ରାଜ୍ୟ ସ୍ତରୀୟ ସାହିତ୍ୟ ଆସର ଓ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ।
ସାମ୍ବାଦିକ ସନ୍ତୋଷ ଦାଶ ସମ୍ୱର୍ଦ୍ଧିତ। କୋଣାର୍କ ,(ଏ ପି ନ୍ୟୁଜ) ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ କୋଣାର୍କ ଯାତ୍ରୀ ନିବାସ ସମ୍ମେଳନ କକ୍ଷ ଠାରେ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ଅଷ୍ଟମ ବାର୍ଷିକ ରାଜ୍ୟ ସ୍ତରୀୟ ସାହିତ୍ୟ ଆସର, କୋଣାର୍କ ଓଡିଆ ଅସ୍ମିତାର ପ୍ରାଣକେନ୍ଦ୍ର ଆଲୋଚନା ଚକ୍ର, କବିତା ପାଠୋତ୍ସବ ଓ ପ୍ରତିଭା ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦର ସଭାପତି ପ୍ରଦୀପ କୁମାର ଛାଟୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଷ୍ଟମ ବାର୍ଷିକ ରାଜ୍ୟ ସ୍ତରୀୟ ସାହିତ୍ୟ ଆସର, କବିତା ପାଠୋତ୍ସବ ଓ ପ୍ରତିଭା ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଲେଖିକା ଶକୁନ୍ତଳା ବଳିଆରସିଂହ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହାର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ କୃଷକ ନେତା ଅମିୟ କୁମାର ପଟ୍ଟନାୟକ, ପ୍ରାକ୍ତନ ପ୍ରାଧ୍ୟାପିକା ଓ ବିଶିଷ୍ଟ ଲେଖିକା କମଳ କୁମାରୀ ଦାଶ, ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ରକ୍ଷକ ନାୟକ, ବାନରସେନା ଶିଶୁ ପତ୍ରିକାର ସମ୍ପାଦକ ପ୍ରକାଶ ଚନ୍ଦ୍ର ଖଟୋଇ, ବରିଷ୍ଠ ସାମ୍ବାଦିକ ତଥା ସତ୍ଯ ଖବର ର ସଂପାଦକ ଅକ୍ଷୟ କୁମାରନାୟକ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ଡଃ. ସ୍ବର୍ଣ୍ଣଲତା ତ୍ରିପାଠୀ, ବରିଷ୍ଠ ଶିକ୍ଷାବିତ ଓ କବି ମନମୋହନ ସ୍ବାଇଁ ପ୍ରମୁଖ ଯୋଗ ଦେଇ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତିର ବିଭିନ୍ନ ଦିଗ ଓ ସୃଜନଶୀଳତା ସାହିତ୍ୟ ସୃଷ୍ଟି ଦିଗରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ସମାଜସେବୀ ରାମକୃଷ୍ଣ ମହାନ୍ତି ସଂଯୋଜନା କରିଥିବା ବେଳେ ସଂପାଦକ ଭାଗୀରଥୀ ସ୍ଵାଇଁ ସଂପାଦକୀୟ ବିବରଣୀ ପାଠ, ଅତିଥି ପରିଚୟ ପ୍ରଦାନ, କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଧନ୍ଯବାଦ ଅର୍ପଣ କରିଥିଲେ। ପରେ ପରେ ଅନୁଷ୍ଠାନ ପକ୍ଷରୁ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା ୧୦୦ ରୁ ଊର୍ଦ୍ଧ୍ବ କବି ଓ କବୟିତ୍ରୀ ମାନେ ସ୍ୱରଚିତ କବିତା ପାଠ କରିଥିଲେ। ଏହି କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ଅତିଥି ଭାବରେ ବଲାଙ୍ଗୀରର ବିଶିଷ୍ଟ କବି ଗୋପିକୃଷ୍ଣ ପଣ୍ଡିଆ, ଡଃ.ଲୋକନାଥ ଦଳ ବେହେରା, ବିଶିଷ୍ଟ କବି ନିଲମ କୁମାର ପରିଡା, ସୁଗଠକ ଓ ବିଶିଷ୍ଟ କବି ରମେଶ ଚନ୍ଦ୍ର ସ୍ଵାଇଁ ପ୍ରମୁଖ ଯୋଗଦାନ କରିଥିଲେ। ୩୦ଗୋଟି ଜିଲ୍ଲାରୁ ୧୦୦ରୁ ଊର୍ଦ୍ଧ୍ବ କବି, କବୟିତ୍ରୀ, ସଂସ୍କୃତି ଗବେଷକ, ଲେଖକ ଓ ଲେଖିକା ମାନେ ଯୋଗଦାନ କରି ସ୍ବରଚିତ କବିତାମାନ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମକୁ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦର ସଚ୍ଚିଦାନନ୍ଦ ଗୋଛାୟତ, ସୁକାନ୍ତ କୁମାର ବିଶ୍ବାଳ, ଯୋଗଗୁରୁ ମହେଶ୍ବର ସାମଲ, ଜ୍ଞାନ ରଞ୍ଜନ ବିଶ୍ଵାଳ ଓ ସଂଗଠନ ର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ। ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ସନ୍ତୋଷ ଦାଶ ଙ୍କୁ ଅନୁଷ୍ଠାନ ପକ୍ଷରୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରା ଯାଇ ଶ୍ରେଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ଭାବେ ସମ୍ୱର୍ଦ୍ଧିତ କରା ଯାଇଛି।
