ପରମ୍ପରା ଏବେ ବି ବଞ୍ଚିଛି……… ମା ‘ ଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ପୂଜା ପରେ ଯୁଦ୍ଧ କୌଶଳ ପ୍ରଦର୍ଶନ।
ଚାରିଛକ (ଆଜି ପର୍ଯ୍ୟନ୍ତ ନିୟୁଜ)(ସନ୍ତୋଷ ଦାଶ) ଦଶହରା ଉତ୍ସବ ପାଳନ ଅବସରରେ ପ୍ରାଚୀ ଉପତ୍ୟକା ର ଗଡ ମାନଙ୍କ ରେ ବାସ କରୁଥିବା କ୍ଷତ୍ରିୟ (ଗଡୁଆ) ମାନେ ନିଜ ନିଜ ଘରେ ଥିବା ପାରମ୍ପରିକ ଅସ୍ତ୍ର ଶସ୍ତ୍ର ସବୁ କୁ ଗାଁ ରେ ପୂଜା ପାଉଥିବା ଦେବୀ ମାନଙ୍କ ନିକଟରେ ପୂଜା କରିବା ପରେ ଦଶହରା ବା ବିଜୟା ଦଶମୀ ଦିନ ସନ୍ଧ୍ୟା ରେ ଦେବୀ ମା ଙ୍କ ନିକଟରେ ନିଜ ଅସ୍ତ୍ର ଶସ୍ତ୍ର ରେ ଯୁଦ୍ଧ କୌଶଳ ପ୍ରଦର୍ଶନ କରିଥିଲେ। ଯାହା ଏକ ଅନନ୍ୟ ପରମ୍ପରା ଭାବେ ପାଳନ ହୋଇ ଆସୁଛି କାହିଁ କେତେ କାଳରୁ। ନୟାହାଟ ନିକଟସ୍ଥ ଗଡ଼ କରମଳା ଗ୍ରାମ ରେ ପୂଜା ପାଇ ଆସୁଥିବା ମା କନକ ଦୁର୍ଗା ଙ୍କ ନିକଟରେ ଗ୍ରାମର ସମସ୍ତ ଗଡ ସାମନ୍ତ ପରିବାର ଗୁଡ଼ିକ ନିଜ ନିଜ ଘରେ ରଖିଥିବା ପାରମ୍ପରିକ ଅସ୍ତ୍ରଶସ୍ତ୍ର କୁ ପୂଜ କରିବା ପରେ ଦଶହରା ପଡିଆ ରେ ଦେବୀ ଙ୍କ ସମ୍ମୁଖରେ ସମରକଳା ପ୍ରଦର୍ଶନ କରି ଥିଲେ । ସେହିପରି ଚାରିଛକ ନିକଟସ୍ଥ କୃଷ୍ଣପ୍ରସାଦ ଗଡ଼ ର ଗଡୁଆ ମାନେ ନିଜ ନିଜ ଅସ୍ତ୍ର ଶସ୍ତ୍ର ସବୁ ପୂଜା କରିବା ପରେ ମୋଟିଆଁ ଗ୍ରାମ ର ଅଧିଷ୍ଠାତ୍ରୀ ଦେବୀ ନାରାୟଣୀ ଦୂର୍ଗା ଙ୍କ ମନ୍ଦିର ସମ୍ମୁଖ ରେ ଯୁଦ୍ଧ କୌଶଳ ପ୍ରଦର୍ଶନ କରିଥିଲେ। ପ୍ରାଚୀ ସଂସ୍କୃତି ସୁରକ୍ଷା ପରିଷଦ ର ଆବାହକ ପଣ୍ଡିତ ତ୍ରିଲୋଚନ ମିଶ୍ର କୁହନ୍ତି ଯେ, ଉତ୍କଳ ର ଗଜପତି କପିଳେନ୍ଦ୍ର ଦେବ ଙ୍କ ସମୟ ରେ ପ୍ରାଚୀ ଉପତ୍ୟକା ରେ ୫୮ ଟି ଗଡ଼ ସ୍ଥାପନା ହୋଇ ଗଡ଼ ସାମନ୍ତ ମାନଙ୍କୁ ଗଡ଼ ଗୁଡ଼ିକର ଦାୟୀତ୍ବ ଦିଆଯାଇଥିଲା। ଗବେଷକ ଡଃ. ସନ୍ତୋଷ କୁମାର ମିତ୍ର କୁହନ୍ତି ଯେ, ଗଡ଼ ଗୁଡ଼ିକରେ କନକ ଦୁର୍ଗା ଇଷ୍ଟ ଦେବୀ ଭାବେ ପୂଜା ପାଇ ଆସୁଥିଲେ ଓ ଶାରଦୀୟ ପାର୍ବଣ ପୂଜା ଦେବୀ ଦୁର୍ଗା ଙ୍କ ର ପ୍ରସିଦ୍ଧ ପର୍ବ ଥିଲା । ଗଡ଼ୁଆ ସାମନ୍ତ ମାନେ ଦଶହରା ରେ ନିଜ ନିଜ ଅସ୍ତ୍ରଶସ୍ତ୍ର ଦେବୀ ଦୁର୍ଗା ନିକଟରେ ପୂଜା କରି ସମରକଳା ଶିକ୍ଷା ଆରମ୍ଭ କରୁଥିଲେ । ନିଜ ଅଞ୍ଚଳ କୁ ବାହ୍ୟ ଶତ୍ରୁ ଙ୍କ ଆକ୍ରମଣ ରୁ ଓ ପ୍ରାଚୀ ନଦୀ ରେ ଜଳ ଦସ୍ୟୁ ଙ୍କ କବଳରୁ ସାଧବ/ବଣିକ ମାନଙ୍କୁ ରକ୍ଷା କରିବା ସେମାନଙ୍କର ମୁଖ୍ୟ କାର୍ଯ୍ଯ ଥିଲା।ଯୁଧ୍ୟ ସମୟ ରେ ଗଡ଼ୁଆ ମାନେ ଗଜପତି ଙ୍କ ସୈନ୍ୟବାହିନୀ କୁ ସାହାଯ୍ୟ ସହଯୋଗ କରୁଥିଲେ । ଏବେ ଆଉ ସେ ପ୍ରଥା ନାହିଁ । ଦେବୀ ଦୁର୍ଗା ଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ପୂଜା କରି ଦଶହରା / ବିଜୟା ଦଶମୀ ଦିନ ଅସ୍ତ୍ର ଶସ୍ତ୍ର ଚାଳନା ପ୍ରଦର୍ଶନ କରିବା କେବଳ ଏକ ପରମ୍ପରା ଭାବେ ରହି ଆସିଛି ।
