ଚାଷୀ ଧାନ ବିଲରେ ପୋତିଲେ ଗର୍ଭଣା ଡ଼ାଳ
ଚାରିଛକ( ଏ ପି ନିୟୁଜ),( ସନ୍ତୋଷ ଦାଶ)ଆଜି ଥିଲା ତୁଳା ମାସର ସଂକ୍ରାନ୍ତି ବା ଗର୍ଭଣା ସଂକ୍ରାନ୍ତି ।ପାରମ୍ପରିକ ପ୍ରଥାନୁସାରେ ଚାରିଛକ,ନୟାହାଟ, ନିମାପଡ଼ା ଅଞ୍ଚଳ ର ଚାଷୀ ମାନେ ପ୍ରାତଃ ରୁ ସ୍ନାନ କରି ନବ ବସ୍ତ୍ର ପରିଧାନ କରି ଆଗରୁ ସଂଗ୍ରହ କରିଥିବା ଗର୍ଭଣା ଗଛ ର ଡାଳ କୁ ପୂଜା କରିଥିଲେ।ମଧ୍ୟାର୍ଣ୍ଣ ରେ ଚାଷୀ ମାନେ ସେହି ପୂଜା ହୋଇଥିବା ଗର୍ଭଣା ଗଛ ଡ଼ାଳ କୁ ସାଙ୍ଗରେ ନେଇ ଯାଇ ନିଜ ଧାନ ଫସଲ ହୋଇଥିବା ବିଲ ର ବିଭିନ୍ନ ସ୍ଥାନ ରେ ପୋତିଥିଲେ। ଏବେ ଧାନ ଗଛର ଗର୍ଭରେ ଧାନ କେଣ୍ଡା ବାହାରୁଛି । ଏହି ସମୟରେ ଗର୍ଭଣା ଗଛର ଡାଳକୁ ପୂଜା କରି କ୍ଷେତରେ ପୋତିଲେ ଧାନ ଫସଲ କୁ ନଷ୍ଟ କରୁଥିବା କୀଟ, ପତଙ୍ଗ ଇତ୍ୟାଦି ମୃତ୍ୟୁ ବରଣ କରି ଭଲ ଫସଲ ହୁଏ ବୋଲି ପ୍ରବାଦ ରହିଛି । ଗର୍ଭଣା ଗଛକୁ କେତେକ ସ୍ଥାନରେ ଅଙ୍କରାନ୍ତି ଗଛ ମଧ୍ୟ କହନ୍ତି । ଏହାର ଅନେକ ଔଷଧୀୟ ଗୁଣ ରହିଛି । ଅତୀତ ରେ କୌଣସି କୀଟନାଶକ ଔଷଧ ର ବ୍ୟବହାର ହେଉ ନ ଥିଲା। ସେ ସମୟ ରେ ଏହି ଗର୍ଭଣା ଗଛ ର ଡାଳ କୁ ଚାଷୀ ମାନେ ବିଲରେ ପୋତି ଥାନ୍ତି। ଏହି ଡ଼ାଳ ର ଔଷଧୀୟ ଗୁଣ ପାଇଁ ଫସଲକୁ ନଷ୍ଟ କରୁଥିବା କୀଟ ପତଙ୍ଗ ମାନେ ମୃତ୍ୟୁ ବରଣ କରନ୍ତି। ଫସଲ ଭଲ ହୁଏ। ଯଦିଓ ଏହା ପଛରେ କୌଣସି ବୈଜ୍ଞାନିକ କାରଣ ଥିବାର ଜଣାଯାଏ ନାହିଁ, ତଥାପି ଲୋକବିଶ୍ୱାସକୁ ଭିତ୍ତି କରି ରାଜ୍ୟ ର ଚାଷୀ ମାନେ ଏହି ପର୍ବ କୁ ନିଷ୍ଠାର ସହିତ ପାଳନ କରି ଆସୁଛନ୍ତି।
