ମା ମଙ୍ଗଳା ଙ୍କ ଘୋଡ଼ଲାଗି ବେଶ ଆରମ୍ଭ
କାକଟପୁର,( ସନ୍ତୋଷ ଦାଶ ) ମାର୍ଗଶିର ଶୁକ୍ଲପକ୍ଷ ଷଷ୍ଠୀ ତିଥି ରେ ପୁରୀ ଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମା ମଙ୍ଗଳା ଙ୍କ ର ବିଳମ୍ବିତ ରାତ୍ରରେ ଓଢଣ ଷଷ୍ଠୀ ତିଥି ରେ ଘୋଡଲାଗି ନୀତି ଓ ବେଶ ଅନୁଷ୍ଠିତ ହୋଇଯାଇଛି। ମାର୍ଗଶିର ଷଷ୍ଠୀ ଠାରୁ ମା ମଙ୍ଗଳା ଙ୍କ ଘୋଡ ଲାଗି ବେଶ ଆରମ୍ଭ ହୋଇ ମାଘ ମାସ ବସନ୍ତ ପଞ୍ଚମୀ ପର୍ୟ୍ୟନ୍ତ ୬୦ ଦିନ ଅନୁଷ୍ଠିତ ହୋଇଥାଏ ବୋଲି ମା ଙ୍କ ପୂଜକ କମଳ ଲୋଚନ ଦୀକ୍ଷିତ ପ୍ରକାଶ କରିଛନ୍ତି । ପୁରୀ ଜିଲ୍ଲା କାକଟପୁର ବାସିନୀ ମା “ମଙ୍ଗଳା ଙ୍କ ର ଶ୍ରୀ ଜଗନ୍ନାଥ ସଂସ୍କୃତି ସହିତ ରହିଛି ନିବିଡ଼ ସମ୍ପର୍କ। ଏଣୁ ଶ୍ରୀ ମନ୍ଦିର ପରି ଏଠାରେ ବାର ମାସରେ ତେର ପର୍ବ, ବିଭିନ୍ନ ଯାନିଯାତ୍ରା, ଉତ୍ସବ ପାଳିତ ହୋଇଥାଏ। ଶୀତ ଦିନରେ ଶୀତ ଦାଉରୁ ରକ୍ଷା ପାଇଁ ମା “ମଙ୍ଗଳା ଶୀତ ବସ୍ତ୍ର ତଥା ଘୋଡଧାରଣ କରିଥାନ୍ତି। ଘୋଡବସ୍ତ୍ର ମାନ ସାଧାରଣତଃ ମଖମଲ ଓ ସୂତା କପଡାରେ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ କରାଯାଇଥାଏ। ପରମ୍ପରା ଅନୁଯାୟୀ ମା “ମଙ୍ଗଳା ପ୍ରତ୍ୟେକ ବାରରେ ଭିନ୍ନ ଭିନ୍ନ ଘୋଡବସ୍ତ୍ର ଲାଗି ହୋଇଥାନ୍ତି। ଓଢଣ ଷଷ୍ଠୀ ଅବସର ରେ ମା ମଙ୍ଗଳା ଙ୍କ ସକାଳ ଧୂପ, ମଇଲମ, ଅବକାଶ ନୀତି ସହ ବିଭିନ୍ନ ନୀତିକାନ୍ତି ଓ ରାତ୍ରଧୂପ ସରିବା ପରେ ଘୋଡ ଲାଗି ବେଶ ଅନୁଷ୍ଠିତ ହୋଇଥାଏ। ଏହା ସହ ମନ୍ଦିର ଭିତରେ ଥିବା ବିଭିନ୍ନ ପାର୍ଶ୍ୱ ଦେବା ଦେବୀ ମଧ୍ୟ ଶୀତ ବସ୍ତ୍ର ପରିଧାନ କରିଥାନ୍ତି। ମା ‘ମଙ୍ଗଳା ଙ୍କ ସ୍ୱତନ୍ତ୍ର ଘୋଡଲାଗି ବେଶ ଦର୍ଶନ ପାଇଁ ଭକ୍ତ ମନରେ ଅନେକ ଉତ୍କଣ୍ଠା ଦେଖା ଦେଇଥାଏ।
