ବରିଷ୍ଠ ବିଜେପି ନେତା ଲଳିତ ରଥଙ୍କ ପରଲୋକ। ବିଭିନ୍ନ ମହଲରେ ଶୋକ
କାକଟପୁର୯ଆଜି ପର୍ଯ୍ୟନ୍ତ ନିୟୁଜ),( ସନ୍ତୋଷ ଦାଶ) ପୁରୀ ଜିଲ୍ଲା କାକଟପୁର ନିର୍ବାଚନମଣ୍ଡଳୀ ରେ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓ ବିଜେପିର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ, ନିଷ୍ଠାପର କାର୍ୟ୍ୟକର୍ତ୍ତା ତଥା ଦୃଢ଼ ସଂଗଠକ ଲଳିତ କୁମାର ରଥଙ୍କ ପରଲୋକ ଘଟିଛି। ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା। କାକଟପୁର ବ୍ଲକ ଅନ୍ତର୍ଗତ ନରଣପୁର ଗ୍ରାମର ବାସିନ୍ଦା ସ୍ୱର୍ଗତ ରଥଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ତାଙ୍କର ପତ୍ନୀ ଓ ଦୁଇ ଝିଅ ଅଛନ୍ତି। ସ୍ବର୍ଗତ ରଥ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଚାରିଛକ ହସ୍ପିଟାଲ ନିଆଯାଇଥିଲା। ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ହସ୍ପିଟାଲରେ ବହୁ ବିଜେପି ନେତା ପହଞ୍ଚିଥିଲେ। ପରେ ତାଙ୍କ ମୃତଦେହକୁ ବିଜେପି ରାଜ୍ୟ କାର୍ୟ୍ୟାଳୟକୁ ନିଆଯାଇଥିଲା। ସେଠାରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସମ୍ପାଦକ ମାନସ ମହାନ୍ତି, ପୁରୀ ଜିଲ୍ଲା ସଭାପତି ଦେବେନ୍ଦ୍ର ତରାଇ ପ୍ରମୁଖ ତାଙ୍କ ମୃତଦେହରେ ବିଜେପି ପତାକା ଘୋଡାଇବା ସହ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ତାଙ୍କ ମୃତ୍ୟୁରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଥିଲେ ।
