ସରକାରୀ କାର୍ଯ୍ୟାଳୟରେ ୪ଦିନ ହେଲା ଅନଲାଇନ ସେବା ଠପ
ସରକାରୀ କାର୍ଯ୍ୟାଳୟରେ ୪ଦିନ ହେଲା ଅନଲାଇନ ସେବା ଠପ
ନିମାପଡାଡ଼ ୨୩/୩ ଏନଏସି ଅଧିକାରୀ ଓ ନିଭ୍ ଏନର୍ଜି ସଂସ୍ଥାର ଦାୟିତ୍ୱହୀନତାରୁ ନିମାପଡ଼ାର ମୁଖ୍ୟ ସରକାରୀ କାର୍ଯ୍ୟାଳୟ ଗୁ ୪ଦିନ ହେଲା ଅନଲାଇନ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ସମେତ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଧିକାରୀ ମାନେ ସମାଧାନର ବାଟ ବାହାର କରିବା ପରିବର୍ତ୍ତେ ପରସ୍ପର ଉପରେ ଦୋଷ ଲଦି ଚାଲିଛନ୍ତି। ସୂଚନା ମୁତାବକ ଏନଏସି ଅଂଚଳରେ ଆଲୋକୀକରଣ ପାଇଁ ବିଭିନ୍ନ ୱାର୍ଡ଼ର ରାସ୍ତାକଡରେ ଖୁଣ୍ଟ ପୋତା କାର୍ଯ୍ୟଚାଲୁରହିଛି । କୋର୍ଟ ନିକଟସ୍ଥ ସାଇ ଲୋଟସ ମଣ୍ଡପ ନିକଟରେ ଖାଲ ଖୋଳାଯିବା ସମୟରେ ତଳେଯାଇଥିବା ବିଏସଏନଏଲ ତାର କ୍ଷତିଗ୍ରସ୍ତ ହୋଇଛି। ୪ଟି ଜାଗାରେ ଏପରି ହେବାଦ୍ବାରା କୋର୍ଟ ସମେତ ତହସିଲ, ଜଳସେଚନ ବିଭାଗ, ପୂର୍ତ୍ତବିଭାଗ, ବ୍ଲକ ଆଦି ବହୁସଂଖ୍ୟଜ ସରକାରୀ କାର୍ଯ୍ୟାଳୟରେ ଅନଲାଇନ ସେବା ବ୍ୟାହତ ହୋଇଛି। ବିଏସଏନଏଲ ଅଧିକାରୀଙ୍କ କହିବା ମୁତାବକ ଏନଏସି ଅଧିକାରୀ ମାନୁଆଲ ଖାଲ ଖୋଳିବା ପରିବର୍ତ୍ତେ ମେସିନ ଦ୍ୱାରା ଖୋଳିବାରୁ ଡ଼ିପି ସମେତ ତାର ନଷ୍ଟ ହୋଇଛି। ସେମାନଙ୍କୁ ପୂର୍ବରୁ ଆମେ ଅବଗତ କରାଇଥିଲୁ ଖାଲ ମାନୁଆଲି ଖୋଳିବା ପାଇଁ, ସେମାନେ ଆମକଥାକୁ ଗୁରୁତ୍ୱ ନଦେଇ ନିଜ ହିସାବରେ କରିଛନ୍ତି। ସେହିଭଳି ଏନଏସି ନିର୍ବାହୀ ଅଧିକାରୀ କହୁଛନ୍ତି ନିଭ୍ ଏନର୍ଜି ସଂସ୍ଥା ମନମାନି କରୁଛି, ନିଜ ମନ ମୁତାବକ କାର୍ଯ୍ୟ କରୁଛି। ଯାହାଫଳରେ ସଂସ୍ଥା ଏବଂ କାର୍ଯ୍ୟାଳୟ ମଧ୍ୟରେ ସଠିକ ତାଳମେଳ ରହୁନି। ଏଠାରେ ପ୍ରଶ୍ନ ଉଠୁଛି ଗୋଟିଏ ଘରୋଇ ସଂସ୍ଥା କାହା ବଳରେ ଏପରି ମନମାନି କରୁଛି? କୌଣସି ଚାପର ବଶବର୍ତ୍ତୀ ହେଉ ଅଥବା କୌଣସି ଅଦୃଶ୍ୟ ଶକ୍ତିର ଛତ୍ରଛାୟା ତଳେ ରହି ହେଉ ନିଜ ହିସାବରେ କାର୍ଯ୍ୟ କରୁଛି, ପ୍ରଶାସନ ଚୁପ ବସିଛି କଣ ପାଇଁ? ଉପମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ ତଥା ଉଚପଦସ୍ଥ ଅଫିସର ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି।