କାକଟପୁର,(ଏ.ପି ନିୟୁଜ)) ସନ୍ତୋଷ ଦାଶ) ଆଜି ଥିଲା ପବିତ୍ର ଚୈତ୍ର ମାସର ପ୍ରଥମ ମଙ୍ଗଳବାର। ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ପ୍ରଥମ ପାଳି ଯାତ୍ରାରେ ମାଙ୍କ ପ୍ରସିଦ୍ଧ ନେତ ଉତ୍ସବ ଅନୁଷ୍ଠିତ ହେବା ସହ ମାଙ୍କ  ନିକଟରେ ମା ଶାରଳା ଙ୍କ ପୀଠରୁ ଆସିଥିବା ଘଣ୍ଟ ପାଟୁଆଙ୍କ  ନୃତ୍ୟ ଅନୁଷ୍ଠିତ ହୋଇଛି । ପ୍ରତ୍ୟୁଷରେ ମନ୍ଦିର ଖୋଲାଯାଇ ମା ଙ୍କ ସ୍ନାନ ମାର୍ଜଣା, ସୂର୍ଯ୍ୟପୂଜା, ବଲ୍ଲଭ ନିତୀ ପରେ ସର୍ବସାଧାରଣ ଦର୍ଶନ ହୋଇଥିଲା । ମଧ୍ୟାହ୍ନରେ ମାଙ୍କ ଆଜ୍ଞାମାଳ ନେଲା ପରେ ମାଙ୍କ ସେବକ ମାନେ ଚୁଆ,ହଳଦୀ ଓ ବିଶୁଦ୍ଧ ଜଳରେ ମନ୍ଦିର ଚୁଡ଼ା ରେ ଥିବା ନୀଳ ଚକ୍ରକୁ ସ୍ନାନ କରିବା ସହିତ ପୁରୁଣା ନେତକୁ ପରିବର୍ତ୍ତନ କରି ନୂତନ ଶ୍ଵେତ ନେତ ବାନ୍ଧି ଥିଲେ ।ମାଙ୍କ ଏହି ନେତ ଉତ୍ସବ ରେ ମା ଶାରଳା ଙ୍କ ପୀଠରୁ ଆସିଥିବା ପାଟୁଆ ଓ ସ୍ଥାନୀୟ ପାଟୁଆ ମାନେ  ପ୍ରାଚୀ ନଦୀରୁ ପାଣି ତୋଳି ଆଣି ଆସିବା ପରେ ମାଙ୍କ ସମ୍ମୁଖରେ ଘଣ୍ଟ ପାଟୁଆ ନୃତ୍ୟ କରିଥିଲେ । ଆଜି ପବିତ୍ର ନେତୋ ଉତ୍ସବ ଅବସରରେ ମନ୍ଦିର ପରିସର ରେ ଦୀକ୍ଷିତ ସେବକ ଓ ଯାଦବ ସେବକ ମାନେ ପରସ୍ପର ଦେହରେ ଅବିର ( ଫଗୁ) ବୋଳି ହୋଲି ପାଳନ କରିଥିଲେ ।  ମାଙ୍କ ଏକ ମାସ ବ୍ୟାପି ଝାମୁ ଯାତ୍ରା ର ଆଜି ପ୍ରଥମ ପାଳି ଯାତ୍ରା ରେ ଆଖପାଖ ଅଞ୍ଚଳର ହଜାର ହଜାର ଗୋପାଳ ମାନେ ନିକଟସ୍ଥ ଦେଉଳି ମଠରୁ ଏକ ଶୋଭାଯାତ୍ରା ରେ ଆସି ପାରମ୍ପରିକ ଲଉଡି ଖେଳି ଓଗାଳ ଗାଇ ମନ୍ଦିର ବେଢ଼ା ପରିକ୍ରମା କରିଥିଲେ । ବହୁ ସଂଖ୍ୟାରେ ମାଙ୍କ ଭକ୍ତ ମାନେ ମାଙ୍କ ଦର୍ଶନ ପାଇଁ ଦିନ ତମାମ ମନ୍ଦିର ରେ ଭିଡ ଲଗାଇଥିଲେ ।  ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର କୁ ରଙ୍ଗୀନ ଆଲୋକ ମାଳା ଏବଂ ଫୁଲରେ ସୁସଜ୍ଜିତ କରାଯାଇଥିବା ବେଳେ ସ୍ଥାନୀୟ ପୋଲିସ ପ୍ରଶାସନ ଓ ମନ୍ଦିର ପ୍ରସାଶନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଚୈତ୍ର ମାସ ର ଚାରି ମଙ୍ଗଳବାର ମନ୍ଦିର ରେ ପାଳି ଯାତ୍ରା ଅନୁଷ୍ଠିତ ହେବା ସହିତ ବୈଶାଖ ମାସ ର ପ୍ରଥମ ମଙ୍ଗଳବାର ଦିନ ପ୍ରସିଦ୍ଧ ଝାମୁ ଯାତ୍ରା ଅନୁଷ୍ଠିତ ହେବ ବୋଲି ମଙ୍ଗଳା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାଶ ପ୍ରକାଶ କରିଛନ୍ତି।