ରାଜ୍ୟ

ବାଲିପାଟଣା ବ୍ଲକରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି ଅନୁଷ୍ଠିତ

Spread It

ବାଲିପାଟଣା ବ୍ଲକରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି ଅନୁଷ୍ଠିତ

ଭୁବନେଶ୍ୱର- ତା.୨୭.୧୦.୨୦୨୫- (APNEWS) ବାଲିପାଟଣା ବ୍ଲକ ଅନ୍ତର୍ଗତ କୁରଞ୍ଜିପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜିର ଗ୍ରାମ ପଞ୍ଚାୟତ ସ୍ତରୀୟ ପ୍ରତ୍ୟକ୍ଷ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଖୋରଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମିଳିତ ଜଣାଶୁଣାଣିରେ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

ଆଜି ମୋଟ ୨୦୫ଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିଲା । ସେଥିମଧ୍ୟରୁ ୧୭୧ଟି ଅଭିଯୋଗ ବ୍ୟକ୍ତିଗତ ଥିବାବେଳେ ୩୪ଟି ଗୋଷ୍ଠୀଗତ ଅଭିଯୋଗ ଥିଲା । ସେଥିମଧ୍ୟରୁ ୧୦ ଗୋଟି ଅଭିଯୋଗକୁ ତତ୍କାଳ ସମାଧାନ କରାଯାଇଥିଲା । ଜଣେ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ସେହିଭଳି ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୨ ଜଣଙ୍କୁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏତଦବ୍ୟତୀତ ସମସ୍ତ ଅଭିଯୋଗ ଗୁଡିକୁ ବିଚାରକୁ ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ ନିର୍ଦ୍ଦେଶ ଦେଇଛନ୍ତି । ଜନସାଧାରଣ ମାନଙ୍କୁ ସେବା ଯୋଗାଇ ଦେବା ଉପରେ ଅଧିକାରୀ ମାନେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ହିତାଧିକାରୀ ମାନଙ୍କୁ ହ୍ଵିଲ ଚେୟାର ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରିଥିଲେ।

ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ସମ୍ପର୍କରେ ସ୍ଥାନୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଏପରିକି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ, ଶୁଖିଲା ଖାଦ୍ୟ, ଔଷଧ, ପଶୁ ଖାଦ୍ୟ ମହଜୁଦ ଏବଂ ଆବଶ୍ୟକ ସ୍ଥଳେ ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ପାଇଁ ବ୍ୟାପକ ପ୍ରସ୍ତୁତି କରିବା ପାଇଁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜିର ମିଳିତ ଜନଶୁଣାଣି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ର ନାରାୟଣ ମହାନ୍ତି,ଉପ ଜିଲ୍ଲାପାଳ ଡଃ ମନୋରଞ୍ଜନ ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ହରପ୍ରିୟା ସାହୁ, ଜିଲ୍ଲା ପରିଷଦ ଶ୍ରୀ ପବିତ୍ର ମୋହନ ପଟେଲ, ଶ୍ରୀ ଗଙ୍ଗାଧର ମଲ୍ଲିକ, ଶ୍ରୀମତୀ ସୁକନ୍ୟା ସେଠୀ, ବିଡିଓ ଶ୍ରୀ ଶୁଭ୍ରାଂଶୁ ଶେଖର ପାଢ଼ୀ, ତହସିଲଦାର କଳ୍ପନା ଦାସ, ଜିଲ୍ଲା ସାଧାରଣ ଅଭିଯୋଗ ଆସିଷ୍ଟାଣ୍ଟ କଲେକ୍ଟର ଭୁବନେଶ୍ୱରୀ କହଁର, ଅତିରିକ୍ତ ଡିସିପି ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *