ଦୂର୍ଗା ମାଧବ ମନ୍ଦିର ରେ ପହଞ୍ଚିଲେ ପ୍ରାଚୀ ନଦୀ ପରିକ୍ରମା ଯାତ୍ରୀ
ଚାରିଛକ(,ଏ.ପି ନ୍ୟିୁଜ)(ସନ୍ତୋଷ ଦାଶ) ଶନିବାର ଠାରୁ ଆରମ୍ଭ ହୋଇଛି ପଞ୍ଚଦଶ ବାର୍ଷିକ ପ୍ରାଚୀ ନଦୀ ପରିକ୍ରମା ମହୋତ୍ସବ। ଅନ୍ତଃରାଷ୍ଟ୍ରୀୟ କ୍ରିୟା ଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜ, ପ୍ରାଚୀ ଗୁରୁ ଧର୍ମକ୍ଷେତ୍ର ର ମହନ୍ତ ବାବାଜୀ ଦାମୋଦର ଦାସ, ବାବାଜୀ ରାମ ଦାସ, ସ୍ଵାମୀ ଆଖଣ୍ଡlନନ୍ଦଜୀ, ସ୍ଵାମୀ ଶ୍ରଦ୍ଧାନନ୍ଦ ସରସ୍ଵତୀ ,ନ୍ୟାୟବ୍ରତ ରାଉତ, ହଂସନାଥ ସାହୁ ପ୍ରମୁଖ ଙ୍କ ନେତୃତ୍ବ ରେ ବହୁ ସାଧୁ ସନ୍ଥ, ପ୍ରାଚୀ ପ୍ରେମୀ ପୁରାଣ ବର୍ଣ୍ଣିତ ପ୍ରାଚୀ ଉପତ୍ୟକାର ଅନ୍ଧକପିଳେଶ୍ୱର ଶମ୍ଭୁ ଙ୍କ ନିକଟରୁ ପୂଜାର୍ଚ୍ଚନା କରି ଅଖଣ୍ଡ ଦୀପ ସ୍ଥାପନ କରି ସାତ ଦିନ ପାଇଁ ସଂକଳ୍ପ ନେ଼ଇ ପ୍ରାଚୀ ନଦୀ ପରିକ୍ରମା ଆରମ୍ଭ କରିଥିଲେ। ଶନିବାର ପଦଯାତ୍ରୀ ମାନେ ନିଆଳି ର ପ୍ରସିଦ୍ଧ ରାଧା କାନ୍ତ ମଠ ଠାରେ ପହଞ୍ଚି ରାତ୍ରୀ ଯାପନ କରିଥିଲେ। ରବିବାର ଦିନ ପ୍ରାତଃ ରୁ ପଦଯାତ୍ରୀ ମାନେ ଏଠାରୁ ବାହାରି ପଦଯାତ୍ରା ରେ ଶୋଭନେଶ୍ୱର ଶମ୍ଭୁ ମନ୍ଦିର, ଟୋଲା ର ରାମେଶ୍ବର ଶମ୍ଭୁ ମନ୍ଦିର ପରିଦର୍ଶନ କରିସାରି ଶ୍ରୀ ଜଗନ୍ନାଥ ଙ୍କ ମାମୁଁ ଘର ଭାବେ ପରିଚିତ ମାଧବ ଗ୍ରାମ ର ଦୂର୍ଗା ମାଧବ ମନ୍ଦିର ରେ ପହଞ୍ଚି ସେଠାରେ ରାତ୍ରୀ ଯାପନ କରିଥିଲେ। ରାତ୍ର ଯାପନ ସ୍ଥଳ ରେ କୀର୍ତ୍ତନ ଓ ପ୍ରାଚୀ କୂଳ ର ପାଣ୍ଡବ ତୀର୍ଥ ଠାରେ ପଣ୍ତିତ ଚିତ୍ତ ରଞ୍ଜନ ମିଶ୍ର ଙ୍କ ଦ୍ବାରା ପ୍ରାଚୀ ଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। ପୁଣ୍ୟତୋୟା ପ୍ରାଚୀ ନଦୀ ର ପୁନଃରୁଦ୍ଧାର ଓ ପ୍ରାଚୀ ଉପତ୍ୟକା ରେ ଥିବା ପୁରାତନ ମଠ, ମନ୍ଦିର ଓ କୀର୍ତ୍ତିରାଜି ସବୁ ର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ପାଇଁ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରାଚୀ ପରିକ୍ରମା ଟ୍ରଷ୍ଟ ପକ୍ଷରୁ ଆଜକୁ ଦୀର୍ଘ ୧୫ ବର୍ଷ ହେଲା ସାଧୁ ସନ୍ଥ, ପ୍ରାଚୀ ପ୍ରେମୀ ମାନେ ଏପରି ଏକ ସପ୍ତାହ ବ୍ୟାପି ପ୍ରାଚୀ ପରିକ୍ରମା କରି ଆସୁଛନ୍ତି । ସୋମବାର ଦିନ ପଦଯାତ୍ରୀ ମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ ପ୍ରାଚୀ ନଦୀ କୂଳରେ ଥିବା ଦେଉଳି ମଠ ଅଭିମୁଖେ ଯାତ୍ରା ଆରମ୍ଭ କରିବେ।ବିଭିନ୍ନ ଗ୍ରାମ ରେ ପଦଯାତ୍ରୀ ମାନଙ୍କୁ ଫୁଲ,ଚନ୍ଦନ,ବନ୍ଦାପନା କରାଯାଇ ସ୍ବାଗତ କରାଯାଇଛି।
