ନାବାଳିକାର ଅପମୃତ୍ୟୁ ମାମଲା ମୋଡ ନେଲା ହତ୍ୟା ମାମଲା
ନିମାପଡା(ଏପିନ୍ୟୁଜ) ନିମାପଡା ଥାନା ଅନ୍ତର୍ଗତ ଅଣ୍ଢିଆସାହି ଗ୍ରାମରେ ରହୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀ ଆଜବେଷ୍ଟ ହୁକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଥିଲା। ଏହି ନାବାଳିକାଙ୍କ ଘର ନିମାପଡା ଥାନା ଅନ୍ତର୍ଗତ ଗଡତୋରିହଁ ଗ୍ରାମରେ ହୋଇଥିବା ବେଳେ ସେ ତାଙ୍କ ବାପା ମାନସ ପ୍ରଧାନ ଓ ମା’ ଙ୍କ ସହିତ ଅଣ୍ଢିଆସାହିରେ ଭଡାଘରେ ରହୁଥିଲେ। ମୃତ୍ୟୁ ଖବର ଶୁଣି ଝିଅର ପ୍ରକୃତ ମା ସତ୍ୟଭାମା ପ୍ରଧାନ ଝିଅକୁ ମାରି ଦେଇଥିବା ପୁଲିସ୍ରେ ଅଭିଯୋଗ କରିବା ପରେ ପୁଲିସ୍ ଏହି ମାମଲାକୁ ହତ୍ୟା ମାମଲା ରୁଜୁ କରିଛି। ସୂଚନାରୁ ପ୍ରକାଶ ଗଡତୋରିହଁ ଗ୍ରାମର ମାନସ ପ୍ରଧାନ ନାମକ ଦୈନିକ ବ୍ୟକ୍ତି କୋଣାର୍କ ଥାନା ଅନ୍ତର୍ଗତ ମାଧିପୁର ଗ୍ରାମର ସତ୍ୟଭାମା ପ୍ରଧାନକୁ ବିବାହ କରିଥିଲେ। ଉଭୟଙ୍କ ଔରସରୁ ଏକ ପୁତ୍ର ଓ ଏକ କନ୍ୟା ଶୁଭଲକ୍ଷ୍ମୀ ଥିଲେ। ପୁଅଟିର କୌଣସି କାରଣରୁ ମୃତ୍ୟୁ ହୋଇଥିଲା। ସତ୍ୟଭାମା ଓ ମାନସ ଭିତର ଅମେଳ ହେବାରୁ ଝିଅଟି ମା’ ପାଖରେ ରହିଥିଲା। ଅପର ପକ୍ଷରେ ଶୁଭଲକ୍ଷ୍ମୀର ବାପା ମାନସ ପ୍ରଧାନ କୋଣାର୍କ ନୋଳିଆସାହିର ଖୁସି ରାଓ ନାମକ ଜଣେ ମହିଳାଙ୍କୁ ବିବାହ କରି ନିମାପଡାର ଅଣ୍ଢିଆ ସାହି ଗ୍ରାମରେ ରହୁଥିଲେ। ସତ୍ୟଭାମାଙ୍କ ଶାଶୁ ମୃତ ଶୁଭଲକ୍ଷ୍ମୀଙ୍କୁ ପାଠ ପଢେଇବା ପାଇଁ ନିମାପଡାରେ ମାନସ ପ୍ରଧାନ ପାଖରେ ଛାଡିଥିଲେ। ଶୁଭଲକ୍ଷ୍ମୀର ମୃତ୍ୟୁ ଖବର ପାଇବାପରେ ସତ୍ୟଭାମା ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ଝିଅକୁ ତା ବାପା ମାନସ, ସାବତ ମାଆ ଖୁସି ରାଓ, ଜେଜେମା ତୁଳସୀ ପ୍ରଧାନ ଓ ତାଙ୍କ ଯା’ ଓ ଦେଢଶୂର ମିଶି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ପୁଲିଶ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ସତ୍ୟଭାମା ପୁଲିସ କାର୍ଯ୍ୟନୁଷ୍ଠାନ ଦାବୀରେ ଥାନା ଆଗରେ ଧାରଣାରେ ବସିଛି।
