ରାଜ୍ୟ

ଭୁବନେଶ୍ୱର କଳିଙ୍ଗ ନଗର ସ୍ଥିତ ଆନନ୍ଦବନ ଠାରେ ଉପମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନୂତନ ସୁଭଦ୍ରା ଶକ୍ତି କାଫେ ଉଦ୍ଘାଟିତ

Spread It

ଓଡିଶାରେ ମହିଳା-ନେତୃତ୍ୱାଧୀନ ଉଦ୍ୟୋଗର ଏକ ନୂତନ ଅଧ୍ୟାୟ: ଭୁବନେଶ୍ୱର କଳିଙ୍ଗ ନଗର ସ୍ଥିତ ଆନନ୍ଦବନ ଠାରେ ଉପମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନୂତନ ସୁଭଦ୍ରା ଶକ୍ତି କାଫେ ଉଦ୍ଘାଟିତ

ଭୁବନେଶ୍ୱର ତା 07.05.2025- ଓଡ଼ିଶାର ମହିଳା-ନେତୃତ୍ୱାଧୀନ ଉଦ୍ୟୋଗିତାର ଗତିଶୀଳ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ସଦୃଶ, ଆଜି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ ସ୍ଥାନୀୟ ଶ୍ରୀ ଅଟଳ ବିହାରୀ ବାଜପାୟୀ ଆନନ୍ଦବନ ପରିସରରେ ଏକ ନୂତନ ସୁଭଦ୍ରା ଶକ୍ତି କ୍ୟାଫେ ଉଦ୍ଘାଟନ କରିଛନ୍ତି। ଏହା କେବଳ ଏକ କ୍ୟାଫେ ନୁହେଁ, ବରଂ ଏହା ରାଜ୍ୟର ବିକାଶ ମଡେଲରେ ଏକ ପରିବର୍ତ୍ତନକୁ ପ୍ରତିଫଳିତ କରେ, ଯେଉଁଥିରେକି ସ୍ୱୟଂ ସହାୟକ ଗୋଷ୍ଠୀର (SHG) ମହିଳାମାନେ ଉଦ୍ୟୋଗିତା, ସାମାଜିକ ଏବଂ ଅର୍ଥନୈତିକ ଅନ୍ତର୍ଭୁକ୍ତିର ଅଗ୍ରଭାଗରେ ଅଛନ୍ତି।

ଏହି କାଫେ ଭୁଆଶୁଣି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କଦ୍ୱାରା ସଂପୂର୍ଣ୍ଣଭାବେ ପରିଚାଳିତ ହେବ, ଯେଉଁମାନେ ଭୁବନେଶ୍ୱରର ଇନ୍ଷ୍ଟିଚ୍ୟୁଟ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ (IHM)ରେ ବିଶେଷ ଆତିଥ୍ୟ ପ୍ରଶିକ୍ଷଣ ନେଇଛନ୍ତି। ମିଶନ ଶକ୍ତି ବିଭାଗର ଏକ ବ୍ୟାପକ କ୍ଷମତା ଓ ଦକ୍ଷତା ବିକାଶ ନିର୍ମାଣର ଅଂଶ ଭାବରେ ଏହି ପ୍ରଶିକ୍ଷଣ ଦିଆଯାଇଥିଲା, ଯାହା କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ସହାୟତା ଯୋଗାଇଦେବା ସହ ଏବଂ ମହିଳାମାନଙ୍କୁ ବ୍ୟବସାୟ ପରିଚାଳନା ପାଇଁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିଲା।

ଏହି କାଫେ କେବଳ ଏକ ଖାଦ୍ୟ ଆଉଟଲେଟ୍ ନୁହେଁ, ବରଂ ଏହା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ପାଇଁ ଏକ ପ୍ଲାଟଫର୍ମ, ଯେଉଁଠାରେ ସେମାନେ ନିଜର ପାକ କଳା କୌଶଳ ପ୍ରଦର୍ଶନ କରିପାରିବେ, ବୃତ୍ତିଗତ ଭାବରେ ଏହାର ପରିଚାଳନା କରିପାରିବେ ଏବଂ ସହରର ବୃଦ୍ଧିଶୀଳ ଉପଭୋକ୍ତା ବର୍ଗଙ୍କ ପାଖରେ ପହଞ୍ଚିପାରିବେ । କ୍ୟାଫେର ଖାଦ୍ୟ ତାଲିକାରେ ନାନା ପ୍ରକାରର ଜଳଖିଆ, ଏବଂ ହରବଲ୍ ଜୁସ୍, ହରବଲ୍ ଚା, ଫଳ ରସ, ଲସି, ସିଗନେଚର୍ ନଡ଼ିଆ ଶେକ୍, କୋଲ୍ଡ କଫି ଭଳି ଶୀତଳ ପାନୀୟ ସହିତ ମକ୍ଟେଲ୍, ସ୍ମୁଦି ଏବଂ ମିଲ୍କଶେକ୍ ଆଧୁନିକ ପାନୀୟ ମଧ୍ୟ ଅନ୍ତର୍ଭୁକ୍ତ ରହିଛି ।

ଲକ୍ଷପତି ଦିଦି ପଦକ୍ଷେପ ଅଧୀନରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଉଦ୍ୟୋଗୀରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାର ଏହା ଏକ ଅନନ୍ୟ ପ୍ରତୀକ।

ଏବେ ଓଡ଼ିଶା ଲକ୍ଷପତି ଦିଦି କାର୍ଯ୍ୟକ୍ରମ ଅଧୀନରେ ଦେଶର ଅଗ୍ରଣୀ ଅଟେ । ଏହି କାର୍ଯ୍ୟକ୍ରମ ୧୬ ଲକ୍ଷରୁ ଅଧିକ ମହିଳାଙ୍କୁ ବାର୍ଷିକ ₹୧ ଲକ୍ଷ ବା ତା’ଠାରୁ ଅଧିକ ରୋଜଗାର କରିବାକୁ ସଶକ୍ତ କରିଛି । ସୁଭଦ୍ରା ଶକ୍ତି କାଫେ ଭଳି ପଦକ୍ଷେପଗୁଡ଼ିକ ଓଡ଼ିଶାର ବିକାଶ ଯାତ୍ରାର ପରବର୍ତ୍ତୀ ପର୍ଯ୍ୟାୟକୁ ସୂଚିତ କରୁଅଛି । ଆୟ ଉତ୍ପାଦନରୁ ଧନ ସୃଷ୍ଟି, ସାମୁହିକ କାର୍ଯ୍ୟକଳାପରୁ ଉଦ୍ୟୋଗୀ ପର୍ଯ୍ୟନ୍ତ, ରାଜ୍ୟ ସରକାର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ଆତ୍ମବିଶ୍ୱାସ ବଢାଇବା ସହ ସେମାନଙ୍କୁ ନିଯୁକ୍ତି ସୃଷ୍ଟିକାରୀରେ ପରିଣତ କରିବା ଲକ୍ଷ୍ୟରେ ଆଗେଇ ଚାଲିଛନ୍ତି ।

ଆଜିର ଏହି ଉଦ୍ଘାଟନୀ ଅବସରରେ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଓଡିଶାର ସମସ୍ତ ମହିଳାଙ୍କ ଆକାଂକ୍ଷାକୁ ସୁଯୋଗରେ ପରିଣତ କରିବାକୁ ରାଜ୍ୟ ସରକାର ଦୃଢ ସଙ୍କଳ୍ପବଦ୍ଧ, ବୋଲି ପ୍ରକାଶ କରିବା ସହ “ମହିଳାଙ୍କଦ୍ୱାରା ପରିଚାଳିତ ପ୍ରତ୍ୟେକ ନୂତନ କ୍ୟାଫେ, ଉଦ୍ୟୋଗ କିମ୍ବା ଉତ୍ପାଦ ଆମକୁ ଏକ ସ୍ୱାବଲମ୍ବୀ ତଥା ବିକଶିତ ଓଡିଶା ଗଠନ ଦିଗରେ ଆଉ ଏକ ପାଦ ଆଗକୁ ନେଇଯାଉଅଛି । ଏହା କେବଳ ଜୀବନ ଜୀବିକାର ପ୍ରଚାର ନୁହେଁ, ଏହା ଆମ ମା’ ମାନଙ୍କ ଆମେ ମର୍ଯ୍ୟାଦା, ନେତୃତ୍ୱ ଏବଂ ଆର୍ଥିକ ସ୍ୱାଧୀନତାର ପ୍ରତିଛବି ।ଏହି କାର୍ଯ୍ୟକ୍ରମରେ ଶ୍ରୀ ବାବୁ ସିଂ, ବିଧାୟକ, ଏକାମ୍ର ଭୁବନେଶ୍ୱର ମଧ୍ୟ ଉପସ୍ଥିତ ଥିଲେ ।

ଶାଲିନୀ ପଣ୍ଡିତ, କମିଶନର ତଥା ଶାସନ ସଚିବ, ମିଶନ ଶକ୍ତି, ଡଃ ମୋନିକା ପ୍ରିୟଦର୍ଶିନୀ, ନିର୍ଦ୍ଦେଶକ, ମିଶନ ଶକ୍ତି, ଓଡ଼ିଶା ଜୀବିକା ମିଶନ (ଓଏଲମ) ଏବଂ ମିଶନ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଆନନ୍ଦବନ ଠାରେ ସ୍ଥିତ ଏହି ସୁଭଦ୍ରା ଶକ୍ତି କାଫେ କେବଳ ପରିଦର୍ଶକ ଏବଂ ଅଧିକାରୀମାନଙ୍କୁ ପୁଷ୍ଟିକର ଏବଂ ସହଜଳଭ ଖାଦ୍ୟ ପରିବେଷଣ କରିବ ନାହିଁ, ବରଂ ଏହା ଉଦ୍ୟୋଗିତାର ପଥରେ ଆଗକୁ ବଢିବାକୁ ଇଚ୍ଛୁକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ପାଇଁ ଏକ ଉଦାହରଣ ସଦୃଶ କାର୍ଯ୍ୟ କରିବ ଏବଂ ନିରନ୍ତର କ୍ଷମତା ଓ ଦକ୍ଷତା ବୃଦ୍ଧି ମାଧ୍ୟମରେ ମହିଳା ମାନଙ୍କ ପାଇଁ ସୁଯୋଗ ସୃଷ୍ଟି ପୂର୍ବକ ଏକ ବିକଶିତ ଓଡିଶା ଗଠନର ପଥ ପ୍ରଶସ୍ତ କରିବ ।

Leave a Reply

Your email address will not be published. Required fields are marked *