ଦୟା ନଦୀରେ ପୋକ ସାଲୁବାଲୁ
୧୦୦ମିଲି ପାଣିରେ ୧ଲକ୍ଷ ୬୦ହଜାର ଇ.କୋଲି ମାରାତ୍ମକ ଜୀବାଣୁ
ପିପିଲି,୨୫/୫:୨୦୧୫ ମସିହା ଜୁନ ମାସରେ ଗଣମାଧ୍ୟମ ପ୍ରଥମେ ସରକାରଙ୍କୁ ସତର୍କ କରାଇଥିଲା ଯେ ଦୟାନଦୀରେ ପୋକ ସାଲୁବାଲୁ । ତାପର ଠାରୁ ମଧ୍ୟ ସମ୍ବାଦ ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛି । ତେବେ ଚେଇଁ ଶୋଇବ ଯିଏ ତାକୁ ଉଠାଇବ କିଏ ନ୍ୟାୟରେ ସରକାର ନିରବ ରହିଲେ । ଫଳରେ କଣାସ ଅଂଚଳରେ ଗତ ଜାନୁୟାରୀ ମାସରେ ୪ଜଣ ନିରୀହ ଲୋକଙ୍କର ପ୍ରାଣ ଯାଇଛି ଶତାଧିକ ଲୋକ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇଥିଲେ । ଖୁବଶିଘ୍ର ଗଙ୍ଗୁଆରେ ଟ୍ରିଟମେଂଟ ପ୍ଲାଂଟ ହେବ ବୋଲି ସରକାର ସେ ସମୟରେ ଘୋଷଣା କରିଥିଲେ । ତେବେ ଅଦ୍ୟାବଧି ତାର ନା ଗନ୍ଧ ନାହିଁ । ସୂଚନା ଅନୁସାରେ ଗଙ୍ଗୁଆ ନଦୀ ଯୋଗୁଁ ଦୀର୍ଘ ବର୍ଷ ହେବ ଦୟାନଦୀର ପାଣି ଜହର ପାଲଟିଛି । ଗଙ୍ଗୁଆ ନଦୀ ହିଁ ଦୟା ପ୍ରଦୂଷଣର ମୁଖ୍ୟ କାରଣ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ତଥ୍ୟ ଅନୁସାରେ ଦୟାରେ ମାରାତ୍ମକ ଜୀବାଣୁ ମାଡ଼ି ଯାଇଛନ୍ତି । ଗଙ୍ଗୁଆ ଦୟାନଦୀର ସଙ୍ଗମ ସ୍ଥଳରେ ୧୦୦ମିଲି ପାଣିରେ ପ୍ରାୟ ୧ଲକ୍ଷ ୬୦ହଜାର ଇ.କୋଲି ମାରତ୍ମକ ଜୀବାଣୁ ଥିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ସୁତ୍ରରୁ ଜଣାଯାଇଛି । ଗବେଷକଙ୍କ ତଥ୍ୟ ଅନୁସାରେ ଗଙ୍ଗୁଆର ପୂର୍ବନାମ ଥିଲା ଗଙ୍ଗାବତୀ । ଏହାର ନିଜସ୍ୱ ଜଳଧାରା ରହିଛି । ଏଥିରେ ୨୧ରୁ ଅଧିକ ପାହାଡ଼ିଆ ଝରଣା ମିଶିଛି । ଛଅ ଦଶନ୍ଧି ପୂର୍ବେ ଏହା ଏକ ବିଶୁଦ୍ଧ ଝରଣା ଭଳି ବୋହି ଯାଉଥିଲା । କିନ୍ତୁ ଏବେ ଭୁବନେଶ୍ୱର ସହରର ସମସ୍ତ ନାଳ ନର୍ଦ୍ଧମା ଓ ଶିଳ୍ପାଂଚଳର ବର୍ଜ୍ୟବସ୍ତୁ ଗଙ୍ଗୁଆ ନଦୀ ଦେଇ ଦୟାନଦୀରେ ମିଶୁଛି । ଏହି ଗଙ୍ଗୁଆ ନଦୀ ଦେଇ ପ୍ରତିଦିନ ୫୬୨ କ୍ୟୁସେକ ଦୂଷିତ ଜଳ ଦୟାନଦୀରେ ମିଶୁଛି । ଫଳରେ ପିପିଲି, ଡେଲାଙ୍ଗ, ସତ୍ୟବାଦୀ ଓ କଣାସ ବ୍ଲକ ଅନ୍ତର୍ଗତ ୧୫୦ରୁ ଅଧିକ ଗାଁର ଅଧିବାସୀ ଏହି ପ୍ରଦୂଷିତ ନଦୀଜଳ ଦ୍ୱାରା ପ୍ରଭାବିତ ହେଉଛନ୍ତି । ନଦୀ ଅବବାହିକାର ଲୋକମାନେ ବିଭିନ୍ନ ସମୟରେ କଲେରା, ଟାଇଫଏଡ଼, ଡିସେଂଟ୍ରୀ, ହେପାଟାଇଟସ, ଜଣ୍ଡିସ, ଆଦି ବିଭିନ୍ନ ଚର୍ମରୋଗ ଓ ପେଟଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଭୁବନେଶ୍ୱରସ୍ଥ ବିଭିନ୍ନ ଶିଳ୍ପ ଓ ହସ୍ପିଟାଲରୁ ନିର୍ଗତ ରଙ୍ଗ ସହ ନମନୀୟ ନୀଳ ଧଳା ଧାତୁ ଏବଂ ବ୍ୟାକ୍ଟେରିଆ ଯୁକ୍ତ ଦୂଷିତ ଜଳ ଗଙ୍ଗୁଆ ନଦୀ ଦେଇ ପ୍ରତିଦିନ ଦୟାନଦୀରେ ମିଶୁଛି । ଫଳରେ ନଦୀରେ ଥିବା ମାଛମାନେ ମଧ୍ୟ ରୋଗାକ୍ରାନ୍ତ ହେଉଛନ୍ତି । ଭୁବନେଶ୍ୱର ସହର ସମେତ ଘାଟିକିଆ, ପଟିଆ, ମଂଚେଶ୍ୱର, ବାଣିବିହାର, ଲକ୍ଷ୍ମୀସାଗର, ବରଗଡ଼, ଏୟାରପୋର୍ଟ, କେଦାରଗୌରୀ ଓ ସାମନ୍ତରାପୁର ଅଂଚଳ ପ୍ରଭୃତି ୧୦ଟି ପ୍ରମୁଖ ପ୍ରାୟ ୧୦୩.୪୩କିମି ବ୍ୟାସାର୍ଦ୍ଧ ନାଳରେ ଘରୋଇ ଓ ଶିଳ୍ପାଂଚଳର ପ୍ରଦୂଷିତ ଜଳ ଉକ୍ତ ଗଙ୍ଗୁଆ ନଦୀ ମଧ୍ୟଦେଇ ଦୟାନଦୀରେ ମିଶୁଛି । ୱାଟର ଟ୍ରିଟମେଂଟ ପ୍ଲାଂଟ ଦ୍ୱାରା ଦୂଷିତ ପାଣିକୁ ବିଶୋଧନ ନକରି ସିଧାସଳଖ ଦୟାନଦୀକୁ ପ୍ରଦୂଷିତ ପାଣି ଛଡ଼ାଯାଉଛି । ବିଷୋଧକ ଯନ୍ତ୍ର ସାହାଯ୍ୟରେ ଗଙ୍ଗୁଆ ପାଣିକୁ ବିଶୋଧନ କରି ଦୟାନଦୀକୁ ଛଡ଼ାଯିବ ବୋଲି ଦୀର୍ଘ ୧୦ ବର୍ଷ ହେବ ଡ୍ରେନେଜ ବିଭାଗ ସ୍ତରରୁ ମଧ୍ୟ ଶୁଣିବାକୁ ମିଳୁଛି । ଗଙ୍ଗୁଆନଦୀ ଚନ୍ଦକା ସଂରକ୍ଷିତ ଜଙ୍ଗଲରୁ ବାହାରି ନନ୍ଦନକାନନ, ପଟିଆ, କଳାରାହାଙ୍ଗ, ମଂଚେଶ୍ୱର, ରସୁଲଗଡ଼, ପଳାଶୁଣି ଆଦି ଅଂଚଳ ଦେଇ ଗୋଟିଏ ଭାଗ କୁଆଖାଇ ଏବଂ ଅନ୍ୟ ଭାଗଟି ପାଣ୍ଡରା, ବଡ଼ଗଡ଼, ଶିଶୁପାଳଗଡ଼, ନୂଆଗାଁ, ପାଂଚଗାଁ ଆଦି ଦେଇ ଦୀର୍ଘ ୪୫ କିମି ଗତିକରି କରି ପିପିଲି କଂଟି ପଂଚାୟତର କଂଟି-ବାରିମୂଳ ଠାରେ ଦୟାନଦୀରେ ମିଶିଛି । ବୈଜ୍ଞାନିକ ମାନଙ୍କର ଗବେଷଣା ଅନୁସାରେ ଗଙ୍ଗୁଆ ଜଳ ବିଷାକ୍ତ ଅଟେ । ଏଥିରେ ଆରସେନିକ, କାଡ଼ମିୟମ, କ୍ରୋମିୟମ, କପର ସୀସା, ପାରଦ ଓ ଜିଙ୍କ ଆଦି ବିଶାକ୍ତ ଧାତବ୍ୟ ଦ୍ରବ୍ୟ ଅଛି । ଯାହାକି ବ୍ୟବହାର ଅନୁପଯୋଗୀ । ବହୁ ସମୟରେ ଦୟାନଦୀରେ ହଜାରହଜାର ସଂଖ୍ୟାରେ ମଲା ମାଛ ଭାସୁଥିବା ଦେଖାଯାଇଛି । ସୂଚନା ଅନୁସାରେ ଉକ୍ତ ନଦୀରେ ଗାଧୋଇବା ଦୂର କଥା ଗୋଡ଼ ବୁଡ଼ାଇଲେ ବିଭିନ୍ନ ଚର୍ମ ରୋଗ ହେଉଛି ବୋଲି ଅଭିଯୋଗ ହେଉଛି । ଏହି ନଦୀଜଳ ମନୁଷ୍ୟ ଠାରୁ ପଶୁପକ୍ଷୀଙ୍କ ପିଇବା ଏବଂ ଚାଷ ଉପଯୋଗୀ ପାଇଁ ବିପଦ ସୃଷ୍ଟି କରିଛି । ଦୟାନଦୀ ଜଳ ଚାଷ ପାଇଁ ଅନୁପଯୁକ୍ତ ବୋଲି ଆଇସିଏଆରର ବୈଜ୍ଞାନିକମାନେ ମଧ୍ୟ ବାରମ୍ବାର କହିଛନ୍ତି ।
ଫଟୋ ଆଟାଚ ଅଛି ।