‘ନୀରଜ ଚୋପ୍ରା କ୍ଲାସିକ୍’ ଜିତିଲେ ନୀରଜ
‘ନୀରଜ ଚୋପ୍ରା କ୍ଲାସିକ୍’ ଜିତିଲେ ନୀରଜ
ବେଙ୍ଗାଲୁରୁ, (ଏପିନ୍ୟୁଜ): ଭାରତୀୟ କ୍ରୀଡ଼ା ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଜାଭଲିନ୍ ଖେଳର ପ୍ରଥମ ପେସାଦାର ଲିଗ୍ ‘ନୀରଜ ଚୋପ୍ରା କ୍ଲାସିକ୍’ ସ୍ଥାନୀୟ ଶ୍ରୀ କାନ୍ତିରବା ଷ୍ଟାଡିୟମ୍ରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ନିଜ ନାଁରେ ଆୟୋଜିତ କୌଣସି ପ୍ରତିଯୋଗିତାକୁ ନିଜେ ଜିତିବାର ବିରଳ ରେକର୍ଡ ଯୁଗଳ ଅଲିମ୍ପିକ୍ସ ପଦକ ବିଜୟୀ ନୀରଜ ଚୋପ୍ରା କରିଛନ୍ତି। ପୁଣି ଏକ ଟ୍ରାକ୍ ଆଣ୍ଡ୍ ଫିଲ୍ଡ ପ୍ରତିଯୋଗିତା ଜିତିବାକୁ ପ୍ରଶଂସକମାନେ ଟିକେଟ୍ କିଣି ଷ୍ଟାଡିୟମ୍ ଭର୍ତି କରିବାର ଅନନ୍ୟ ଦୃଶ୍ୟ ଓ ମୁହୂର୍ତ ଭାରତୀୟ ଆଥଲେଟିକ୍ ଜଗତକୁ ରୋମାଂଚିତ ଓ ରୁଦ୍ଧିମନ୍ତ କରିଛି। ଏକ ନୂଆ ଯୁଗର ଶୁଭାରମ୍ଭ ସହ ଜାଭଲିନ୍ ଖେଳ ଦେଶର ଘରେ ଘରେ ପହଂଚିବାର ବାଟ ଆହୁରି ଉନ୍ମୁକ୍ତ ହୋଇଛି। ଟୋକିଓରେ ସ୍ୱର୍ଣ୍ଣ ଏବଂ ପ୍ୟାରିସ୍ରେ ରୌପ୍ୟ ଜିତି ନୀରଜ ଭାରତୀୟ ଜାଭଲିନ୍ରେ ନୂଆ ମୋଡ଼ ଆଣିଥିଲେ। ନିଜ ଉଦ୍ୟମରେ ଏଭଳି ଏକ ଲିଗ୍ ଆୟୋଜନ କରି ଏଥିରେ ନୂଆ ସମ୍ଭାବନା ଓ ଗ୍ଲାମର୍ ଯୋଡ଼ିବାର ଐତିହାସିକ କାମ କରିଛନ୍ତି ନୀରଜ। ଫାଉଲ୍ରୁ ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ଶନିବାର ସଂଧ୍ୟାରେ ନୀରଜଙ୍କ ୮୬.୧୮ ମିଟରର ତୃତୀୟ ଥ୍ରୋ’ ତାଙ୍କୁ ସ୍ୱର୍ଣ୍ଣ ପଦକ ଜିତାଇଥିଲା। ଏହା ତାଙ୍କର ଲଗାତାର ତୃତୀୟ ଟାଇଟଲ ହୋଇଛି। ଗତ ଜୁନ୍ ୨୦ରେ ୨୭ ବର୍ଷୀୟ ନୀରଜ ପ୍ୟାରିସ୍ ଡାଏମଣ୍ଡ ଲିଗ୍ ଏବଂ ଜୁନ୍ ୨୪ରେ ପୋଲାଣ୍ଡର ଓସ୍ତ୍ରାଭାଠାରେ ଆୟୋଜିତ ଗୋଲଡେନ୍ ସ୍ପାଇକ୍ ପ୍ରତିଯୋଗିତା ଜିତିଥିଲେ। ନିଜ ପ୍ରଥମ ପ୍ରୟାସରେ ଅଯୋଗ୍ୟ ରହିବା ପରେ ଦ୍ୱିତୀୟରେ ୮୨.୯୯, ତୃତୀୟରେ ୮୬.୧୮, ଚତୁର୍ଥରେ ପୁଣି ଅଯୋଗ୍ୟ ଏବଂ ପଞ୍ଚମ ତଥା ଶେଷ ପ୍ରୟାସରେ ୮୨.୨୨ ମିଟର ଦୂରତାକୁ ଜାଭଲିନ୍ ଫିଙ୍ଗିଥିଲେ ସେ। କେନିଆର ବିଶ୍ୱବିଜେତା ୮୪.୫୧ ମିଟରର ଶ୍ରେଷ୍ଠ ଥ୍ରୋ’ ସହ ଦ୍ୱିତୀୟ ଏବଂ ଶ୍ରୀଲଙ୍କାର ରମେଶ ପଥିରେଗ (୮୪.୩୪ର ଶ୍ରେଷ୍ଠ ଥ୍ରୋ’) ତୃତୀୟ ସ୍ଥାନରେ ରହିଥିଲେ।
