ଋଥ ଯାତ୍ରା ଶେଷ ସମନ୍ୱୟ ମନ୍ତ୍ରୀ କମିଟର ବୈଠକ
ପୁରୀ ୧୯/୬( ଏ.ପି ନ୍ୟୁଜ)ଚଳିତ ବର୍ଷ ସମସ୍ତ ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀ ଯେପରି ସୁନ୍ଦର, ସୁଖଦ ଓ ଶୃଙ୍ଖଳିତ ଦର୍ଶନ କରିବେ ସେଥିପାଇଁ ପ୍ରତ୍ୟେକ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ରଥଯାତ୍ରା ପାଇଁ ଗଠିତ ଉଚ୍ଚ ସ୍ତରୀୟ ମନ୍ତ୍ରୀ କମିଟି। ଆଜି ପୂର୍ବାହ୍ନରେ ଉପମୁଖ୍ୟମନ୍ତ୍ରୀ ତଥା ରଥଯାତ୍ରା ଉଚ୍ଚ ସ୍ତରୀୟ ମନ୍ତ୍ରୀ କମିଟିର ଅଧ୍ୟକ୍ଷ ପ୍ରଭାତୀ ପରିଡା ପୁରୀ ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ,ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରମୁଖ ପହଞ୍ଚି ଥିଲେ। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସମସ୍ତଙ୍କୁ ସ୍ବାଗତ କରିବା ସହ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ବିଷଦ ଭାବେ ଅବଗତ କରାଇଥିଲେ। ପରେ ପରେ ସମସ୍ତ ମନ୍ତ୍ରୀ ମାନଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ରଥଖଳା ପରିଦର୍ଶନ କରି ରଥ ନିର୍ମାଣର ଅଗ୍ରଗତି ଅନୁଧ୍ୟାନ କରିଥିଲେ। ମନ୍ତ୍ରୀ ସ୍ତରୀୟ କମିଟି ସିଂହ ଦ୍ଵାର ଓ ଶ୍ରୀମନ୍ଦିର ପରିଦର୍ଶନ କରିବା ସହ ଅତିଥି ମାନଙ୍କ ବସିବା ବ୍ୟବସ୍ଥା କୁ ତଦାରଖ କରିଥିଲେ। ଶ୍ରୀମନ୍ଦିର କାର୍ଯ୍ୟାଳୟ ରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସମସ୍ତଙ୍କୁ ସ୍ବାଗତ କରି ରଥଯାତ୍ରା ନିତୀକାନ୍ତି ସମ୍ପର୍କରେ ସୂଚନା ଦେବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ନିତୀ ସମ୍ପର୍ଣ୍ଣ ପାଇଁ ସେବାୟତ ମାନଙ୍କ ସହ ଆଲୋଚନା ସମ୍ପର୍କରେ ଅବଗତ କରାଇଥିଲେ। ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ସ୍ବାସ୍ଥ୍ୟ ବ୍ୟବସ୍ଥା ସମ୍ପର୍କରେ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା ମହାପାତ୍ର ସ୍ବଛତା, ଡ୍ରେନ ସଫା, ଆଲୋକ ବ୍ୟବସ୍ଥା ସମ୍ପର୍କରେ ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ଜେନା ପରିବହନ ବ୍ୟବସ୍ଥା, ପାର୍କିଂ ସ୍ଥଳ,୨୦୦ ଅଟୋ ମାଧ୍ୟମରେ ମାଗଣାରେ ଯାତ୍ରୀ ପରିବହନ ବ୍ୟବସ୍ଥା ଓ ଯାତ୍ରୀ ମାନଙ୍କ ସୁବିଧା ପାଇଁ ନିଆଯାଇଥିବା ସମସ୍ତ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ପାଢ଼ୀ ସମସ୍ତଙ୍କୁ ଖଣ୍ଡୁଆ ପାଟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଉଚ୍ଚ ସ୍ତରୀୟ ମନ୍ତ୍ରୀ କମିଟି ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ସ୍ବାସ୍ଥ୍ୟ ବ୍ୟବସ୍ଥା ର ଅନୁଧ୍ୟାନ କରିବା ସହ ବିଭିନ୍ନ ପରାମର୍ଶ ମାନ ଦେଇଥିଲେ। କମିଟି ଗୁଣ୍ଡିଚା ମନ୍ଦିର ପରିଦର୍ଶନ କରିଥିଲେ। ଅପରାହ୍ନରେ ସର୍କିଟ ହାଉସଠାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀମତୀ ପରିଡା ଏଥିରେ ଅଧ୍ୟକ୍ଷତା କରିବା ସହ ସ୍ବାସ୍ଥ୍ୟ ବ୍ୟବସ୍ଥା କୁ ଅଧିକ ସୁଦୃଢ କରିବା, ସୂଚନା କେନ୍ଦ୍ର ଗୁଡିକ ସଠିକ ପରିଚାଳନା କରିବା, ଯାତ୍ରୀ ମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା,ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଯୋଗାଣ, ରାସ୍ତା ମରାମତି, ସୁରକ୍ଷା ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ଦୂରଦର୍ଶନ ମାଧ୍ୟମରେ ରଥଯାତ୍ରା ର ସିଧା ପ୍ରସାରଣ ଇତ୍ୟାଦି ସମ୍ପର୍କରେ ବିଷଦ ସମୀକ୍ଷା କରିବା ସହ କାର୍ଯ୍ୟ ତ୍ବରାନ୍ବିତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୀକ୍ଷା ରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଦୟାଲ ଗଙ୍ଗୱ୍ବର,ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶି,ଆଇନ ବିଭାଗ ପ୍ରମୁଖ ସଚିବ ମାନସ ରଞ୍ଜନ ବାରିକ,କେନ୍ଦ୍ରାଞ୍ଚଳ ଆଇ ଜି ପ୍ରବୀଣ କୁମାର,ଆଇ ଜି ଟ୍ରେନିଂ ଅନୁପ କୁମାର ସାହୁ,ଏସ ପି ବିନୀତ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡଃ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।
