ରାଜ୍ୟ

ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତ୍ରିପାଠୀଙ୍କୁ ଶ୍ରଦ୍ଧାଞ୍ଜଳି

Spread It

ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତ୍ରିପାଠୀଙ୍କୁ ଶ୍ରଦ୍ଧାଞ୍ଜଳି
‘ସଦାଶିବ ତ୍ରିପାଠୀଙ୍କ ଭଳି ନିଷ୍କଳଙ୍କ ରାଜନେତା ବିରଳ’
ଭୁବନେଶ୍ୱର, ୨୧/୦୪/୨୦୨୫
ଡଃ ସଦାଶିବ ତ୍ରିପାଠୀଙ୍କ ଭଳି ଜଣେ ସତ୍ୟନିଷ୍ଠ ସ୍ୱାଧୀନତା ସଂଗ୍ରାମୀ, ନିଷ୍କଳଙ୍କ ଓ ଆଦର୍ଶ ରାଜନେତା ଓ ସଫଳ ପ୍ରଶାସକ ବିରଳ ବୋଲି ସ୍ଥାନୀୟ ଜୟଦେବ ଭବନଠାରେ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଶବରୀ ସାଂସ୍କୃତିକ ସଂସଦ, ଭୁବନେଶ୍ୱରର ଯୁଗ୍ମ ଆନୁକୂଲ୍ୟରେ ଆୟୋଜିତ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତ୍ରିପାଠୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।
ଉତ୍ସବରେ ମୁଖ୍ୟମନ୍ତ୍ରୀ ଅତିଥି ଭାବେ ଯୋଗଦେଇ ଯାଜପୁର ସାଂସଦ ଡ଼. ରବୀନ୍ଦ୍ର ନାରାୟଣ ବେହେରା, ଡଃ ସଦାଶିବ ତ୍ରିପାଠୀଙ୍କ ଅମ୍ଳାନ ଜୀବନାଦର୍ଶ ଓ ସ୍ମୃତି ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଲେ ଯେ ସବୁଠାରୁ ଲୋକପ୍ରିୟ, ନିଷ୍କଳଙ୍କ, ନିର୍ମଳ ବ୍ୟକ୍ତିତ୍ୱସଂପନ୍ନ ମୁଖ୍ୟମନ୍ତ୍ରୀ ରୂପେ ତାଙ୍କର ଭାବମୂର୍ତ୍ତି ଓଡ଼ିଶାର ରାଜନୈତିକ ପରମ୍ପରାକୁ ଉଦ୍‌ଭାସିତ କରିଥିଲା । ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ୧୯୬୫ ଫେବୃଆରୀ ୨୧ରୁ ୧୯୬୭ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ତାଙ୍କ ଉଦ୍ୟମରେ ବ୍ରହ୍ମପୁର ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇ ରାଜ୍ୟର ଶିକ୍ଷାକ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସି ପାରିଥିଲା । ଆଦିବାସୀମାନଙ୍କ ମଧ୍ୟରେ ସେ ଦେଶପ୍ରେମର ବହ୍ନି ପ୍ରଜ୍ୱଳନ କରିଥିଲେ । ଜମିଦାରୀ ପ୍ରଥା, ଗୋତି ପ୍ରଥା, ଭୁଦାନ ଆନ୍ଦୋଳନର କର୍ଣ୍ଣଧାର ସାଜି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଭୂଦାନ କାର୍ଯ୍ୟକ୍ରମରେ ତାଙ୍କ ନିଷ୍ଠାପରତା ଉଲ୍ଲେଖନୀୟ ବୋଲି କହିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ଏହା ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଡ. ବେହେରା ମତବ୍ୟକ୍ତ କରିଥିଲେ ।
ଓଡ଼ିଶାର ପ୍ରାକ୍ତନ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟବକ୍ତା ରୂପେ ଯୋଗଦେଇ କହିଲେ ଯେ ୧୯୧୦ ମସିହା ଆଜିର ଦିନରେ ସେ ନବରଙ୍ଗପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରାରମ୍ଭିକ ଜୀବନ ଶିକ୍ଷକତାରୁ ଆରମ୍ଭ ହୋଇଥିଲା । ଶିକ୍ଷକ ଯେବେ ଶାସନର ହାତ ଧରେ ସେତେବେଳେ ସମାଜରେ ଏକ ପରିବର୍ତ୍ତନ ଆସେ । ଇଂରେଜ ଶାସନର ବିରୋଧ କରି ମହାତ୍ମା ଗାନ୍ଧୀଙ୍କ ଓ ଗୋପବନ୍ଧୁଙ୍କ ଆହ୍ୱାନ କ୍ରମେ ସେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ରାଜ୍ୟ ମନ୍ତ୍ରୀମଣ୍ଡଳରେ ସେ ବିଭିନ୍ନ ସମୟରେ ରାଜସ୍ୱ, ଅବକାରୀ, ସମବାୟ ବିଭାଗର ମନ୍ତ୍ରୀ ଭାବେ ନିଜ ଦକ୍ଷତାର ପ୍ରମାଣ ଦେଇଥିଲେ । ଜମିଦାରୀ ଉଚ୍ଛେଦ ଏବଂ ଓଡ଼ିଶା ଭୂସଂସ୍କାର ଆଇନ ତାଙ୍କ ରାଜସ୍ୱ ମନ୍ତ୍ରୀ ସମୟର ଏକ ଐତିହାସିକ ପଦକ୍ଷେପ । ଭୂସଂସ୍କାର ଆଇନ ପ୍ରଣୟନବେଳେ ନିଜ ପୈତୃକ ବଳକା ଜମିକୁ ଭୂମିହୀନଙ୍କ ମଧ୍ୟରେ ପ୍ରଥମେ ବାଣ୍ଟି ସେ ଉଦାହରଣ ସୃଷ୍ଟି କରିଥିଲେ । ଶିକ୍ଷା, ଭିତ୍ତିଭୂମି, ଶିଳ୍ପ ବିକାଶ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେ ଓଡ଼ିଶାବାସୀଙ୍କ ହୃଦୟରେ ଚିର ଅମର ହୋଇ ରହିବେ ।
ଶ୍ୟାମାପ୍ରସାଦ ମୁଖାର୍ଜୀ ଫାଉଣ୍ଡେସନ୍‌ର ଉପଦେଷ୍ଟା ଶ୍ରୀଯୁକ୍ତ ଗୋଲକ ପ୍ରସାଦ ମହାପାତ୍ର ସମ୍ମାନନୀୟ ଅତିଥୁ ରୂପେ ଯୋଗଦେଇ କହିଲେ ଯେ ସେବା ମନୋବୃତ୍ତି ନେଇ ଉତ୍ସର୍ଗୀକୃତ ଭାବରେ ନିଜର ସୁଖସୁବିଧାକୁ ଜଳାଞ୍ଜଳି ଦେଇ ରାଜନୀତି କରିବାକୁ ଗୋଡ଼ କାଢ଼ିଥିବା ଡଃ ସଦାଶିବ ତ୍ରିପାଠୀ ଓଡ଼ିଶାର ରାଜନୈତିକ ଇତିହାସରେ ଏକ ଗୌରବୋଜ୍ଜ୍ୱଳ ପରମ୍ପରା ସୃଷ୍ଟି କରିଛନ୍ତି । ଆଜିର ଦିବସରେ ଆମେ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେଲେ ଏହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ମହାପାତ୍ର କହିଥିଲେ ।

ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ବୈଷୟିକ ଶ୍ରୀ ସୁରେନ୍ଦ୍ର ନାଥ ପରିଡା ସ୍ୱାଗତ ଭାଷଣ ପ୍ରଦାନ ଅବସରରେ କହିଲେ ଯେ ଡଃ ସଦାଶିବ ତ୍ରିପାଠୀ ଜଣେ ନୀତିନିଷ୍ଠ ରାଜନୀତିଜ୍ଞ ଭାବେ ସୁପରିଚିତ ଥିଲେ । ଓଡ଼ିଶାର ରାଜନୀତି କ୍ଷେତ୍ରରେ ଡଃ ସଦାଶିବ ତ୍ରିପାଠୀଙ୍କ ନିଃସ୍ୱାର୍ଥପର ସେବାର ପଟାନ୍ତର ନାହିଁ । ପ୍ରାରମ୍ଭରେ ଅତିଥିମାନେ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତ୍ରିପାଠୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶବରୀ ସାଂସ୍କୃତିକ ସଂସଦର ଉପ ସଭାପତି ଇଂ ଗୋଦାବରୀଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଲୋକସମ୍ପର୍କ ଅଧିକାରୀ ରୋଜାଲିନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ତରଙ୍ଗ ଅନୁଷ୍ଠାନର କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ, ଭଜନ ଓ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉପନିର୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ଜୟଦେବ ଭବନର ଉପନିର୍ଦେଶକ ଦୀପ୍ତିମୟୀ ମହାପାତ୍ର, ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।
ସକାଳେ କ୍ୟାପିଟାଲ ହସ୍ପିଟାଲ ଛକ ଭୁବନେଶ୍ୱର ସ୍ଥିତ ମହାନ୍‌ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ସଦାଶିବ ତ୍ରିପାଠୀଙ୍କ ପ୍ରତିମୂର୍ତ୍ତିରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା, ବିଭାଗର ଉପ ନିର୍ଦ୍ଦେଶିକା ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ଶବରୀ ସାଂସ୍କୃତିକ ସଂସଦର ଭୁବନେଶ୍ୱର କର୍ମକର୍ତ୍ତା, ଉତ୍କଳ ସମ୍ମିଳନୀର କର୍ମକର୍ତ୍ତା ତଥା ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *