ପ୍ରାଚୀ ଉପତ୍ୟକା ଅଞ୍ଚଳ ରେ ଦୋଳ ଉତ୍ସବ ଆରମ୍ଭ। ଠାକୁର ବିମାନ ରେ ଗାଁଗାଁ ବୁଲି ଖାଇଲେ ଦ୍ଵାରୀ ଭୋଗ।
ଚାରିଛକ (ଏ.ପି ନିୟୁଜ,ସନ୍ତୋଷ ଦାଶ) ଆଜି ଥିଲା ପବିତ୍ର ଫାଲଗୁନ ମାସ ଦଶମୀ ତିଥି। ଅର୍ଥାତ ଫଗୁ ଦଶମୀ। ପାରମ୍ପରିକ ପ୍ରଥାଅନୁସାରେ ଆଜି ଠାରୁ ପ୍ରାଚୀ ଉପତ୍ୟକା ର ବିଭିନ୍ନ ଅଞ୍ଚଳ ରେ ଦୋଳ ଉତ୍ସବ ଆରମ୍ଭ ହୋଇଛି।ନିକଟସ୍ଥ ବନ୍ଦେଶ୍ୱର, ଅମରେଶ୍ୱର, ରାଧାକାନ୍ତ, ଦୂର୍ଗା ମାଧବ ମନ୍ଦିର ରେ ସଂଧ୍ୟାରେ ସଂଧ୍ୟା ଆଳତୀ, ଭୋଗ ଲାଗି କରାଯିବା ପରେ ଠାକୁର ମାନଙ୍କ ଚଳନ୍ତି ପ୍ରତିମା ମାନଙ୍କୁ ହରିବୋଲ, ହୁଳହୁଳି ପକାଇ ଘଣ୍ଟ,ଶଙ୍ଖ,ସିଂଙ୍ଘା , ପଖୋଜ ବଜାଇ ମନ୍ଦିର ଭିତରୁ ବାହାର କୁ ଆଣି ସୁସଜ୍ଜିତ ବିମାନ ରେ ବସାଇ ଶୋଭାଯାତ୍ରାରେ ତିହୁଡ଼ି ଜଳାଇ ପ୍ରଥମେ ସେବକ ମାନଙ୍କ ଘର କୁ ନିଆଯାଇଥିଲା। ସେଠାରେ ଠାକୁର ମାନଙ୍କୁ ଦ୍ବାରୀ ଭୋଗ ଲାଗି କରା ଯାଇଥିଲା। ଆଜି ଠାରୁ ଠାକୁର ମାନେ ଗାଁ ଗାଁ ବୁଲି ଭକ୍ତ ଙ୍କ ଦ୍ଵାର ମୁହଁ ଠାରେ ଦ୍ୱାରୀ ଭୋଗ ଖାଇବେ। ଚତୁର୍ଦ୍ଦଶୀ ଦିନ ସଂଧ୍ୟାରେ ନିକଟସ୍ଥ ତୁଳସୀପୁର ପଞ୍ଚାୟତ ର ସଭାମଣ୍ଡପ ଠାରେ ଏମାନେ ଏକତ୍ରିତ ହେବା ପରେ ପ୍ରସିଦ୍ଧ ହରିହର ଭେଟ ଉତ୍ସବ ଅନୁଷ୍ଠିତ ହେବ। ଗାଁ ଗାଁ ବୁଲି ଠାକୁର ମାନେ ଦ୍ୱାରୀ ଭୋଗ ଖାଉଥିବାରୁ ଗାଁ ଗଣ୍ଡା ଗୁଡିକ ଉତ୍ସବମୁଖର ହୋଇ ପଡ଼ିଥିବା ବେଳେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।
