ରାଜଧାନୀ ଉପକଣ୍ଠ ଏୟାରଫିଲ୍ଡ ଥାନା ପାଞ୍ଚଗାଁର ଏକ ସ୍କୁଲ ସାମ୍ନାରୁ ଜଣେ ଶିଶୁକୁ ଅପହରଣ
ରାଜଧାନୀ ଉପକଣ୍ଠ ଏୟାରଫିଲ୍ଡ ଥାନା ପାଞ୍ଚଗାଁର ଏକ ସ୍କୁଲ ସାମ୍ନାରୁ ଜଣେ ଶିଶୁକୁ ଅପହରଣ
କେମିତି ହେଲା ଅପହରଣ
ଅପହୃତ ଶୁଶୁ ଗିରଫ ଶୁଭ୍ରକାନ୍ତଙ୍କ ଘରକୁ ଟିଉସନ ହେବାକୁ ଯାଉଥିଲା । ଶୁଭ୍ରକାନ୍ତଙ୍କ ଭଉଣୀ ଓ ସେ ମିଶି ଦୁହେଁ ପିଲାଙ୍କୁ ଟିଉସନ କରୁଥିଲେ । ଶୁଭ୍ରକାନ୍ତ ଓ ତା’ର ସହଯୋଗୀମାନେ ରାତାରାତିି କୋଟିପତି ହେବାର ସ୍ୱପ୍ନ ଦେଖୁଥିଲେ । ନିକଟରେ ଡେଲାଙ୍ଗ ନାବାଳକ ଅପହରଣ ଓ ହତ୍ୟା ଘଟଣାକୁ ନେଇ ଲୋକେ ଭୟଭୀତ ଥିବା ବେଳେ ଏହାର ସୁଯୋଗ ନେବାକୁ ଶୁଭ୍ରକାନ୍ତ ଚିନ୍ତା କରିଥିଲା । ଫଳରେ ଶିଶୁ ଅପହରଣ ଓ ମୁଣ୍ଡ ଜାମିନ ରଖି ଟଙ୍କା ଅସୁଲ କରିବାକୁ ସହଯୋଗୀଙ୍କ ସହ ଯୋଜନା ପ୍ରସ୍ତୁତ କରିଥିଲା ।
ନିକଟରେ ଆର୍ତ୍ତ କାଲିଆ ଜମି ବିକ୍ରି କରି ଘରେ ଟଙ୍କା ରଖିଥିବା ସେ ଜାଣିଥିଲା । ତାଙ୍କ ଠାରୁ ଟଙ୍କା ସହଜରେ ଅସୁଲ କରିହେବ ବୋଲି ଚିନ୍ତା କରି ଯୋଜନା ପ୍ରସ୍ତୁତ କରିଥିଲା । କାଲି ରାତିରେ ଯୋଜନା ପ୍ରସ୍ତୁତ କରି ସକାଳୁ ଏହାକୁ ବାସ୍ତକ ରୂପ ଦେବାକୁ ସେ ଚେଷ୍ଠା କରିଥିଲା । ପୂର୍ବ ଯୋଜନା ମୁତାବକ ସ୍କୁଲ ଠାରୁ କିଛି ଦୂରରେ ଏକ କାରରେ ଚିନୁ, ସୋମୁ ଓ ରକି ଅପେକ୍ଷା କରିଥିଲେ । ସ୍କୁଲ ଛୁଟି ହେବା ପରେ ଶୁଭ୍ରକାନ୍ତ ନାବାଳକୁ ହସପିଟାଲ ଯିବା କହି ଡାକି ନେଇଥିଲା । ସେ ପ୍ରଥମେ ମନା କରିଥିଲା, ହେଲେ ଶେଷରେ ତାଙ୍କ କଥାରେ ରାଜି ହୋଇଯାଇଥିଲା । କିଛି ବାଟ ଯିବାରେ କାରରେ ଅପେକ୍ଷା କରିଥିବା ଅଭିଯୁକ୍ତମାନେ ତାଙ୍କୁ ଉଠାଇ ନେଇ ଚମ୍ପଟ ମାରିଥିଲେ ।
ଶିଶୁକୁ ନେଇ ନିରାକାରପୁରର ଏକ ବସ୍ତିରେ ରହୁଥିବା ସାଗର ନାୟକ, ସୁଜାତା ଜେନା ଓ ନିବେଦିତା ଦାସଙ୍କ ଦାୟିତ୍ୱରେ ଛାଡି ଅଭିଯୁକ୍ତମାନେ ଖଲ୍ଲିକୋଟ ପଳାଇଯାଇଥିଲେ । ଇତି ମଧ୍ୟରେ ପୋଲିସ ସେମାନଙ୍କ ସୁରାକ ପାଇ ପିଛା କରୁଥିଲା । ପ୍ରଥମେ ନିରାକାରପୁରରୁ ଶିଶୁକୁ ଉଦ୍ଧାର କରିଥିଲା । ପରେ ଜଣକ ପରେ ଜଣେ ସମସ୍ତ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପୋଲିସର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ବେଶ ପ୍ରସଂଶା କରାଯାଉଛି ।
ରାଜଧାନୀ ଉପକଣ୍ଠ ଏୟାରଫିଲ୍ଡ ଥାନା ପାଞ୍ଚଗାଁର ଏକ ସ୍କୁଲ ସାମ୍ନାରୁ ଜଣେ ଶିଶୁକୁ ଅପହରଣ କରାଯାଇଥିଲା । ମୁଣ୍ଡ ଜାମିନ ବାବଦ ଅଭିଯୁକ୍ତମାନେ ୨୦ଲକ୍ଷ ଟଙ୍କା ଦାବି କରିଥିଲେ । ଏହି ଘଟଣାର ୬ଘଣ୍ଟା ଭିତରେ ପୋଲିସ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ୭ଜଣଙ୍କୁ ଗିରଫ କରିଛି । ଯାହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସବୁଦିନ ପରି ପାଞ୍ଚଗାଁର ଆର୍ତ୍ତ ରଂଜନ କାଲିଆଙ୍କ ଦୁଇ ପୁଅ ଆଜି ମଧ୍ୟ ସ୍କୁଲ ଯାଇଥିଲେ । ସକାଳ ୧୦ଟା ବେଳେ ସାନ ପୁଅ ଘରକୁ ଫେରିଥିବା ବେଳେ ବଡପୁଅ (୧୦) ଆସିନଥିଲା । ମା’ ପଚାରିବାରୁ ଭାଇ ପଛରେ ଆସୁଛି ବୋଲି ସାନପୁଅ କହିଥିଲା । ମା’ ଏହାକୁ ହାଲକା ଭାବେ ନେଇ ଠାରୁ ପୂଜା କରିଥିଲା । ଏହି ସମୟରେ ଏକ ଅଜଣା ନମ୍ବରରୁ ତାଙ୍କ ମୋବାଇଲକୁ ଫୋନ ଆସିଥିଲା । ଫୋନ ଉଠାଇବା ମାତ୍ରେ ଅପହର୍ତ୍ତାମାନେ ତମ ପୁଅ ଆମ ପାଖରେ ଅଛି, ଟଙ୍କା ଦେଲେ ପୁଅକୁ ଫେରାଇବୁ ବୋଲି କହିଥିଲେ । ଘଟଣା ସମ୍ପର୍କରେ ପୋଲିସକୁ ନଜଣାଇବାକୁ ଅପହର୍ତ୍ତାମାନେ ଧମକ ଦେଇଥିଲେ ।
ଏହା ପରେ ତାଙ୍କ ଘରେ କାନ୍ଦ ବୋବାଳି ପଡିଥିଲା । ପଡୋଶୀ ଲୋକେ ପହଞ୍ଚି ପୋଲିସକୁ ଅବଗତ କରିଥିଲେ । କମିଶନରେଟ ପୋଲିସ ଘଟଣାକୁୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଥିଲା । ଏୟାରଫିଲ୍ଡ ଥାନା ଓ ସ୍ପେଶାଲ ସ୍କ୍ୱାଡ ଅତି ସନ୍ତର୍ପଣ ସହକାରେ ଛାନଭିନ ଆରମ୍ଭ କରିଥିଲେ । ତଦନ୍ତ ବେଳେ ଜଣାପଡିଲା ଯେ, ଅପହୃତ ଶିଶୁର ମା’ ଯେତେବେଳେ ଅପହର୍ତ୍ତାଙ୍କ ସହ ଫୋନରେ କଥା ହେଉଥିଲେ, ଏହି ସମୟରେ ପଡୋଶୀ ତଥା ଟିଉସନ ସାର ଶୁଭ୍ରକାନ୍ତ ମହାପାତ୍ର ଓରଫ ବାସୁନି ପହଞ୍ଚି ଘଟଣା ସମ୍ପର୍କରେ କାହାକୁ କିଛି ନକହିବାକୁ କହିଥିଲେ ।
ପୋଲିସ ପ୍ରାଥମିକ ଭାବେ ଶୁଭ୍ରକାନ୍ତଙ୍କୁ ହେପାଜତକୁ ନେଇ ପଚରାଉଚରା କରିଥିଲା । ଜେରା ବେଳେ ସେ ପୋଲିସ ଆଗରେ ସମସ୍ତ ଦୋଷ ସ୍ୱିକାର କରିଥିଲା । ପରେ ତା’ ବୟାନକୁ ଆଧାର କରି ପୋଲିସ ଖୋର୍ଦ୍ଧା ନିରାକାରପୁରରୁ ଶିଶୁକୁ ଉଦ୍ଧାର କରିବା ସହ ୩ଜଣଙ୍କୁ ଗିରଫ କରିଥିଲା । ପରେ ଖଲ୍ଲିକୋଟରୁ ଆଉ ୩ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।
ଗିରଫ ଅଭିଯୁକ୍ତମାନେ ହେଲେ ଶୁଭ୍ରକାନ୍ତ ମହାପାତ୍ର, ନୟାଗଡ ରଣପୁରର ସୋମନାଥ ଦାସ ଓରଫ ସୋମୁ, ନିରାକାରପୁରର ଚିନ୍ମୟ ନାୟକ ଓରଫ ବିକି, ଜଙ୍କିଆର ସନ୍ଦୀପ ରାଉତରାୟ ଓରଫ ରକି, ସାଗର ନାୟକ, ସୁଜାତା ଜେନା ଓ ନିବେଦିତା ଦାସ । ଏହି ଦୁଇ ମହିଳା ଚିନୁ ଓ ସୋମୁର ପତ୍ନୀ ବୋଲିି ଜଣାପଡିଛି ।