ପୁରୀ ଜିଲାପାଳ ଦିବ୍ୟ ଜ୍ୟୋତି ପରିଡ଼ାଙ୍କ କୃତଜ୍ଞତା ଜ୍ଞାପନ
ପୁରୀ (ଏ.ପି ନିୟୁଜ) ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀ ମା ମାନଙ୍କର ଏକମାସର କାର୍ତ୍ତିକ ବ୍ରତ ବା ରାଈଦାମୋଦର ବ୍ରତ ଏବଂ ପଞ୍ଚୁକ ଶାନ୍ତି ଶୃଙ୍ଖଳା ର ସହ ପରିସମାପ୍ତି ହୋଇଛି।ସମସ୍ତ ଙ୍କ ସହଯୋଗ ରେ ଏହା ଅତି ସୁନ୍ଦର ଭାବେ ପରିଚାଳିତ ହୋଇ ଥିବାରୁ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଛନ୍ତି।ହବିଷ୍ୟାଳୀ ମା ମାନେ ବୃନ୍ଦାବତୀ ନିବାସ,ବଗଲା ଧର୍ମଶାଳା, ମୋଚିସାହି କଲ୍ୟାଣ ମଣ୍ଡପ,ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଓ ରେଲୱେ କଲ୍ୟାଣ ମଣ୍ଡପ ଠାରେ ଏକ ମାସ ରହିଥିଲେ।ପ୍ରତି ଦିନ ପ୍ରତ୍ୟୁଷରୁ ସେମାନଙ୍କ ସ୍ନାନ ଶୌଚ ପରେ ବୃନ୍ଦାବତୀ ପୂଜନ, ସ୍ବେଚ୍ଛାସେବୀ ମାନଙ୍କ ଦ୍ୱାରା ମନ୍ଦିର ଦର୍ଶନ,ମହାପ୍ରସାଦ ସେବନ, ଭଜନ, କୀର୍ତ୍ତନ ଇତ୍ୟାଦି ର ବ୍ୟବସ୍ଥା କରାଯାଇଥିଲା।ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ର ଆର୍ଥିକ ସହାୟତା ଏବଂ ଜିଲ୍ଲା ପ୍ରଶାସନ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ହବିଷ୍ୟାଳୀ କେନ୍ଦ୍ର ଗୁଡିକ ଶୃଙ୍ଖଳା ର ସହ ପରିଚାଳିତ ହୋଇଥିଲା। ମା ମାନଙ୍କୁ ଏକ ମାସର ସୁରକ୍ଷିତ ରହଣୀ,ଶୃଙ୍ଖଳିତ ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ଭଜନ କୀର୍ତ୍ତନ,ଆଧ୍ୟାତ୍ମିକ ପ୍ରବଚନ,ମହାପ୍ରସାଦ ସେବନ ଇତ୍ୟାଦି ପାଇଁ ପ୍ରଶାସନ ପର୍ଯ୍ୟାପ୍ତ ବ୍ୟବସ୍ଥା କରିଛନ୍ତି।ପୂର୍ବରୁ ଅତିଥି ମାନେ ପ୍ରତୀକାତ୍ମକ ଭାବେ ମା ମାନଙ୍କୁ ବିଭିନ୍ନ ସାମଗ୍ରୀ ଥିବା କିଟ୍ସ ବ୍ୟାଗ ପ୍ରଦାନ କରିଥିବା ବେଳେ ଆଜି ସମସ୍ତ ମାନଙ୍କୁ ଏହି କିଟ୍ସ ବ୍ୟାଗ ସହ ଶୁଖିଲା ଭୋଗ ପ୍ରଦାନ କରାଯାଇଛି।ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା,ଶରତ ଚନ୍ଦ୍ର ମହାପାତ୍ର, ନିଳମାଧବ ଭୋଇ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ପିକେଡିଏ ସେକ୍ରେଟାରୀ ଦିଲ୍ଲୀପ କୁମାର ମହାରଣା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଓ ଅନ୍ୟାନ୍ୟ ଅଧିକାରୀ ମାନେ କିଟ୍ସ ଗୁଡିକ ବଣ୍ଟନ କରିଥିଲେ।
