ପଞ୍ଚ ରାସ ଉତ୍ସବ ରେ ପ୍ରାଚୀ ତଟ ଉତ୍ସବ ମୁଖର ।
ଚାରିଛକ, (ଏ.ପି.ନିୟୁଜ )(ସନ୍ତୋଷ ଦାଶ) ଧର୍ମ ମାସ କାର୍ତ୍ତିକ ର ଶେଷ ପାଞ୍ଚଦିନ (କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ)କୁ ପବିତ୍ର ପଞ୍ଚକ ଭାବେ ପାଳନ କରା ଯାଉଛି। ଚାରିଛକ, ନୟାହାଟ, ନିମାପଡ଼ା,କାକଟପୁର ଅଞ୍ଚଳ ର ବିଭିନ୍ନ ମନ୍ଦିର ଓ ମଠ ଗୁଡିକ ରେ ଦଶମୀ ତିଥି ଠାରୁ ଆରମ୍ଭ ହୋଇଛି ପଞ୍ଚରାସ ଉତ୍ସବ। ମଠ ମନ୍ଦିର ମାନଙ୍କ ରେ ପୂଜା ପାଉଥିବା ରାଧା କୃଷ୍ଣ ଙ୍କୁ ପ୍ରତ୍ୟେକ ଦିନ ସଂଧ୍ୟା ରେ ମନ୍ଦିର ରୁ ଶୋଭାଯାତ୍ରା ରେ ଅଣା ଯାଇ ପୂର୍ବରୁ ପ୍ରସ୍ତୁତ କୁଞ୍ଜରେ ଉପବେସନ କରାଯିବା ପରେ ତାଙ୍କ ସମ୍ମୁଖ ରେ ଶରତ ରାସ ପୁସ୍ତକ ର ଗୋଟିଏ ଗୋଟିଏ ଅଧ୍ୟାୟ ସବୁଦିନ ପାଠ କରାଯାଉଛି।ଶେଷରେ ବାଳ ଭୋଗ, ଆଳତୀ ଅନୁଷ୍ଠିତ ହୋଇ ଠାକୁର ମାନଙ୍କୁ କୁଞ୍ଜ ରୁ ସ୍ବ ମନ୍ଦିର କୁ ଶୋଭାଯାତ୍ରା ରେ ନିଆଯାଉଛି। କାର୍ତ୍ତିକ ପୂର୍ଣ୍ଣିମା ଦିନ ରାସ ଉତ୍ସବ ସମାପନ ହେବ। ପଞ୍ଚରାସ ଉତ୍ସବ ପାଇଁ ପ୍ରାଚୀ ଉପତ୍ୟକା ର ଅନ୍ତଃବେଦୀ ମଠ,ରାଧାକାନ୍ତ ମଠ,ଅର୍କ ମଠ, ସିଦ୍ଧ ମଠ,ଅହ୍ମୁଣିଆଁ ମଠ,ଗୋପାଳ ମଠ, ଗୁରୁଦେବ ମଠ, ରୋହିଣୀ କୁଣ୍ତ ମଠ, ଅତିବଡ଼ି ମଠ,ପଞ୍ଚବଟୀ ମଠ, ବନ୍ଧୁ ମଠ, ଅପସରା ମଠ, ନୂଆମଠ, ନିମାପଡ଼ାର ଶ୍ୟାମସୁନ୍ଦର ପୁର ମଠ, ତୁଳସୀପୁର ର ବାସୁଦେବ ମନ୍ଦିର ରେ ସ୍ବତନ୍ତ୍ର ପୂଜା ନୀତି ଅନୁଷ୍ଠିତ ହେଉଛି। ରାସ ଉତ୍ସବ ଦେଖିବାକୁ, ରାଧାକୃଷ୍ଣ ଙ୍କ ଆଶ୍ରିବାଦ ପାଇବାକୁ ମଠ ମନ୍ଦିର ମାନଙ୍କରେ ଭକ୍ତ, ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗୁଛି। ପଞ୍ଚରାସ ପାଇଁ ଉତ୍ସବ ମୁଖର ହୋଇ ପଡ଼ିଛି ପ୍ରାଚୀ ଉପତ୍ୟକା ର ମଠ ଓ ମନ୍ଦିର।
