ରାଜ୍ୟ

କୁଞ୍ଜେ ମୁରଲୀ ବାଜୁଛି ନୃତ୍ୟରେ ପ୍ରେମର ବୈତରଣୀ..

Spread It

କଳା ଓ ସାଂସ୍କୃତିକ ପତ୍ରିକା ‘କଳାକୃତି’ର୧୫ତମ ପ୍ରତିଷ୍ଠା ଉତ୍ସବ

ଭୁବନେଶ୍ୱର:- କଳା ଓ ସାଂସ୍କୃତିକ ପତ୍ରିକା ‘କଳାକୃତି’ର୧୫ତମ ପ୍ରତିଷ୍ଠା ଉତ୍ସବ ଭଞ୍ଜକଳା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ନୃତ୍ୟଶାଳା ଅନୁଷ୍ଠାନ ଦ୍ୱାରା ପ୍ରକଶିତ ହେଉଥିବା ଏହି ପ୍ରତିଷ୍ଠା ଉତ୍ସବରେ ଅତିଥି ଭାବେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ମର୍ଦ୍ଦଳ ଗୁରୁ ଧନେଶ୍ୱର ସ୍ୱାଇଁ, ପ୍ରତିଷ୍ଠିତ ନାଟ୍ୟ ବିଶାରଦ ତଥା ନିର୍ଦ୍ଦେଶକ ଲାଲାବିରେନ ରାୟ, ଓଡିଶୀ ନୃତ୍ୟଶିଳ୍ପୀ ଅଭିନେତ୍ରୀ ପ୍ରିୟମ୍ବଦା ରାୟ, ଗୁରୁ ଅଶୋକ କୁମାର ଘୋଷାଲ ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ସମାଜରେ କଳା ସଂସ୍କୃତିକୁ ପ୍ରଚାର ପ୍ରସାର କରିବାରେ କଳାକୃତି ପତ୍ରିକାରେ ଅବଦାନକୁ ଅତିଥିମାନେ ଭୂୟଶି ପ୍ରଶଂସା କରିଥିଲେ।
ସାଂସ୍କୃତିକ କାର୍ଯ୍ୟକ୍ରମ ଓଡିଶୀ ନୃତ୍ୟ ମଙ୍ଗଳାଚରଣରୁ ଆରମ୍ଭ ହୋଇଥିଲା। ମଙ୍ଗଳାଚରଣ ‘ଓଁ ନମୋ ଶିବାୟ.. ଶ୍ଲୋକରେ ଶିଳ୍ପୀମାନେ ନୃତ୍ୟ କରିଥିଲେ। ମହାଦେବଙ୍କ ସ୍ତୁତି ଗାନ କରି ନୈବେଦ୍ୟ ବାଢ଼ିଥିଲେ। ଏହି ନୃତ୍ୟର ମୂଳ ସଂରଚନା କରିଥିଲେ ପଦ୍ମଶ୍ରୀ ପଙ୍କଜ ଚରଣ ଦାସ, ଏହାକୁ ନୃତ୍ୟରେ ସଜାଇ ଥିଲେ ଗୁରୁ ଅଶୋକ କୁମାର ଘୋଷାଲ। ପରବର୍ତି ନୃତ୍ୟ ଥିଲା ସ୍ଥାୟୀନୃତ୍ୟ। ଓଡିଶୀ ନୃତ୍ୟରେ ଏହି ସ୍ଥାୟୀ ନୃତ୍ୟ ସ୍ୱତନ୍ତ୍ରତା ରଖିଥାଏ। ଓଡିଶୀ ନୃତ୍ୟର ନୃତ୍ୟଶୈଳୀ, ଭାବଭଙ୍ଗି ତଥା ଶାସ୍ତ୍ରୀୟତାର ପରାକାଷ୍ଠା ଏହି ନୃତ୍ୟରେ ଦେଖିବାକୁ ମିଳେ। ଯାହାକୁ ଶିଳ୍ପୀମାନେ ଚମତ୍କାର ଭାବେ ପରିବେଷଣ କରିଥିଲେ। ଯାହାର ନୃତ୍ୟ ସଂରଚନା ପଦ୍ମଶ୍ରୀ ପଙ୍କଜ ଚରଣ ଦାସ କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଅଶୋକ କୁମାର ଘୋଷାଲ। ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁ ତଥା ନୃତ୍ୟଶିଳ୍ପୀ ବନ୍ଦିତା ଘୋଷାଲ ଏକକ ନୃତ୍ୟାଭିନୟ ପରିବେଷଣ କରିଥିଲେ । ପୁରାତନ ରଚନା ‘କୁଞ୍ଜେ ମୁରଲୀ ବାଜୁଛି… ଗୀତରେ ରାଧାକୃଷ୍ଣଙ୍କ ଶାସ୍ୱତ ପ୍ରେମକୁ ପ୍ରତିବାଦିତ କରିଥିଲେ। ଶ୍ରୀକୃଷ୍ଣ ଓ ରାଧାଙ୍କ ପ୍ରେମମୟ ଗାଥାକୁ ନୃତ୍ୟରେ ତୋଳିଧରିବାର ପ୍ରୟାସ କରିଥିଲେ। ଏହି ନୃତ୍ୟକୁ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଅଶୋକ କୁମାର ଘୋଷାଲ। ପରେ ଅନ୍ୟ ଶିଳ୍ପୀମାନେ ‘ମନସାଂ ସତତମ୍‌ ସ୍ମରଣୀୟମ୍‌.. ସଂସ୍କୃତ ଶ୍ଲୋକରେ ନୃତ୍ୟ କରିଥିଲେ। ପରେ ଲୋକନୃତ୍ୟ କାର୍ଯ୍ୟକ୍ରମରେ ସମ୍ବଲପୁରୀ ନୃତ୍ୟ ‘ଧୁଙ୍ଗୁରୀ ପାହାଡ ତଲେ… ଗୀତରେ ଛୋଟ ଛୋଟ ଶିଳ୍ପୀମାନେ ଚମତ୍କାର ଭାବେ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ। ଗ୍ରାମ୍ୟ ଜୀବନର ଚଳଣି ଓ ବେଶ ପରିପାଟୀ ଦର୍ଶକଙ୍କୁ ଆମୋଦିତ କରିଥିଲା। ଶେଷରେ ଆଦିବାସୀ ନୃତ୍ୟ ପରିବେଶିତ ହୋଇଥିଲା। ଶିଳ୍ପୀମାନେ ଆଦିବାସୀ ପରମ୍ପରା ଓ ସଂସ୍କୃତିର ମହାନୀୟତାକୁ ନୃତ୍ୟରେ ମଂଚରେ ପ୍ରଦର୍ଶନ କରିବାର ପ୍ରୟାସ କରିଥିଲେ। ପାହାଡ ପର୍ବତ ଘେରା ପରିବେଶ ସହ ଅତୁଟ ବନ୍ଧନ ଥିବା ଜୀବନ ଚଳଣୀ ଓ ଗ୍ରାମ୍ୟ ପରମ୍ପରାର ସଂସ୍କୃତି ଏହି ନୃତ୍ୟରେ ଦୃଷ୍ଟିଗୋଚର ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ଗୁରୁ ପ୍ରଦୀପ ଦାସ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *