ପୁରୀ ରେ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ମୁଷ୍ଟି ଯୁଦ୍ଧ, ଖମ୍ବ ପ୍ରତିଯୋଗିତା ଉଦ୍ ଯାପିତ
ପୁରୀ (ଏ.ପି ନିୟୁଜ) ପୁରୀ ଜିଲ୍ଲା ସ୍କୁଲ୍ ପରିସର ମଧ୍ୟରେ ଦୀର୍ଘ ତିନି ଦିନ ଧରି ଚାଲିଥିବା ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ମୁଷ୍ଟି ଯୁଦ୍ଧ, ବ୍ୟାୟାମ ବିଦ୍ୟା ଓ ମାଲ୍ ଖମ୍ବ ପ୍ରତିଯୋଗିତା ଉଦ୍ ଯାପିତ ହୋଇ ଅଛି । ଏଥିରେ ସାରା ରାଜ୍ୟରୁ ପ୍ରାୟ ୨୫୦ ରୁ ଊର୍ଦ୍ଧ୍ବ କ୍ରୀଡ଼ାବିତ୍ ଓ ୬୦ ରୁ ଅଧିକ ପ୍ରଶିକ୍ଷକ ଓ ଅଫିସିଆଲ୍ ଯୋଗଦାନ କରିଥିଲେ । କ୍ରୀଡ଼ାବିତ୍ ଗଣ ବିଭିନ୍ନ କ୍ରୀଡ଼ାରେ ନିଜ ନିଜର ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିଲେ । ବ୍ୟାୟାମ ବିଦ୍ୟା ( ଜିମ୍ନାଷ୍ଟିକ୍) ରେ ପୁରୀ ଜିଲ୍ଲା ଚାମ୍ପିଅନ ଓ ଭୁବନେଶ୍ବର ରନର୍ସପ୍ , ମୁଷ୍ଟି ଯୁଦ୍ଧ ( ବକ୍ସିଙ୍ଗ୍) ରେ ଗଞ୍ଜାମ ଜିଲ୍ଲା ଚାମ୍ପିଅନ ଓ ପୁରୀ ଜିଲ୍ଲା ରନର୍ସପ୍ ଓ ମାଲ୍ ଖମ୍ବ ରେ ପୁରୀ ଜିଲ୍ଲା ଚାମ୍ପିଅନ ହୋଇ ସମଗ୍ର ରାଜ୍ୟରେ ନିଜ ନିଜ ଜିଲ୍ଲାର ଗୈ।ରବ ବୃଦ୍ଧି କରି ପାରିଛନ୍ତି ।ଏହି ଉଦ୍ ଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ହିମାଂଶୁ ଭୁଷଣ ସମରଥ ଯୋଗଦାନ କରି କ୍ରୀଡ଼ାବିତ୍ ମାନେ ନିଜର ଅଭ୍ୟାସ ଜାରି ରଖିଲେ ନିଶ୍ଚିତ ଭାବେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ନିଜ ଜିଲ୍ଲାର ତଥା ରାଜ୍ୟର ସମ୍ମାନ କରିପାରିବେ ଓ ଏଥିପାଇଁ ପ୍ରଶିକ୍ଷକ ମାନଙ୍କ ନିର୍ଦ୍ଦେଶ, ପ୍ରଶିକ୍ଷଣ ନିୟମ ଓ ବ୍ୟବସ୍ଥା ପ୍ରତି ଗୁରୁତ୍ବ ପ୍ରଦାନ କରିବା ଏକାନ୍ତ ଅପରିହାର୍ଯ୍ୟ ବୋଲି ମତପୋଷଣ କରିଥିଲେ । ସମ୍ମାନିତ ଅତିଥି ରୂପେ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ପରିଡ଼ା, ଅବସରପ୍ରାପ୍ତ ସହକାରୀ ନିର୍ଦ୍ଦେଶକ, ଶାରୀରିକ ଶିକ୍ଷା, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଶ୍ରୀ କୈଳାସ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କୁନି କୁନି କ୍ରୀଡ଼ାବିତ୍ ମାନଙ୍କୁ ନିଜ ନିଜର ବକ୍ତବ୍ୟ ଦ୍ବାରା ଉତ୍ସାହିତ କରିଥିଲେ । ପୁରୀ ଜିଲ୍ଲା ବିଦ୍ୟାଳୟ ସମୂହ ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ମହେନ୍ଦ୍ର କୁମାର ବିଶ୍ବାଳ ତିନି ଦିନର କାର୍ଯ୍ୟକ୍ରମକୁ ଦକ୍ଷତାର ସହ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମର ସଭାପତି ତଥା ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଦୀପକ କୁମାର ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା ।ପୋଲିସ୍ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଶିବରାମ ମିଶ୍ର ଧନ୍ୟବାଦ୍ ପ୍ରଦାନ କରିଥିଲେ ଓ ଶିକ୍ଷକ ଶ୍ରୀ ବିଦ୍ୟାଧର ମିଶ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ ।
