ସମସ୍ୟା ଘେରରେ ହରିଶପୁର ହାଟ
ନିମାପଡ଼ା, (ଏପିନ୍ୟୁଜ) ନିମାପଡ଼ା ବ୍ଲକ ଅଧିନସ୍ଥ ଧନୁଆଁ ପଂଚାୟତ ଅନ୍ତର୍ଗତ ହରିଶପୁର ହାଟ ବହୁବିଧ ସମସ୍ୟା ଘେରରେ ରହିଛି। ଏହି ହାଟର ସମସ୍ୟା ପ୍ରତି ଧ୍ୟାନଦେବାକୁ ସ୍ଥାନୀୟ ଅଂଚଳର ଜନସାଧାରଣ ଦାବୀ କରିଛନ୍ତି। ୫୦ ବର୍ଷ ପୂର୍ବର ଏହି ହାଟ ସପ୍ତାହରେ ମଙ୍ଗଳବାର ଓ ଶନିବାର ଦିନ ବସିଥାଏ। ଆଖପାଖର ହରିପୁର, ଅଲଣ୍ଡା, ଗଡ଼ ପଦନପୁର, ଶାଇଁଶ , ରେଂଚ, ଓ ଧନୁଆଁ ପଂଚାୟତର ଚାଷୀ ଏବଂ ଜନସାଧାରଣ ହାଟ ଉପରେ ନିର୍ଭର କରିଥାନ୍ତି। ଏହି ହାଟଟି ପରିବା ଉତ୍ପାଦନ ଅଚଂଳର ହାଟଭାବେ ପରିଚିତ। ଏହି ହାଟରୁ ଭୁବନେଶ୍ୱର, ପୁରୀ ଇତ୍ୟାଦିକୁ ପରିବା ପଠାଯାଇଥାଏ। ଏହି ହାଟକୁ ଆସୁଥିବା ଚାଷୀ ଏବଂ ବ୍ୟବସାୟୀମାନଙ୍କ ପାଇଁ ହାଟରେ ପିଣ୍ଡି ନଥିବାରୁ ଅତି ଦହନୀୟ ଅବସ୍ଥାରେ ବ୍ୟବସାୟୀମାନେ ତଳେ ପାଲପକାଇ ବସୁଛନ୍ତି। ହାଟର ପରିସୀମା ନଥିବାରୁ ଚାଷୀ ଓ ବ୍ୟବସାୟୀମାନେ ମୁଖ୍ୟ ରାସ୍ତାକଡ଼ରେ ବସି ବ୍ୟବସାୟ କରୁଥିବା କାରଣରୁ ହାଟଦିନ ଟ୍ରାଫିକ ସମସ୍ୟା ଗୁରୁତର ହୋଇପଡିଥାଏ। ପ୍ରତ୍ୟେକବଷର୍ ନିଲାମ ନହେବା ଦ୍ବାରା ପଞ୍ଚାୟତିରାଜର କ୍ଷତି ହେଉଅଛି ଯାହାଦ୍ବାରା ହାଟର ଉନ୍ନତି କାର୍ଯ୍ୟ ହୋଇପାରୁନାହିଁ। ଏହା ସହିତ ହାଟର ଚତୁପାର୍ଶ୍ବରେ ଥିବା ଲୋକମାନେ ହାଟ ଉପରେ ଜବର ଦଖଲ କରୁଥିବାରୁ ହାଟର ପରିସୀମା ସଙ୍କୁଚିତ ହେବାରେ ଲାଗିଛି। ଏହି ସବୁ ଅସୁବିଧା ଗୁଡିକୁ ନେଇ ଧନୁଆଁ ଗ୍ରାମର ଅଧିବାସୀ ନିମାପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପତ୍ର ଲେଖିଛନ୍ତି।