Uncategorized

ମହାବାତ୍ୟା ର ୨୬ ବର୍ଷ ପରେ… ଏବେ ବି ରହିଛି ତାଣ୍ଡବ ଲୀଳା ର ଚିହ୍ନ।

Spread It
   ଚାରିଛକ,( ସନ୍ତୋଷ ଦାଶ,ଏ.ପି ନିୟୁଜ) ୧୯୯୯ ର ମହାବାତ୍ୟା କୁ ୨୬ ବର୍ଷ ପୁରିଛି। ଏବେ ବି ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳ ଅଞ୍ଚଳ ରେ ସେ ଦିନ ତାଣ୍ଡବ ର ଚିହ୍ନ ରହିଛି ଯାହା ଦେଖିଲେ ମନେ ପଡ଼ିଯାଉଛି ମହା ବାତ୍ୟା ର ବିଭୀଷିକା ଓ କରାଳ ରୂପ। ଅକ୍ଟୋବର ୨୮ ତାରିଖ ସଂଧ୍ୟାରେ ବାତ୍ୟାର ସୂଚନା ମିଳିବା ପରେ ଅନେକ ଲୋକ ଏହାକୁ ହାଲୁକା ଭାବେ ନେଇଥିଲେ। ମଧ୍ୟ ରାତ୍ର ରୁ ଆରମ୍ଭ ହୋଇଯାଇଥିଲା ଘଣ୍ଟାକୁ ପ୍ରାୟ ୧୮୦ରୁ ୨୫୦ କିମି ବେଗରେ ପବନ । ରାତି ପାହିଲା ବେଳକୁ ପୁରୀ ଜିଲ୍ଲାର ୧୧ଟି ବ୍ଲକ ୩ ଟି ଏନଏସି ଓ ଗୋଟିଏ ମୁନିସିପାଲଟି ରେ ବ୍ୟାପକ କ୍ଷୟକ୍ଷତି ଜିଲ୍ଲାର ମାନଚିତ୍ରକୁ ବଦଳାଇ ଦେଇଥିଲା । ଜିଲ୍ଲାର ୨୦୪ ଗ୍ରାମ ପଞ୍ଚାୟତ ୧୭୧୪ଟି ଗାଁର ୧୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ବାତ୍ୟା ରେ ପ୍ରଭାବିତ ହୋଇଥିଲେ । ୧,୬୨୦୦୦ ହେକ୍ଟର ଚାଷଜମି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ବେଳେ ଜିଲ୍ଲାରେ ସରକାରୀ ହିସାବ ରେ ୩୦୧ ଜଣ ପ୍ରାଣ ହରାଇଥିଲେ। ଜିଲ୍ଲାର ୫,୮,୫୫୪ଘର ସଂପୂର୍ଣ୍ଣ ମାଟିରେ ମିଶିଯାଇଥିଲା । ୧୯୯୯ ର ପ୍ରଳୟଙ୍କରୀ ମହାବାତ୍ୟା ପୁରୀ ଜିଲ୍ଲାର ସାମାଜିକ, ଅର୍ଥନୈତିକ, ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତି କରିଦେଇଥିଲା। କୋଣାର୍କ ଅଭୟାରଣ୍ୟର ୬୦ ଭାଗ ବୃକ୍ଷ ଓ ଅସ୍ତରଙ୍ଗ ର ଦେବୀ ମୁହାଁଣ ଠାରୁ କେଲୁଣି ମୁହାଁଣ ପର୍ଯ୍ୟନ୍ତ ୧୫ କିମି ବ୍ୟାପିଥିବା ଜଙ୍ଗଲର ୭୦ ଭାଗ ବୃକ୍ଷ ଭୂଇଁରେ ଲୋଟି ପଡିଥିଲା । ସରକାରୀ ରିପୋର୍ଟ ଅନୁଯାୟୀ କୃଷ୍ଣପ୍ରସାଦରେ ୪ ଜଣ ,ପୁରୀରେ ୪ ଜଣ, ପିପିଲିରେ ୧୦ ଜଣ, ସତ୍ୟବାଦୀ ରେ ୪ ଜଣ, ନିମାପଡାରେ ୬୭ ଜଣ ଓ ଜିଲ୍ଲାର ସର୍ବାଧ‌ିକ କାକଟପୁର ତହସିଲ ଅଧୁନସ୍ଥ କାକଟପୁର ଓ ଅସ୍ତରଂଗ ବ୍ଲକର ୨୧୬ ଜଣଙ୍କର ଜୀବନ ହାନୀ ଘଟିଥିଲା। ଜିଲ୍ଲାର ସର୍ବାଧିକ କାକଟପୁର ନିର୍ବାଚନ ମଣ୍ଡଳୀର ୪୩,୪୩୮ ଘର ସଂପୂର୍ଣ ଧ୍ଵଂସ ପାଇଯାଇଥିବା ବେଳେ ୮.୫୩୧ ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଦ୍ଵିତୀୟରେ ନିମାପଡା ତହସିଲରେ ୧୫, ୫୨୪ ଘର ସଂପୂର୍ଣ୍ଣ ଧ୍ୱଂସ ପାଇ ଯାଇଥିବାବେଳେ ୩୧, ୫୫୪ ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲା। ସମୁଦ୍ର ଅଶାନ୍ତ ହୋଇ ପଡ଼ି ୮ ଫୁଟ ଉଚ୍ଚରେ ଜୁଆର ଉଠି ଅସ୍ତରଙ୍ଗ ବ୍ଲକ ର ନୂଆଗଡ ଓ ଉଦୟକଣୀ ଗାଁ ଭିତରକୁ ମାଡ଼ି ଆସିଥିଲା। ସମୁଦ୍ର ଢ଼େଉ ରେ ଉଦୟକଣି ଗାଁ ସଂପୂର୍ଣ୍ଣ ଭାବେ ମାଟିରେ ମିଶି ଯାଇଥିଲା। ଗାଁର ୩୦ ପରିବାର ଜୀବନ ବଞ୍ଚାଇବାକୁ ଯାଇ ଘରଦ୍ଵାର ସବୁ ଛାଡି ଚାଲି ଯାଇ ଥିଲେ । ଗାଁ ଥିବା ପୂର୍ବ ସ୍ଥାନ ର ଥୁଣ୍ଟା ନଡିଆ ଗଛ, ପରିତ୍ୟକ୍ତ ମନ୍ଦିର ଓ କୂଅକୁ ଦେଖିଲେ ମହାବାତ୍ୟା ର କରାଳ ରୂପ ମନେ ପଡ଼ିଯାଏ।ନିଜ ଭିଟାମାଟି କୁ ଦେଖିଲେ ଏହି ଗାଁର ଲୋକ ଙ୍କ ଆଖି ରେ ଏବେ ବି ଲୁହ ଜକେଇ ଆସୁଛି । ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଳକର ଛୁରିଆନା, ନୂଆଗତ, ଆଳସାହି, ନଗର ପ୍ରଭୃତି ପଞ୍ଚାୟତ ସର୍ବାଧ‌ିକ କ୍ଷତିଗ୍ରସ୍ତ ହୋଇଥିଲା। ନୂଆଗତ ପଞ୍ଚାୟତରେ ସର୍ବାଧ‌ିକ ୧୧ ଜଣ ମୃତ୍ୟୁ ବରଣ କରିଥିଲେ। ମହାବାତ୍ୟାର ୨୬ ବର୍ଷ ପରେ ବି ଅନେକ ବିପନ୍ନ ଙ୍କ ଆଖିରୁ ଲୁହ ଶୁଖୁପାରିନି। ମହାବାତ୍ୟା ପରେ ବିପର୍ଯ୍ୟୟ ପ୍ରଶମନ ପାଇଁ ଅସ୍ତରଙ୍ଗ ବ୍ଲକ ରେ ସର୍ବାଧିକ ୩୭, କାକଟପୁର ୨୩, ଗୋପରେ ୩୪, କୋଣାର୍କରେ ୨, ପୁରୀ ସଦରରେ ୧୭, ନିମାପଡା ରେ ୯, ପୁରୀ ପେଣ୍ଟକଟାରେ ୬, କଣାସରେ ୧ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ରକ୍ଷଣାବେକ୍ଷଣ ଓ ସଚେତନତା ଅଭାବରୁ ଅନେକ ବାତ୍ୟା ଆଶ୍ରୟ ସ୍ଥଳୀ ର ଅବସ୍ଥା ଧିରେ ଧିରେ  ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଲାଣି। ଏଗୁଡ଼ିକର ମରାମତି ହେବା ଆବଶ୍ୟକ ହୋଇ ପଡ଼ିଛି।ମହାବାତ୍ୟା ର ୨୬ ବର୍ଷ ପରେ ପୁରୀ ଜିଲ୍ଲା ଉପକୂଳ ଅଞ୍ଚଳ ର ରଙ୍ଗ ବଦଳି ଯାଇଛି ସତ କିନ୍ତୁ ଏବେ ବି ନୂଆଗଡ ଓ ଉଦୟକଣୀ ଗ୍ରାମ ରେ ସତେଜ ରହିଛି ମହାବାତ୍ୟା ରେ ସଂଗଠିତ ତାଣ୍ଡବ ର ଚିହ୍ନ।
 
 
 
 
 
 

Leave a Reply

Your email address will not be published. Required fields are marked *