ପିପିଲି ଡ୍ରେନେଜ ବିଭାଗ ଘାସ ଚାଂଛି ଲୁଟିନେଲେ ୩କୋଟି !

- ପିପିଲିରେ ନାହିଁ, ପୁରୀରେ ଚାଲିଛି ଡ୍ରେନେଜ ଅଫିସ
ପିପିଲି,୧୩/୫:(ଏପିନ୍ୟୁଜ) ପିପିଲି ଡ୍ରେନେଜ ବିଭାଗ ଉପରେ କାହାରି ନଜର ନାହିଁ । ଅନାବଶ୍ୟକ ଭାବେ ଚାଲିଛି ସରକାରୀ ଅର୍ଥ ଅପଚୟ । ସ୍ଥାନୀୟ ଅଂଚଳର ଡ୍ରେନ କାର୍ଯ୍ୟରେ ବ୍ୟାପକ ଦୁର୍ନିତୀ ହୋଇଥିବା ଅଭିଯୋଗ ହୋଇଛି । କାର୍ଯ୍ୟଦେଶ ଅନୁସାରେ ଡ୍ରେନ ଗୁଡ଼ିକର କାର୍ଯ୍ୟ କରାଯାଇନି । ଅଂଚଳରେ ଥିବା ଡ୍ରେନେଜ ଗୁଡ଼ିକର ଖନନ ତଥା ନବୀକରଣ କରାନଯାଇ କେବଳ ଘାସ ଚାଂଛି ପ୍ରାୟ ୩କୋଟି ଟଙ୍କା ଲୁଟ ହୋଇଥିବା ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିକଟରେ ସଙ୍ଗୀନ ଅଭିଯୋଗ ହୋଇଛି । ତେବେ ଠିକାଦାର ଘାସ ଚାଂଛି ନବୀକରଣ କରିଥିବା ବିଭାଗ ପକ୍ଷରୁ କୁହାଯାଉଥିବାବେଳେ, ଡ୍ରେନ ଗୁଡ଼ିକ ଦଳଭର୍ତି ହେବା ସହ ଡ୍ରେନର ବନ୍ଧ ଗୁଡ଼ିକ ଜଙ୍ଗଲ ହୋଇଥିବା ଦେଖିବାକୁ ମିଳୁଛି । ସରକାରଙ୍କର ଏତେଗୁଡ଼ିଏ ଟଙ୍କା ପାଣିରେ ପଡ଼ିଲା ବୋଲି ସ୍ଥାନୀୟ ବାସିନ୍ଦା କହୁଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କୋଟିକୋଟି ଟଙ୍କା ବ୍ୟୟ କରୁଥିବା ଏହି ଡ୍ରେନେଜ ବିଭାଗର କାର୍ଯ୍ୟାଳୟ ପିପିଲିରେ ନାହିଁ । ପୁରୀରେ ଏହି କାର୍ଯ୍ୟାଳୟ ଚାଲିଛି ବୋଲି ଜଣାଯାଇଛି । ଦୁଇଜଣ ଠିକାଦାରଙ୍କୁ ବିଭାଗ ଅହେତୁକ ଅନୁକମ୍ପା ଦେଖାଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ବିନାୟକପୁର ଠାରୁ ଲୋହପୁର ଡ୍ରେନ, ରାଜତଇ ଠାରୁ ଡେରିକି ମାଇନର ଡ୍ରେନ, ମାଟିଆପଡ଼ା ଠାରୁ ବାଙ୍କପୋଖରୀ ଡ୍ରେନ, ରୂପଦେଇପୁର ଠାରୁ ମାଟିନଈ ଡ୍ରେନ, ରୂପଦେଇପୁର ଠାରୁ କାଂଜିଆ ଡ୍ରେନ ଆଦି ଖନନ ନାମରେ ୧କୋଟି ୨୮ଲକ୍ଷ ୪୫ ହଜାର ୨୪୨ଟଙ୍କା ବ୍ୟୟ ହୋଇଥିବା ସରକାରୀ ସୁତ୍ରରୁ ଜଣାପଡ଼ିଛି । ସେହିପରି ଦହିସପାଟଣା ଠାରୁ ଅମାଳଙ୍ଗ ଡ୍ରେନ, ମାଧିପୁର ଠାରୁ ଓଡ଼ାରଙ୍ଗ ଡ୍ରେନ, ଗୋଦାନଈ ଡ୍ରେନ, ପାଇକପଡ଼ା ଠାରୁ ତେଇଶିପୁର ଡ୍ରେନ, ତେଇଶିପୁର ଠାରୁ ନଡ଼ାଖଣ୍ଡ ଡ୍ରେନ ଓ କୌଶଲ୍ୟାପୁର ଠାରୁ ଏକଚାଳିଆ ଡ୍ରେନର ଖନନ ଓ ନବୀକରଣ ପାଇଁ ବିଭାଗ ପକ୍ଷରୁ ୧କୋଟି ୯୧ଲକ୍ଷ ୪୨ହଜାର ଟଙ୍କା ବ୍ୟୟ କରାଯାଇଛି । କେବଳ ଏତିକି ନୁହେଁ ବାରିମୂଳ ଲୁଣା ଡ୍ରେନର କଂଟି ନିକଟରେ ସ୍ଲୁଇସ ଗେଟ, କୌଶଲ୍ୟାପୁର ଏକଚାଳିଆ ଡ୍ରେନର ପମସରା ଠାରେ ସ୍ଲୁଇସ ଗେଟ, ଲୋହପୁର ତରାକାଜ ଡ୍ରେନର ଦେଉଳିଠାରେ ସ୍ଲୁଇସ ଗେଟ ଓ ତରାକାଜ କାଂଜିଆ ଡ୍ରେନର ଦୁର୍ଗାଦାଶପୁର ଠାରେ ଥିବା ସ୍ଲୁଇସ ଗେଟ ଆଦିରେ ବ୍ୟାପକ ଦୁର୍ନିତୀ ଓ ଅନିୟମିତତା ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରି ଭିଜିଲାନ୍ସ ତଦନ୍ତ ଦାବୀ କରିଛନ୍ତି । ଅଭିଯୋଗ ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ବିଜୟ କୁମାର ସିଂଙ୍କୁ ପଚାରିବାରେ ଅଭିଯୋଗ ଭିତିହୀନ ବୋଲି କହିବା ସହ କାର୍ଯ୍ୟର ରେକର୍ଡ଼ ଆମ ପାଖରେ ଅଛି ବୋଲି ସେ କହିଥିଲେ । ତେବେ ଡ୍ରେନ ଗୁଡ଼ିକ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ହେଲେ ବହୁ ଗୁମର ପଦାକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।