ପୁରୀ ପରାକ୍ରମ ଯାତ୍ରାକୁ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ପୁରୀ, ୧୯/୫(ଏପିନ୍ୟୁଜ) ଆମେ ଏକ। ଆମ ଦେଶର ସୁରକ୍ଷାରେ ଆମେ ସମସ୍ତେ ଜଣେ ଜଣେ ସିପାହୀ। ଚୁଟକି ସିନ୍ଦୂରର ମୂଲ୍ୟ କ’ଣ ହୋଇପାରେ ତାହା ପାକିସ୍ତାନକୁ ଜବାବ ଦିଆଯାଇଛି। ଦେଶ ମାତୃକାର ସେବାରେ ଦିନ ରାତି ଲାଗିଥିବା ଓ ଅପରେସନ ସିନ୍ଦୂରରେ ନିୟୋଜିତ ସେନାକୁ ଦେଶର ୧୪୦ କୋଟି ଜନତା ଧନ୍ୟବାଦ ଦେଉଛୁ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା। ଅପରେସନ ସିନ୍ଦୁରର ସଫଳତା ଓ ଭାରତୀୟ ସେନାବାହିନୀର ଦକ୍ଷତାକୁ ସମ୍ମାନ ଜଣାଇ ଆଜି ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ମୁକ୍ତାକାଶ ରଙ୍ଗ ମଞ୍ଚ ଠାରୁ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହାକୁ ଉଦଘାଟନ କରି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଆମ ସେନାର ପରାକ୍ରମ ସମଗ୍ର ବିଶ୍ବ ଦେଖି ଆଚମ୍ବିତ ହୋଇଛି। ଏହା ଏକ ଐତିହାସିକ ସଫଳତା। ପ୍ରଧାନମନ୍ତ୍ରୀ ଙ୍କ ନେତୃତ୍ୱରେ ଆମ ଶତ୍ରୁ ଦେଶକୁ ସେନା ପରାସ୍ତ କରିଛି। ତେଣୁ ଆମେ ପ୍ରତ୍ୟେକ ଭାରତବାସୀ ଏଥିପାଇଁ ଗର୍ବ ଅନୁଭବ କରିବା । ଆମ ସେନାକୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି ସେ କହିଥିଲେ। ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଡା ଦେବେନ୍ଦ୍ର ତରାଇ ପ୍ରମୁଖ ଆମ ସେନା ମାଧ୍ୟମର ଏହି ବିପୁଳ ବିଜୟ ବିଶ୍ବରେ ଆଲୋଡନ ସୃଷ୍ଟି ସହ ଆମେ ଯେ କେତେ ପରାକ୍ରମୀ ତାହାର ପ୍ରମାଣ ମିଳିଛି ବୋଲି କହିଥିଲେ। ଆତଙ୍କୀ ଆକ୍ରମଣର ସଠିକ ଜବାବ ଦେଇ ଭାରତ ଉପଯୁକ୍ତ ପ୍ରତିଶୋଧ ନେଇ ପାରିଛି ବୋଲି ସେମାନେ କହିଥିଲେ। ଏହି ଶୋଭାଯାତ୍ରା ମରିଚକୋଟ ଛକ ପର୍ଯ୍ୟନ୍ତ ଯାଇଥିଲା। ପରେ ଅତିଥି ମାନେ ସିଂହଦ୍ଵାର ସମ୍ମୁଖରେ ଦୀପଦାନ କରି ସେନା ମନୋବଳ ବୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। ଭାରତୀୟ ସେନାର ଅଦମ୍ୟ ସାହସକୁ ସମ୍ମାନ ଜଣାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ପରାକ୍ରମ ଶୋଭାଯାତ୍ରାରେ ସମାଜର ସବୁ ବର୍ଗର ନାଗରିକଙ୍କ ସହ ପ୍ରଶାସନିକ ଅଧିକାରୀ, ପୋଲିସ ବାହିନୀ,ଏନସିସି କ୍ୟାଡେ଼ଟ୍, ଅଗ୍ନିଶମ କର୍ମଚାରୀ, ଶିକ୍ଷକ, ମହିଳା, ଛାତ୍ରଛାତ୍ରୀ, କ୍ରୀଡ଼ାବିତ, ଗଣମାଧ୍ୟମ, ମିଶନ ଶକ୍ତି ମା ମାନେ ଓ ପୁରୀ ଠାରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ।