ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଫଟୋଚିତ୍ର ପ୍ରଦର୍ଶନୀ
ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା-୨୦୨୫
ପୁରୀ (ଏପିନ୍ୟୁଜ) ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ସ୍ଥାନୀୟ ପୁରୀ ହୋଟେଲ ସମ୍ମୁଖ ବେଳାଭୂମିରେ ଆୟୋଜିତ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳାରେ ମୁଖ୍ୟ ଆକର୍ଷଣ ପାଲଟିଛି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀ । ଗତ ଜୁନ୍ ୨୫ତାରିଖରୁ ଆରମ୍ଭ ହୋଇଥିବା ଏହି ଫଟୋଚିତ୍ର ପ୍ରଦର୍ଶନୀରେ ରଥଯାତ୍ରା ସହିତ ଜଡ଼ିତ ବିଭିନ୍ନ ପରମ୍ପରା, ନୀତିକାନ୍ତି, ତିନି ଠାକୁରଙ୍କ ବେଶ, ରଥଯାତ୍ରା ସମ୍ପର୍କିତ ବହୁ ପୁରାତନ ଖବର ଓ ନଥି ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଓ ଯୋଜନା ସ୍ଥାନିତ ହୋଇଛି । ପଲ୍ଲିଶ୍ରୀ ମେଳାକୁ ଆସୁଥିବା ଆଗନ୍ତୁକମାନେ ଏହାକୁ ଦେଖିବାକୁ ବେଶ୍ ଆଗ୍ରହୀ ହେଉଛନ୍ତି । ବିଶେଷ କରି ପୁରାତନ ଖବରକାଗଜ ଏବଂ ନଥିକୁ ସେମାନେ ପଢିବା ସହିତ ପ୍ରଦର୍ଶନୀର ବିଭିନ୍ନ ସ୍ଥାନରେ ସେଲଫି ନେଉଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଏହି ଫଟୋଚିତ୍ର ପ୍ରଦର୍ଶନୀ ବିଭିନ୍ନ ବର୍ଗର ଲୋକଙ୍କ ଦ୍ୱାରା ବେଶ୍ ପ୍ରଶଂସିତ ହୋଇଛି । ପଲ୍ଲିଶ୍ରୀ ମେଳା କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଏହି ଫଟୋଚିତ୍ର ପ୍ରଦର୍ଶନୀ ଖୋଲା ରହିବ । ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ, ନିର୍ଦ୍ଦେଶକ ଶ୍ରୀ ଅନୁଜ ଦାସ ପଟ୍ଟନାୟକଙ୍କ ଦିଗଦର୍ଶନ ଏବଂ ଅତିରିକ୍ତ ନିର୍ଦ୍ଦେଶକ ଗୁରବୀର ସିଂହ, ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ପ୍ରଦର୍ଶନୀ ଅଧିକାରୀ ଦୀପକ କୁମାର ସାହୁ ଓ ସୂଚନା ଅଧିକାରୀ ଶ୍ରୀ ହରପ୍ରସାଦ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଛି ।
