ରାଜ୍ୟ

ପିପିଲି ବାଇପାସ ନିକଟରୁ ମିଳିଲା ନାବାଳିକାର କଟା ମୁଣ୍ଡର ଖପୁରି

Spread It

ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ

ପିପିଲି,୧୩/୫(ଏପିନ୍ୟୁଜ) କୁକୁର ଝୁଣି ଖାଇଦେଲେ ଯୁବତୀଙ୍କ ମୃତ ଦେହକୁ । ଏହି ସମ୍ବେଦନଶୀଳ ଘଟଣା ପୁଣି ପିପିଲି ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି । ୨ମାସ ମଧ୍ୟରେ ପିପିଲିରେ ୩ଟି ଦୁଷ୍କର୍ମ ଘଟଣା ଚର୍ଚ୍ଚାରେ ଥିବାବେଳେ ଆଜି ସନ୍ଧ୍ୟାରେ ପିପିଲି ବାଇପାସର ନାୟାରା ପେଟ୍ରୋଲ ପମ୍ପ ନିକଟରୁ ମିଳିଛି ମୃତକଙ୍କ ଖଣ୍ଡ ବିଖଣ୍ଡିତ ଶରୀର ବୋଲି କୁହାଯାଉଛି । ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥ ନିକଟ (ଷଣ୍ଢବଟ ଗ୍ରାମ) ବିଲରୁ ପିପିଲି ପୋଲିସ ଆଜି ସଂଧ୍ୟାରେ ଶରୀରର ବିଭିନ୍ନ ଅଂଗର ହାଡ, ମୁଣ୍ଡ ଖପୁରୀ ଜବତ କରିଛି । ଉକ୍ତ ବିଲରେ ଏଣେତେଣେ ହୋଇ ମଣିଷ ଶରୀରର ବିଭିନ୍ନ ଅଂଗକୁ ବୁଲା କୁକୁର ଝୁଣି ଖାଇବା ସହ ଅଂଗର ହାଡ ପଡିଥିବାର ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ଏକାଧିକ ବୁଲା କୁକୁର ଉକ୍ତ ମନୁଷ୍ୟ ଶରୀରର ଅଂଗଗୁଡିକୁ ଭିଡି ନେଇ ବୁଲି ଖାଇବା ସହ ବିଭିନ୍ନ ସ୍ଥାନରେ ମେରୁଦଣ୍ଡ, ମୁଣ୍ଡର ଚୁଟି, ମୁଣ୍ଡର ଖପୁରୀ, ଗୋଡ ଓ ହାତର ହାଡ ପକାଇଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକମାନେ ଅନ୍ଧାରରେ ଟର୍ଚ୍ଚ ମାରି ବିଭିନ୍ନ ଅଂଗର ଗଳିତ ଭାଗକୁ ଦେଖିଥିଲେ । ଏକ ସ୍ଥାନରେ ମହିଳା ପରିଧାନ କରୁଥିବା ଦୁଇଟି  ଅନ୍ତଃବସ୍ତ୍ର ସହ ଯୁବତୀଙ୍କ ଚପଲ ଓ ଏକ ଡେଉଁରିଆ ପଡିଥିବାର ଦେଖିବାକୁ ମିଳିଥିଲା । ପିପିଲି ପୁଲିସ ଘଟଣା ସ୍ଥଳକୁ ଯାଇ ମୃତକଙ୍କର ମୁଣ୍ଡ ଖପୁରୀ, ଦାନ୍ତମାଢି, ହାତ ହାଡ଼, ମେରୁଦଣ୍ଡ ହାଡ଼, ଚୁଟି ଏବଂ ମୃତକଙ୍କର ଅନ୍ତଃବସ୍ତ୍ର, ଓଡ଼ଣୀ ଓ ସ୍ଲିପର ଚପଲ ଆଦି ଜବତ କରିଛନ୍ତି । ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଏଠାରେ ଚର୍ଚ୍ଚା ଚାଲିଛି । ତେବେ ମୃତକଙ୍କର ଅଦ୍ୟାବଧି ପରିଚୟ ମିଳିନାହିଁ । ଅନ୍ୟ କୌଣସି ଠାରେ ମାରି ଦିଆଯାଇ ଏଠାରେ ଆଣି ଫିଙ୍ଗି ଦିଆଯାଇଥିଲା କି ଗଳିତ ଅଂଶ ମିଳିଥିବା ସ୍ଥାନ ଠାରୁ ଅନତି ଦୂରରେ ପୋତା ଯାଇଥିବା ଶବକୁ ବୁଲା କୁକୁର ଟାଣି ଆଣି ଝୁଣୁଥିଲେ ତାହା ମଧ୍ୟ ପୋଲିସ ଅନୁସନ୍ଧାନ କରୁଛି ।  ଘଟଣାସ୍ଥଳରେ ପିପିଲି ଆଇଆଇସି ସୌମେନ୍ଦୁ ଶେଖର ତ୍ରୀପାଠୀ ଓ ଅନ୍ୟ ପୋଲିସ ଅଧିକାରୀମାନେ ପହଂଚି ଅନୁସନ୍ଧାନ କରିବା ସହ ବିଲରେ ଏଣେତେଣେ ପଡିଥିବା ମୃତକଙ୍କ ଶରୀରର ବିଭିନ୍ନ ଅଂଶ ଓ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିଛନ୍ତି । ଏହି ସବୁକୁ ପୁରୀ ମେଡିକାଲର ଏଫଏମଏମଟି ବିଭାଗକୁ ପଠାଯାଇ ଯାଂଚ କରାଯିବ ବୋଲି ଆଇଆଇସି ଶ୍ରୀ ତ୍ରିପାଠୀ କହିଛନ୍ତି । ଏ ନେଇ ପିପିଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

Leave a Reply

Your email address will not be published. Required fields are marked *