ମା ମଙ୍ଗଳାଙ୍କ ମନ୍ଦିରରେ ଚୈତ୍ର ଯାତ୍ରା ଆରମ୍ଭ।
ମା ମଙ୍ଗଳାଙ୍କ ମନ୍ଦିରରେ ଚୈତ୍ର ଯାତ୍ରା ଆରମ୍ଭ।
କାକଟପୁର : ଚୈତ୍ର ମାସ ଆରମ୍ଭ ହେବା ପରେ ମାର୍ଚ୍ଚ ୧୮ ତାରିଖ ଠାରୁ ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ମନ୍ଦିର ରେ ଆରମ୍ଭ ହୋଇଛି ଚୈତ୍ର ଯାତ୍ରା। ୧୮ ତାରିଖ ପ୍ରଥମ ମଙ୍ଗଳବାର ଦିନ ପାରମ୍ପରିକ ପ୍ରଥାନୁସାରେ ମା ମଙ୍ଗଳା ଙ୍କ ମନ୍ଦିର ରେ ଅନୁଷ୍ଠିତ ହୋଇଥିଲା ପ୍ରଥମ ପାଳି ଯାତ୍ରା। ଏହି ଅବସର ରେ ମନ୍ଦିର ରେ ନେତୋତ୍ସବ, ବେହେରା ସେବକ ଙ୍କ ଲଉଡ଼ି ଖେଳ, ଘଣ୍ଟ ପାଟୁଆ ଙ୍କ ପାଟୁଆ ନୃତ୍ୟ ପ୍ରଦର୍ଶନ ହୋଇଥିଲା। ସେହିପରି ୨୫ ତାରିଖ ଦିନ ଦ୍ଵିତୀୟ ପାଳି ଯାତ୍ରା ଅନୁଷ୍ଠିତ ହୋଇଥିଲା। ରାତ୍ର ତିନିଘଡି ଥାଇ ମନ୍ଦିର ଦ୍ବାରଫିଟା ପରେ ମଙ୍ଗଳ ଆଳତି, ଭିତର ଶୋଧ, ସ୍ନାନ, ବେଶ, ଚନ୍ଦନ ଲାଗି ପରେ ସୂର୍ଯ୍ୟପୂଜା, ବଲ୍ଲଭ ନୀତି କରାଯାଇଥିଲା ।ବଲ୍ଲଭ ନୀତି ପରେ ସକାଳ ଧୂପ, ବନ୍ଦାପନା ଆଳତୀ କରାଯାଇ ସର୍ବସାଧାରଣ ମାନଙ୍କ ଦର୍ଶନ ପାଇଁ ମନ୍ଦିର ର ସାହାଣ ମେଲା କରା ଯାଇଥିଲା । ବିଭିନ୍ନ ଅଞ୍ଚଳରୁ ଆସିଥିବା ହଜାର ହଜାର ମାତୃଭକ୍ତ ବ୍ୟାରିକେଟ ମଧ୍ଯ ରେ ଧାଡ଼ି ରେ ମନ୍ଦିର ଭିତରକୁ ଯାଇ ମା ମଙ୍ଗଳା ଙ୍କୁ ଦର୍ଶନ କରିଥିଲେ। ଦ୍ୱିତୀୟ ପାଳି ଯାତ୍ରା ଅବସର ରେ ମା ଙ୍କୁ ଚନ୍ଦନ ବେଶ ରେ ସଜ୍ଜିତ କରାଯାଇଥିଲା। ସଧବା ମହିଳା ମାନେ ନିଜ ସ୍ଵାମୀ ଓ ସନ୍ତାନ ମାନଙ୍କ ମଙ୍ଗଳ କାମନା କରି ମନ୍ଦିର ବେଢାରେ ଥିବା ପନ୍ଥେଇ କୁ ପୂଜା କରିଥିଲେ। ଏହି ସମୟ ରେ ହରିବୋଲ ହୁଳହୁଳି ଶବ୍ଦରେ ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳ ପ୍ରକମ୍ପିତ ହୋଇ ପଡ଼ିଥିଲା। ଆଜି ମନ୍ଦିର ରେ ପୂଜାପଣ୍ଡା ଓ ପାଳିଆ ପଣ୍ଡା ଭାବେ ପ୍ରକାଶ ପଣ୍ଡା ମା ଙ୍କ ପୂଜା ନୀତି ଅନୁଷ୍ଠିତ କରିଥିଲେ। ଦିନ ପ୍ରାୟ ୨ ଟା ସମୟ ରେ ଜଗତସିଂହପୁର ଅଞ୍ଚଳ ରୁ ଆସିଥିବା ରାଉଳ ସେବକ ମାନେ ଓ ସ୍ଥାନୀୟ ଅଞ୍ଚଳ ର ଭୋଇ ସେବକ ମାନେ ପ୍ରାଚୀ ନଦୀ ର ଘଣ୍ଟତୋଳା ତୁଠ ରୁ ପାଣିତୋଳି ଏକ ବିରାଟ ଶୋଭାଯାତ୍ରା ରେ ମନ୍ଦିର କୁ ଆସିଥିଲେ। ମନ୍ଦିର ବେଢା ରେ ଓ ସମ୍ମୁଖ ରେ ପାଟୁଆ ନୃତ୍ୟ ପରିବେଷଣ କରିଥିଲେ। ରାତି ରେ ଭ୍ରମଣୀ ନୀତି ଓ ଭୋଗ ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ପାଳି ଯାତ୍ରା ପାଇଁ ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମୁଖ୍ୟ ରାସ୍ତା ର ତୋରଣ ଠାରୁ ମନ୍ଦିର ପର୍ଯ୍ୟନ୍ତ ମେଳା ଲାଗିଥିଲା। ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାଶ ମନ୍ଦିର ରେ ଉପସ୍ଥିତ ରହି ସବୁ କାର୍ଯ୍ୟ ର ତଦାରଖ କରିଥିଲେ। କାକଟପୁର ଥାନା ଆଇଆଇସି ଆଇନ ଶୃଙ୍ଖଳା ପରିସ୍ଥିତି ଅନୁଧ୍ୟାନ କରିଥିଲେ। ମନ୍ଦିର ଓ ମୁଖ୍ୟ ରାସ୍ତା ଉପରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଆସନ୍ତା ଏପ୍ରିଲ ୧ ତାରିଖ ରେ ତୃତୀୟ ପାଳି ଯାତ୍ରା, ଏପ୍ରିଲ ୮ ତାରିଖ ରେ ଚତୁର୍ଥ ପାଳି ଯାତ୍ରା ଓ ଏପ୍ରିଲ ୧୫ ତାରିଖ ଦିନ ପଞ୍ଚମ ପାଳି ଯାତ୍ରା ବା ପ୍ରସିଦ୍ଧ ଝାମୁଯାତ୍ରା ଅନୁଷ୍ଠିତ ହେବ। ଏକ ମାସ ବ୍ୟାପି ଚୈତ୍ର ଯାତ୍ରା ଅନୁଷ୍ଠିତ ହେଉଥିବାରୁ କାକଟପୁର କୁ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରୁ ମାତୃଭକ୍ତ ମାନେ ଛୁଟି ଆସୁଛନ୍ତି।କାକଟପୁର ଅଞ୍ଚଳ ଉତ୍ସବ ମୁଖର ହୋଇ ପଡ଼ିଛି।