ଘରେ ଘରେ ମାଣ ଧାନ ଓ ଧାନ କେଣ୍ଡା ରେ ପୂଜା ପାଇଲେ ମା ଲକ୍ଷ୍ମୀ
ଚାରିଛକ,(ସନ୍ତୋଷ ଦାଶ): ଏପି ନ୍ୟୁଜ- ଆଜି ଥିଲା ପବିତ୍ର ମାର୍ଗଶିର ମାସ ର ଚତୁର୍ଥ ଗୁରୁବାର। ଚାରିଛକ, ନିମାପଡ଼ା, ନୟାହାଟ, କାକଟପୁର ଅଞ୍ଚଳ ର ଘରେ ଘରେ ମାଣ ବସାଯାଇ ପାରମ୍ପରିକ ପ୍ରଥାନୁସାରେ ଧନଦାତ୍ରୀ ମା ଲକ୍ଷ୍ମୀ ଙ୍କ ପୂଜା ଅନୁଷ୍ଠିତ ହୋଇଥିଲା। ଗତ କାଲି ବିଳମ୍ୱିତ ରାତିରେ ଘର ର ମହିଳା ମାନେ ଅରୁଆ ଚାଉଳ ବାଟି ସେଥିରେ ଘର, ଦ୍ଵାର, ଘର ର ପ୍ରବେଶ ପଥ,ପୂଜା ଗୃହ,ଚଉରା ମୂଳରେ ଝୋଟି ରେ ପଦ୍ମ ଫୁଲ, ଲକ୍ଷ୍ମୀ ପାଦ ଆଙ୍କି ଥିଲେ। ଆଜି ପ୍ରାତଃ ରୁ ଉଠି ସ୍ନାନ କରି ଘର ର ପୂଜା ଗୃହ ରେ ଏକ ଆସ୍ଥାନ ରେ ନୂଆ ଧଳା ଧାନ ରେ ପ୍ରସ୍ତୁତ ମେଣ୍ଟ କୁ ଧାନ ପୂର୍ଣ୍ଣ ମାଣ ଉପରେ ଥୋଇ ନବ ବସ୍ତ୍ର, ଫୁଲ ମାଳ ପିନ୍ଧାଇ ଲକ୍ଷ୍ମୀ ମା ଙ୍କ ପରି ବସାଇଥିଲେ। ସେହି ଲକ୍ଷ୍ମୀ ଠାକୁରାଣୀ ଙ୍କ ସମ୍ମୁଖ ରେ ସକାଳେ ଛେନା, କଦଳୀ, ଫଳ ମୂଳ ଭୋଗ ଲାଗି କରିଥିଲେ। ମଧ୍ୟାହ୍ନ ରେ ଅନ୍ନ, ଡ଼ାଲମା, ଭଜା, ଶାଗ, ଦହି ପଖାଳ, ଖଟା, ଖିରି ଭୋଗ ଲାଗି କରିଥିବା ବେଳେ ସଂଧ୍ୟା ରେ ପୁନଃ ବାଳ ଭୋଗ ଲାଗି କରି ସଂଧ୍ୟା ଆଳତୀ ରେ ବନ୍ଦାପନା କରିଥିଲେ। ଦିନ ରେ ମା ଲକ୍ଷ୍ମୀ ଙ୍କ ସମ୍ମୁଖ ରେ ବଳରାମ ଦାସ ଙ୍କ ରଚିତ ଲକ୍ଷ୍ମୀ ପୁରାଣ ପାଠ କରାଯାଇଥିଲା। ମାର୍ଗଶିର ମାସ ଚତୁର୍ଥ ପାଳି ଗୁରୁବାର ହୋଇ ଥିବାରୁ ଜାତି ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଆଜି ଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଥିଲା। ଏହି ପୂଜା କରିବା ଦ୍ୱାରା ଗୃହ ରେ କେବେ ଆର୍ଥିକ ଅନାଟନ ହେବ ନାହିଁ ବୋଲି ବିଶ୍ୱାସ ରହିଛି।ଲକ୍ଷ୍ମୀପୂଜା ପାଇଁ ଘରେ ଘରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।
