ଶ୍ରୀକ୍ଷେତ୍ରରୁ ଶାବର ଶ୍ରୀକ୍ଷେତ୍ର ପୁରୀ-କୋରାପୁଟ-ପୁରୀ ନୂଆ ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ରେଳମନ୍ତ୍ରୀ
ପୁରୀ ୭/୭(ଏ.ପି ନିୟୁଜ)ପୁରୀ ରେଳ ଷ୍ଟେସନଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ରେଳମନ୍ତ୍ରୀ ଏହି ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହି ଟ୍ରେନ ସପ୍ତାହକୁ ତିନି ଦିନ ଚାଲିବ ଏବଂ ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଓଡିଶାକୁ ଯୋଡି ସମସ୍ତଙ୍କ ପାଇଁ ଏକ ସୁଖଦ ଯାତ୍ରାର ଅନୁଭବ ଆଣିବ। ଦକ୍ଷିଣ ଓ ପଶ୍ଚିମ ଓଡିଶାର ଯେଉଁ ଲୋକମାନେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିବେ କିମ୍ବା ଭୁବନେଶ୍ୱରକୁ କୌଣସି କାମରେ ଆସିବେ ସେମାନଙ୍କ ପାଇଁ ଏହି ଟ୍ରେନ ଏକ ଆଶୀର୍ବାଦ ସ୍ୱରୂପ ହେବ ବୋଲି ସେ କହିଛନ୍ତି। ଓଡିଶାରେ ବର୍ତ୍ତମାନ ୯୭ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି। ଓଡିଶାର ୫୯ ରେଳ ଷ୍ଟେସନକୁ ‘ଅମୃତ ଭାରତ’ ଯୋଜନାରେ ଆଧୁନିକୀକରଣ କରାଯାଉଛି। ସେଥିରେ ୧୮୪ କୋଟି ଟଙ୍କା ଖର୍ଚ୍ଚରେ ପୁରୀ ଷ୍ଟେସନର କାମ ଚାଲିଛି। କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଶୁଭାରମ୍ଭ ଅବସରରେ କହିଥିଲେ ଯେ, ଉପକୂଳ ଓଡିଶାକୁ ପଶ୍ଚିମ ଓ ଦକ୍ଷିଣ ଓଡିଶା ସହ ଯୋଡିବା ପାଇଁ ବହୁ ଦିନରୁ ଜନସାଧାରଣଙ୍କ ଦାବୀ ରହିଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ କେନ୍ଦ୍ର ରେଳମନ୍ତ୍ରୀ ପୁରୀ-କୋରାପୁଟ ଟ୍ରେନ ପରି ଉତ୍ତର ଓଡିଶା ପାଇଁ ଏକ ଟ୍ରେନ ଆରମ୍ଭ କରାଯିବ ବୋଲି ଘୋଷଣା କରିଥିଲେ।ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଜେନା ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଥିଲେ ।ପୁରୀ ସାଂସଦ ଡ. ସମ୍ବିତ ପାତ୍ର ଏହି ଟ୍ରେନ ପାଇଁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ, ରଥଯାତ୍ରାରେ ପୁରୀକୁ ୩ଶହ ଟ୍ରେନ ଚଳାଚଳ କରିବ ।ଏହି ଅବସରରେ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ଶ୍ରୀ ଶୁଭାଶିଷ ଖୁଣ୍ଟିଆ, ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର ଏବଂ ପୁରୀ ଜିଲ୍ଲା ପ୍ରଶାସନ ଓ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
