।

Leave a Reply

Your email address will not be published. Required fields are marked *