ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର
ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର
ଭୁବନେଶ୍ୱର ତା. ୧୫.୦୭.୨୦୨୫
ତା.୧୫.୭.୨୦୨୫ ରିଖ : ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ସଙ୍ଗୀତଜ୍ଞ, ସଙ୍ଗୀତ ସଂଯୋଜକ ଓ ପ୍ରସିଦ୍ଧ ବେହେଲା ବାଦକ ତଥା ସୁର୍ର ବାଦ୍ଶାହା ସ୍ୱର୍ଗତ ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କର ୯୮ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ‘ପଣ୍ଡିତ ଭୁବନେଶ୍ୱର ମିଶ୍ର ସ୍ମୃତି ସନ୍ଧ୍ୟା’ ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସର ସ୍ଥିତ ‘ଉତ୍କଳ ରଙ୍ଗମଞ୍ଚ’ ରେ ଆୟୋଜିତ ହୋଇଯାଇଛି।
ଏଥିରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ. ଚନ୍ଦ୍ରଶେଖର ହୋତା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ ନିର୍ଦ୍ଦେଶିକା ତଥା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶୁଚିସ୍ମିତା ମନ୍ତ୍ରୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀମତୀ ଅନୁଜା ତାରିଣୀ ମିଶ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ପଣ୍ଡିତ ସ୍ୱର୍ଗତ ମିଶ୍ରଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ଏତତ୍ବ୍ୟତୀତ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତକୁ ଉଜ୍ଜୀବିତ ରଖିବାରେ ଅଦ୍ୟାବଧି ସାଧନାରତ ଓ ଓଡ଼ିଶୀ ଗବେଷଣା କେନ୍ଦ୍ରରେ କାର୍ଯ୍ୟରତ ଗୁରୁ କେଶବ ଚନ୍ଦ୍ର ରାଉତ ଯିଏକି ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ସହିତ ଓତଃପ୍ରୋତ ଭାବରେ ଜଡ଼ିତ ଥିଲେ ଯୋଗଦାନ କରି ସ୍ୱର୍ଗତ ମିଶ୍ରଙ୍କର ସ୍ମୃତିଚାରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଥିଲେ ଗୁରୁ କାଳନ୍ଦୀ ଚରଣ ପରିଡ଼ା, ଗୁରୁ ରମେଶ ଚନ୍ଦ୍ର ଦାସ, ଗୁରୁ ସଚ୍ଚିଦାନନ୍ଦ ଦାସ ଏବଂ ଗୁରୁ ଲୀନା ନନ୍ଦ। ପରେ ପରେ ଓଡ଼ିଶୀ ଗବେଷଣା କେନ୍ଦ୍ରର ଶିଳ୍ପୀମାନଙ୍କ ଦ୍ୱାରା ଗୀତ ଗୋବିନ୍ଦ ଗାନ କରାଯାଇଥିଲା। ଗୁରୁ କେଶବ ଚନ୍ଦ୍ର ରାଉତଙ୍କ ପରିଚାଳନାରେ ଏହା ପରିବେଷିତ ହୋଇଥିଲା। ଏହାକୁ ପରିବେଷଣ କରିଥିଲେ ସ୍ମୃତିରେଖା ପ୍ରତିହାରୀ, ନିଳିମା ପ୍ରଧାନ ଓ ସୁନିତାରାଣୀ ବିଶ୍ୱାଳ। ବାଦ୍ୟାଂଶରେ ସହଯୋଗ କରିଥିଲେ ଗୁରୁ ରମେଶ ଚନ୍ଦ୍ର ଦାସ, ସତ୍ୟାନନ୍ଦ ମିଶ୍ର, ଜୟଗୁରୁ ପ୍ରଧାନ। ପରେ ପରେ ପଣ୍ଡିତ ମିଶ୍ରଙ୍କ ଦ୍ୱାରା ସଂଯୋଜିତ ସଂଗୀତ ‘ଶ୍ୟାମ ସମ କମନୀୟ ନାହିଁ କେ ଆଉ’ ଖୁବ୍ ସୁନ୍ଦର ଭାବରେ ପରିବେଷଣ କରିଥିଲେ ଶିଳ୍ପୀ ସୁନୀତାରାଣୀ ବିଶ୍ୱାଳ। ଏହାକୁ ପରିଚାଳନା କରିଥିଲେ ଗୁରୁ କେଶବ ଚନ୍ଦ୍ର ରାଉତ। ସଂଗୀତ ପର୍ଯ୍ୟାୟ ପରେ ସିତାର ବାଦନ କରିଥିଲେ ଅତିଥି କଳାକାର ଗୁରୁ ରବିଶଙ୍କର ପ୍ରଧାନ। ତାଙ୍କୁ ତବଲାରେ ସହଯୋଗିତା କରିଥିଲେ କୁଳମଣି ସାହୁ। ଏତଦ୍ବ୍ୟତୀତ ଗୁରୁ କେଳୁଚରଣ ମହପାତ୍ରଙ୍କ ଦ୍ୱାରା ନୃତ୍ୟ ସଂଯୋଜିତ ଓ ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ଦ୍ୱାରା ସଂଗୀତ ସଂଯୋଜିତ ନୃତ୍ୟ ‘ଶଙ୍କରାଭରଣ ପଲ୍ଲବୀ’ ପରିବେଷିତ ହୋଇଥିଲା। ଏହାକୁ ପରିବେଷଣ କରିଥିଲେ ଜ୍ୟୋତିରାଣୀ ନାୟକ ଓ ସୂର୍ଯ୍ୟକାନ୍ତ ପ୍ରଧାନ। ମଞ୍ଚ ପରିଚାଳନା କରିଥିଲେ ଗୁରୁ ସଚ୍ଚିଦାନନ୍ଦ ଦାସ।
ଆଜି ଯଦି ଓଡ଼ିଶୀ ସଂଗୀତ ଏବଂ ନୃତ୍ୟ ବିଶ୍ୱର କୋଣ ଅନୁକୋଣରେ ଆଦୃତ ହୋଇଛି ବା ପହଂଚିପାରିଛି ତା’ର ଶ୍ରେୟ ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କୁ ଦିଆଯିବା ଯଥାର୍ଥ ଅଟେ। ସେ ଥିଲେ ସଂଗୀତ ଓ ନୃତ୍ୟ ଜଗତର କର୍ଣ୍ଣଧାର।ଶେଷରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ସଶୁଚିସ୍ମିତା ମନ୍ତ୍ରୀ ସମସ୍ତ କଳାକାର ଓ ଦର୍ଶକବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
