୧୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଜଳସେଚନ ବିଭାଗର ବିଭିନ୍ନ ପ୍ରକଳ୍ପର ଭିତ୍ତପ୍ରସ୍ତର ସ୍ଥାପନ କଲେ ଉପ-ମୁଖ୍ୟମନ୍ତ୍ରୀ
ନିମାପଡ଼ା (ଏ.ପି ନ୍ୟିୁଜ) : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିମାପଡ଼ା ନିର୍ବାଚନମଣ୍ଡଳୀରେ କାର୍ୟ୍ୟକାରୀ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଆଜିର ପ୍ରଥମ କାର୍ୟ୍ୟକ୍ରମ ଭାବେ ସେ ଚନ୍ଦନପୁର ଶାଖା କେନାଲ ବାମ ପାର୍ଶ୍ୱର ବଳଙ୍ଗାଠାରୁ ପାର୍ବତୀପୁର ପର୍ୟ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ୟ୍ୟକ୍ରମରେ ଯୋଗଦେଇଥିଲେ । ୫ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପ ମାଧ୍ୟମରେ ନଦୀବନ୍ଧ ସୁରକ୍ଷିତ ହେବା ସହ ନିମାପଡ଼ା ବ୍ଲକର ବଳଙ୍ଗା, ଶମ୍ଭୁଭାରତୀପାଟଣା, ନରୁଡ଼ା, ସାହାଡ଼ାପଡ଼ା ଓ ପାର୍ବତୀପୁର ଆଦି ଗ୍ରାମର ଗ୍ରାମବାସୀଙ୍କ ଗମନାଗମନ ସୁଗମ ହୋଇପାରିବ ବୋଲି ସେ ଏହି ଅବସରରେ ମତ ରଖିଥିଲେ।
ଏହାପରେ ଆଜି ରେଞ୍ଚ ପଞ୍ଚାୟତ ଅନ୍ତର୍ଗତ କଳାବୁଣାଠାରେ ୨ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଟ୍ରଫ୍ ୱାଲ୍ ନିର୍ମାଣ ଏବଂ ୨୩ ଲକ୍ଷ ୭୦ ହଜାର ଟଙ୍କା ବ୍ୟୟରେ ହେବାକୁ ଥିବା ଅଙ୍କୁଶପୁର ଡିଷ୍ଟ୍ରିବ୍ୟୁଟାରୀ ବାମପାର୍ଶ୍ୱ ରାସ୍ତାର ଉନ୍ନତିକରଣ କାର୍ୟ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କାର୍ୟ୍ୟକ୍ରମରେ ଯୋଗଦେଇଥିଲେ। ସେହିଭଳି ବାମନାଳ ମାଇନର୍ର ଅରିଲୋଠାରୁ ଧଳେଶ୍ୱର ପର୍ୟ୍ୟନ୍ତ ବାମ ପାର୍ଶ୍ୱ ବନ୍ଧର ଉନ୍ନତିକରଣ ପାଇଁ ୨ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କାର୍ୟ୍ୟକ୍ରମରେ ଯୋଗଦେଇ ସେ କହିଥିଲେ, “ଏହି ପ୍ରକଳ୍ପ କାର୍ୟ୍ୟକାରୀ ହେବା ଦ୍ୱାରା ନଦୀବନ୍ଧ ସୁଦୃଢ଼ ହେବା ସହ କେନାଲ ବନ୍ଧ ରାସ୍ତାରେ ଗମନାଗମନ ଆହୁରି ସୁଗମ ହୋଇପାରିବ ।”
ଏହାପରେ କୁଆଁଶଠାରେ ୪ କୋଟି ୭୩ ଲକ୍ଷ ୮୨ ହଜାର ଟଙ୍କା ବ୍ୟୟରେ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ୟ୍ୟକ୍ରମରେ ଯୋଗଦେଇଥିଲେ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଜଅଁରା ମାଇନର ରାସ୍ତାର ସମ୍ପ୍ରସାରଣ, ମେଟଲିଙ୍ଗ ଓ କଂକ୍ରିଟ୍ ରାସ୍ତା ନିର୍ମାଣ; ଆମରଙ୍ଗ ଓ ଆଢେଣା ମାଇନରରେ ଟ୍ରଫ୍ ୱାଲ୍ ନିର୍ମାଣ ଏବଂ ଖଣ୍ଡାସାହି ଡିଷ୍ଟ୍ରିବ୍ୟୁଟାରୀର ଦେଉଳିଆଠେଙ୍ଗଠାରେ ବ୍ରିଜ୍ ନିର୍ମାଣ ଆଦି ରହିଛି । ପ୍ରକଳ୍ପଗୁଡ଼ିକ କାର୍ୟ୍ୟକାରୀ ହେବା ସହିତ ସ୍ଥାନୀୟ ଅଞ୍ଚଳର ଅର୍ଥନୀତି, କୃଷିକାର୍ୟ୍ୟ ଓ ଜୀବନଜୀବିକାରେ ଉନ୍ନତି ଆଣିବ ବୋଲି ସେ ମତପ୍ରକାଶ କରିଥିଲେ । ଶେଷରେ ଅରିଷଣ୍ଢଠାରେ କୁଶଭଦ୍ରା ନଦୀର ଦକ୍ଷିଣ ପାର୍ଶ୍ୱ ବନ୍ଧର ପାଟପୁରଠାରୁ ଅରିଷଣ୍ଢ ପର୍ୟ୍ୟନ୍ତ ଉନ୍ନତିକରଣ ଏବଂ ତରଡ଼ାପଡ଼ା ନିକଟ ମା’ ଦଶମଲ୍ଲୀ ପୀଠ ନିକଟରେ ବନ୍ଧର ସୁଦୃଢ଼ୀକରଣ କାର୍ୟ୍ୟ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ମୋଟ ୨ କୋଟି ୮୩ ଲକ୍ଷ ୩୫ ହଜାର ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ଦୁଇ ପ୍ରକଳ୍ପ କାର୍ୟ୍ୟକାରୀ ହେବା ଫଳରେ ନଦୀ ବନ୍ଧ ସୁଦୃଢ଼ ହେବା ସହ ବନ୍ଧ ରାସ୍ତାରେ ଯାତାୟାତ ସୁବିଧା ଅଧିକ ସୁଗମ ହେବ ବୋଲି ସେ କହିଥିଲେ।
