ଦିନରେ ରାଜମିସ୍ତ୍ରୀ କାମ କରି ରାତି ରେ ଲୁଟ କରୁଥିବା ୪ ଲୁଟେରା ଗିରଫ
ଦିନରେ ରାଜମିସ୍ତ୍ରୀ କାମ କରି ରାତି ରେ ଲୁଟ କରୁଥିବା ୪ ଲୁଟେରା ଗିରଫ ।
ଚାରିଛକ,(ଏପିନ୍ୟୁଜ)(ସନ୍ତୋଷ ଦାଶ)ପୁରୀ ଜିଲ୍ଲା ଚାରିଛକ ଥାନା ଅଂଚଳରେ ଲଗାତର ଚୋରି ହେବା ପରେ ପୁଲିସ ଉପରୁ ଜନ ସାଧାରଣ ଙ୍କ ଆସ୍ଥା ତୁଟିବାରେ ଲାଗିଥିଲା। ଏହି ଥାନା ଅନ୍ତର୍ଗତ ଗଡଅମର ପ୍ରସାଦ କ୍ଷୀରକୋଳି ମଠ ନିକଟରେ ୪ଜଣ ଲୁଟେରା ଚୋରି ସାମଗ୍ରୀ ବଣ୍ଟନ କରୁଥିବା ବିଶେଷ ସୂତ୍ରରୁ ଖବର ନିମାପଡା ଏସଡିପିଓ ଜନାର୍ଦ୍ଦନ ପାଢୀଙ୍କ ନିର୍ଦ୍ଦେଶ କ୍ରମେ ଚାରିଛକ ଥାନା ଅଧିକାରୀ ମମତା ବିଶ୍ଵାଳଙ୍କ ନେତୃତ୍ବରେ ଏଏସଆଇ କୈଳାଶ ପ୍ରଧାନ,ସବିତା କୁମାରୀ ଦେବୀ,ଇନ୍ଦୁଲତା ମିଶ୍ରଙ୍କ ସମେତ ଏକ ଟିମ ସେଠାରେ ଚଢଉ କରି ବିଭିନ୍ନ ଚୋରୀ ସାମଗ୍ରୀ ଜବତ କରିବା ସହିତ ୪ ଜଣ ଲୁଟେରା ଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଅସ୍ତରଙ୍ଗ ଥାନା ଅନ୍ତର୍ଗତ ବେରାଙ୍ଗ ଗ୍ରାମର ମାଧବ କାଣ୍ଡି, କାକଟପୁର ଥାନା ଅନ୍ତର୍ଗତ ହରିଦାସପୁର ର ଅନିଲ କୁମାର କାଣ୍ଡି ଓ ଦୀପକ କାଣ୍ଡି, ବାଲିକୁଦା ଥାନା ଅନ୍ତର୍ଗତ କୋଳଦା ଗ୍ରାମର ମୃତ୍ୟୁଞ୍ଜୟ ମହାନ୍ତି ବୋଲି ପୋଲିସ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛି। ଲୁଟେରା ମାନଙ୍କ ଠାରୁ ଇନଭଟର, ଗ୍ୟାସ ସିଲିଣ୍ଡର, ପଂଖା, ଗ୍ରାଇଣ୍ଡର , କଟୁରୀ, କଟର, ସାଉଣ୍ଡ ବକ୍ସ ଆଦି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରିଛି । ଏହି ଅଭିଯୁକ୍ତ ମାନେ ଏହି ଥାନା ଅଂଚଳରେ ଦିନରେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି ଓ ରାତିରେ ଲୋକ ମାନେ ଘରେ ନ ଥିବାର ସୁଯୋଗ ନେଇ ଘରୁ ଲୁଟ କରନ୍ତି ବୋଲି ପୋଲିସ କହିଛି।ଅନେକ ସମୟରେ ଏହି ଚୋରମାନେ ନାମ ବଦଳାଇବା ସହିତ ମୋବାଇଲର ସିମି କାର୍ଡ ବଦଳାଉଥବା ଥାନା ଅଧିକାରୀ ଶ୍ରୀମତୀ ବିଶ୍ଵାଳ ସୁଚନା ଦେଇଛନ୍ତି । ଚାରିଛକ ପୁଲିସ ୭୨/୨୫ରେ ଏକ ମାମଲା ରୁଜୁ କରି ୪ ଜଣ ଅଭିଯୁକ୍ତକୁ କୋର୍ଟ ଚାଲଣ କରିଛି।
